କଟକ, ୩୦/୧୧: ବହୁ ଜଘନ୍ୟ ଅପରାଧ ମାମଲାରେ ସମ୍ପୃକ୍ତ ରହିଛନ୍ତି । ପୁଲିସର ଗିରଫଦାରୀକୁ ଏଡ଼ାଇବାକୁ ପାଇଁ ୧୦, ୧୨ ବର୍ଷ ହେଲା ଲୁଚି ବୁଲୁଛନ୍ତି । ଯେତେ ଖୋଜିଲେ ବି ଧରାଛୁଆଁ ଦେଉନାହାନ୍ତି । ଜାମିନ ବିହୀନ ପରୱାନା(ଏନ୍ବିଡବ୍ଲୁ) ଜାରି ପରେ ବି ଚେତୁନାହାନ୍ତି ଅଭିଯୁକ୍ତ । ଫଳରେ ଅଦାଲତରେ ମାମଲା ବିଚାର ସମ୍ପୂର୍ଣ୍ଣ ହୋଇପାରୁନାହିଁ । କଟକ ଜିଲ୍ଲାରେ ଏପରି ବର୍ଷ ବର୍ଷ ହେଲା ଫେରାର୍ ଥିବା ୩୩ ଜଣ ୱାରେଣ୍ଟ୍ ଆସାମୀଙ୍କୁ କଟକ ଜିଲ୍ଲା ପୁଲିସ ପଳାତକ ଘୋଷଣା କରିଛି ।
ସମ୍ପୃକ୍ତ ୩୩ ଜଣ ଯାକ ୱାରେଣ୍ଟ୍ ଆସାମୀଙ୍କ ସ୍ଥାୟୀ ଠିକଣାରେ ଥାନା ଅଧିକାରୀମାନେ ପହଞ୍ଚିଛନ୍ତି । ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିବା ଆସାମୀଙ୍କ ଗାଁରେ ପୁଲିସ ଡେଙ୍ଗୁରା ବଜାଇ ଓ ମାଇକ୍ରେ ସତର୍କ କରାଇଛି । ମାସକ ଭିତରେ ଥାନାରେ ଆତ୍ମସମର୍ପଣ କରିବା ପାଇଁ ବିଏନ୍ଏସ୍ ଧାରା ୮୪ରେ ପୁଲିସ ନୋଟିସ୍ ଜାରି କରିଛି । ଜାରି ହୋଇଥିବା ନୋଟିସ୍କୁ ସମ୍ପୃକ୍ତ ଆସାମୀମାନଙ୍କ ଘର କାନ୍ଥରେ ଓ ଗ୍ରାମ ପଞ୍ଚାୟତ ଅଫିସ୍ରେ ପୁଲିସ ଲଟ୍କା ଜାରି କରିଛି । ମାସକ ଭିତରେ ଆତ୍ମସମର୍ପଣ ନ କଲେ ସମ୍ପୃକ୍ତ ୩୩ ଜଣ ଯାକ ୱାରେଣ୍ଟ୍ ଆସାମୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ବିଏନଏସ୍ଏସ୍ ଧାରା ୮୫ ବଳରେ ଥାନା ଅଧିକାରୀ କୋର୍ଟକୁ ନିବେଦନ କରିବେ ବୋଲି ଜିଲ୍ଲାର ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି । ପୁଲିସର ଏପରି କଡ଼ା ଆଭିମୁଖ୍ୟକୁ ନେଇ ଜିଲ୍ଲାରେ ଆତ୍ମଗୋପନ କରିଥିବା ୱାରେଣ୍ଟ୍ ଆସାମୀଙ୍କ ମହଲରେ ଭାଳେଣି ପଡ଼ିଛି । ପ୍ରାଥମିକ ପର୍ଯ୍ୟାୟରେ ୩୩ ଜଣଙ୍କ ବିରୋଧରେ କଠୋର ପଦକ୍ଷେପ ଆରମ୍ଭ କରାଯାଇଥିଲେ ହେଁ ପରବର୍ତ୍ତୀ ସମୟରେ ଅନ୍ୟ ଆସାମୀମାନଙ୍କ ପାଇଁ ଏହି ନିୟମ ଲାଗୁ କରାଯିବ ବୋଲି ସୂଚନା ମିଳିଛି ।
ତେବେ ମାସକ ଭିତରେ ଥାନାରେ ପ୍ରତ୍ୟକ୍ଷ ଭାବେ ପହଞ୍ଚି ଦେଖା ନକଲେ ସମ୍ପତ୍ତି ବାଜ୍ୟାପ୍ତି କରାଯିବ ବୋଲି ପୁଲିସ ଯେଉଁ ଚରମବାଣୀ ଶୁଣାଇଛି ଏଥିରେ ବଡ଼ମ୍ବା ଥାନା ଅଞ୍ଚଳରେ ସର୍ବାଧିକ ୭ ଜଣ ଆସାମୀ ଥିବା ସୂଚନା ମିଳିଛି । ସାଲେପୁର ଓ ତିଗିରିଆ ଥାନା ଅଞ୍ଚଳରେ ୫ ଜଣ ଲେଖାଏଁ ରହିଥିବା ବେଳେ ମାହାଙ୍ଗା ଓ ଗୋବିନ୍ଦପୁର ଥାନାରେ ୩ ଜଣ ଲେଖାଏଁ, କାନପୁର, ଖୁଣ୍ଟୁଣୀ, ନେମାଳ, ନିଆଳି ଥାନା ଅଞ୍ଚଳରେ ୨ ଜଣ ଲେଖାଏଁ ନିଶ୍ଚିନ୍ତକୋଇଲି ଓ ଗୁରୁଡ଼ିଝାଟିଆରେ ଜଣେ ଲେଖାଏଁ ଆସାମୀ ଥିବାର ସୂଚନା ମିଳିଛି । ସମ୍ପୃକ୍ତ ଆସାମୀମାନଙ୍କ ମଧ୍ୟରୁ ଅନେକ ୮/୧୦ ବର୍ଷ ହେଲା ଫେରାର୍ ଥିବା ପୁଲିସ କହିଛି । ଫଳରେ ଅଦାଲତରେ ୩୩ଟି ମାମଲାର ବିଚାର ଶେଷ ହୋଇପାରିନାହିଁ । କୋର୍ଟରେ ବିଚାର ପ୍ରକ୍ରିୟାରେ ଅଭିଯୁକ୍ତମାନଙ୍କ ଉପସ୍ଥିତି ଜରୁରି ଥିଲେ ସେମାନେ ଗିରଫଦାରୀ ଏଡ଼ାଇବାକୁ ଯାଇ ବର୍ଷ ବର୍ଷ ହେଲା ଆତ୍ମଗୋପନ କରିଛନ୍ତି । ଫଳରେ ଅଦାଲତର ବିଚାର ପ୍ରକ୍ରିୟାରେ ସମସ୍ୟା ହୋଇଛି । ଏହାକୁ ଦୃଷ୍ଟିରେ ଫେରାର ଥିବା ୩୩ ଜଣ ଯାକ ଅଭିଯୁକ୍ତଙ୍କ ବିରୋଧରେ କୋର୍ଟରୁ ଅନୁମତି ଏନ୍ବିଡବ୍ଲୁ ଜାରି କରିଥିଲା । ଏନ୍ବିଡବ୍ଲୁ ଜାରି ପରେ ମଧ୍ୟ ସେମାନେ ଧରାଛୁଆଁ ନ ଦେବାରୁ ପୁଲିସ ପଳାତକ ଘୋଷଣା କରିଛି।