ପୁରୀ,୦୭/୦୪:  ସାହିଯାତର ଶିଶୁ କଳାକାର ପ୍ରତୀକ । ମା’ଙ୍କ କୋଳ ଛାଡ଼ିନାହାନ୍ତି । ପାଠପଢ଼ା ଆରମ୍ଭ ଦୂରର କଥା । ବୟସ କେବଳ ୩୦ ମାସ । ସାହି ତଥା ଜାଗାର ସମ୍ମାନ ରକ୍ଷା ପାଇଁ ରାଜରାସ୍ତାରେ ଠିଆ । ପ୍ରାୟ ୧୫ କିଲୋଗ୍ରାମର ସାଜ ବାନ୍ଧି ରାତି ଅନିଦ୍ରା ରହି ଯାତ୍ରାରେ ଆରମ୍ଭରୁ ଶେଷ ଖେଳ ଦେଖାଇଲେ । ତାହା ପୁଣି ହଜାର ହଜାର ଲୋକଙ୍କ ଭିତରେ । ବୀରବାଦ୍ୟ ସାଙ୍ଗକୁ ତାଳ ଦେଇ ଠାଣି ଓ ଚାହାଣୀ । ନାଗା ବେଶରେ ଖଣ୍ଡା ବୁଲାଇ ଗୁଳି (ନକଲି) ଫୁଟାଇଲେ । ଶିଶୁ କଳାକାର ପ୍ରତୀକଙ୍କ ଏଭଳି ନିର୍ଭୟ କଳା ପ୍ରଦର୍ଶନ ଦେଖଣାହାରୀଙ୍କୁ ତାଜୁବ୍ କରିଥିଲା । ସାହିଯାତ ଇତିହାସରେ ଏଭଳି ପ୍ରଦର୍ଶନ ହୁଏତ ପ୍ରଥମ ବୋଲି ଚର୍ଚ୍ଚା ।

ସଂସ୍କୃତି ଓ ସଂସ୍କାର ପୁରୀବାସୀଙ୍କ ରକ୍ତରେ ରହିଛି । ଗତ ବର୍ଷ ବାବାଙ୍କ କାନ୍ଧରେ ବସି ତାଙ୍କ ବଡ଼ଭାଇଙ୍କ ନାଗା ନୃତ୍ୟ ଦେଖିଥିଲେ । ଚଳିତ ବର୍ଷ ନିଜ ଆଡ଼ୁ ଅଳି କରି ପ୍ରତୀକ ନାଗା ନୃତ୍ୟ ପ୍ରଦର୍ଶନ କଲେ । ବାଲିସାହି ହିଞ୍ଜଳ ଜାଗା ପକ୍ଷରୁ ପ୍ରତୀକ ମୁଦୁଲି ନାଗା ବନ୍ଧାଇ ହରଚଣ୍ଡୀ ସାହି, ମଣିକର୍ଣ୍ଣିକା ସାହି, ବାସେଳି ସାହି ଓ ଲୋକନାଥ ରୋଡ଼ ସହ ଶ୍ରୀମନ୍ଦିର ପାଶ୍ୱର୍ ପ୍ରାୟ ୭ କିଲୋମିଟର ଭଳି ରାସ୍ତା ବୁଲି ପୁଣି ନିଜ ଘରକୁ ଫେରିଲେ । କେତେବେଳେ ବାବା କାନ୍ଧରେ ବସି ନିଶରେ ହାତ ବୁଲାଉଥାନ୍ତି ତ ପୁଣି ରାସ୍ତାରେ ଭିଡ଼ ଭିତରେ ଓହ୍ଲାଇ ଖଣ୍ଡା ଓ ବନ୍ଧୁକ ଧରି ନାଲି ଆଖି ଦେଖାଉଥାନ୍ତି । କୌତୁକିଆ ରୂପ ସାଙ୍ଗକୁ ପ୍ରତୀକଙ୍କ ଠାଣି ଦେଖି ଆଗ୍ରହରେ କାନ୍ଧକୁ ଉଠାଇ ଧରୁଥାନ୍ତି ସାହିଯାତ ପ୍ରେମୀ । ପୁଅର ଆଗ୍ରହ ଦେଖି ସମସ୍ତ ଆୟୋଜନ କରି ପୁଅର କଥା ରଖିଥିବା କୁହନ୍ତି ପ୍ରତୀକଙ୍କ ବାବା ଦିଲ୍ଲୀପ କୁମାର ମୁଦୁଲି ।

ଅଧିକ ପଢ଼ନ୍ତୁ :-  ଶ୍ରୀମନ୍ଦିର ଆଲୋକୀକରଣରେ ଖର୍ଚ୍ଚ ହେବ ୧୮ କୋଟି, ବିନା ସ୍କୃ, ନଟବୋଲ୍ଡରେ ଲାଗିବ ଲାଇଟ୍

ଦିଲ୍ଲୀପ କୁହନ୍ତି, ଏହା ଆମ ଘର ପରମ୍ପରା । ଆମ ସାହି ଓ ଜାଗାର ସମ୍ମାନ । ଆମେ ମହାପ୍ରଭୁଙ୍କ ସେବକ । ତାଙ୍କ ଜେଜେ ବାବା ବଳଭଦ୍ର ମୁଦୁଲି ନାଗା ବନ୍ଧାନ୍ତି । ଦାଦା, ମୁଁ, ପୁତୁରା ସମସ୍ତେ ନାଗା ବାନ୍ଧି ସାହିଯାତରେ କଳା ଦେଖାଇଛନ୍ତି । ସେମାନେ ଅଭ୍ୟାସ କଲେ ପ୍ରତୀକ ଏସବୁ ଦେଖେ । ଗତ ବର୍ଷ କାଖରେ ଯାଇ ସାହିଯାତରେ ତାର ଭାଇ(୫ ବର୍ଷ)ଙ୍କ ନାଗା ନୃତ୍ୟ ଦେଖିଥିଲା । ଏଥର ସେ ନାଗା ହେବାକୁ କହିବାରେ ସମସ୍ତେ ମନାକଲେ ଏତେ ଛୋଟ ବୟସରେ ଯାତରେ ବାହାରିବା ଉଚ୍ଚିତ ହେବନି । ହେଲେ ସେ ମୋ ପାଖରେ ଜିଦ୍ କଲା । ଏତେ କମ୍ ଦିନରେ ସାଜ ଯୋଗାଡ଼ ମଧ୍ୟ ପ୍ରାୟ ଅସମ୍ଭବ ଥିଲା । ଶିଶୁର ନିଷ୍ପାପ ମନର ଡ଼ାକ ପ୍ରଭୁ ଶୁଣିଲେ । ଜାଗାର ଆରାଧ୍ୟ ଶ୍ରୀନୃସିଂହ ଓ ପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ମାତ୍ର ୪ ଦିନରେ ସବୁ ବ୍ୟବସ୍ଥା ହୋଇଗଲା । ରାତି ୧୦ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ପ୍ରତୀକ ନାଗା ବେଶରେ ରହି ସାହିଯାତ ପ୍ରେମୀଙ୍କ ମନୋରଞ୍ଜନ କରିଥିଲେ ।