ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

୪୬ ବିଧାନସଭା ଆସନ ଫଳ: ବିଜେପି ମେଣ୍ଟକୁ ୨୪ ସିଟ୍, ୭ଟି ଆସନରେ କଂଗ୍ରେସ ବିଜୟ

Published By : Prameya | November 24, 2024 12:02 PM

ନୂଆଦିଲ୍ଲୀ,୨୪/୧୧: ୧୫ ରାଜ୍ୟର  ୪୬ ବିଧାନସଭା ଓ ୨ ଲୋକସଭା (ୱାୟନାଡ,  ନାନ୍ଦେଡ) ଆସନରେ ହୋଇଥିବା ଉପନିର୍ବାଚନର ଫଳ ଶନିବାର ପ୍ରକାଶ ପାଇଛି । ୪୬ ବିଧାନସଭା  ଆସନରୁ ବିଜେପି ମେଣ୍ଟ ସର୍ବାଧିକ ୨୪ରେ ଜିତିଛି ।  କଂଗ୍ରେସ ୭ଟିରେ ଜିତିଥିବା ବେଳେ ଟିଏମ୍‌ସି  ୬, ଆପ୍‌ ୩ ଓ ସମାଜବାଦୀ ପାର୍ଟି ୨ ଆସନରେ  ବିଜୟୀ ହୋଇଛି । ବିଜେପି ମେଣ୍ଟରେ ଜନତା ଦଳ  ୟୁନାଇଟେଡ, ହିନ୍ଦୁସ୍ତାନ ଆୱାମ ମୋର୍ଚ୍ଚା, ଆସାମ  ଗଣ ପରିଷଦ, ୟୁନାଇଟେଡ ପିପୁଲ୍ସ ପାର୍ଟି ଏବଂ  ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ଅନ୍ତର୍ଭୁକ୍ତ । 

ଉପନିର୍ବାଚନ ପୂର୍ବରୁ ଏହି ୪୬ ବିଧାନସଭା  ଆସନ ମଧ୍ୟରୁ ୨୭ ଆସନ ବିରୋଧୀଙ୍କ କବ୍‌ଜାରେ  ଥିଲା । ଏକାକୀ କଂଗ୍ରେସ ପାଖରେ ୧୩ ଆସନ  ରହିଥିଲା । ସେହିଭଳି ବିଜେପି ପାଖରେ ୧୧ ସମେତ  ଏନ୍‌ଡିଏ ପାଖରେ ମୋଟ ୧୭ଟି ଆସନ ରହିଥିଲା ।  ସେହି ଦୃଷ୍ଟିରୁ ପୂର୍ବ ନିର୍ବାଚନ ତୁଳନାରେ ବିଜେପି  ମେଣ୍ଟ ଏଥର ୭ଟି ଅଧିକ ଆସନ ପାଇଛି । ଉତ୍ତର  ପ୍ରଦେଶରେ ଏଥର ୯ ବିଧାନସଭା ଆସନରେ ଭୋଟ  ହୋଇଥିଲା । ଏଥିରୁ ବିଜେପି ମେଣ୍ଟ ୭ଟି ହାସଲ  କରିଥିବା ବେଳେ ସପା ୨ଟିରେ ବିଜୟୀ ହୋଇଛି ।

ବହୁଚର୍ଚ୍ଚିତ କେରଳର ୱାୟନାଡ ଲୋକସଭା  ଆସନରେ କଂଗ୍ରେସ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା  ୪ ଲକ୍ଷ ୧୦ ହଜାରରୁ ଅଧିକ ଭୋଟରେ ବିଜୟୀ  ହୋଇଛନ୍ତି । ତାଙ୍କୁ ୬ ଲକ୍ଷ ୨୨ ହଜାର ୩୩୮ ଭୋଟ  ମିଳିଛି । ଦ୍ୱିତୀୟ ସ୍ଥାନରେ ଥିବା ସିପିଆଇର ସତ୍ୟନ୍‌  ମୋକେରୀଙ୍କୁ ୨ ଲକ୍ଷ ୧୧ ହଜାର ଭୋଟ ମିଳିଥିବା  ବେଳେ ତୃତୀୟ ସ୍ଥାନରେ ଥିବା ବିଜେପି ପ୍ରାର୍ଥୀ  ନବ୍ୟା ହରିଦାସ ୧ ଲକ୍ଷ ୯ ହଜାର ଭୋଟ ପାଇଛନ୍ତି ।  ଚଳିତବର୍ଷ ଅନୁଷ୍ଠିତ ଲୋକସଭା ନିର୍ବାଚନରେ  କଂଗ୍ରେସ ନେତା ରାହୁଲ ଗାନ୍ଧୀ ୟୁପିର ରାଏବରେଲି  ଓ କେରଳର ୱାୟନାଡ ଆସରେ ଜିତିଥିଲେ । ପରେ  ସେ ୱାୟନାଡ ଆସନ ଛାଡ଼ିଦେବାରୁ ସେଠାରେ  ଉପନିର୍ବାଚନ ହୋଇଥିଲା । 

ମହାରାଷ୍ଟ୍ରର ନାନ୍ଦେଡ ଲୋକସଭା ଆସନରେ  ବି ଉପନିର୍ବାଚନ ହୋଇଥିଲା । ଆଜି ଗଣତି ବେଳେ  ବିଜେପି ପ୍ରାର୍ଥୀ ଡ. ସନ୍ତୁକରାଓ ମରୋତରାଓ  ହମ୍ବାର୍ଡେ ଢେର ଆଗରେ ଥିଲେ । କିନ୍ତୁ ଶେଷ  ପର୍ଯ୍ୟାୟ ଗଣତିରେ କଂଗ୍ରେସର ରବୀନ୍ଦ୍ର ଚୌହାନ  ୧୪୫୭ ଭୋଟରେ ଜିତିଥିଲେ । 

ଏଥର ୟୁପିର ୯ଟି ବିଧାନସଭା ଆସନରେ  ଉପନିର୍ବାଚନ ହୋଇଥିଲା ବେଳେ ରାଜସ୍ଥାନର  ୭, ପଶ୍ଚିମବଙ୍ଗର ୬, ଆସାମର ୫, ବିହାରର ୪, ପଞ୍ଜାବର ୪, କର୍ଣ୍ଣାଟକର ୩, ମଧ୍ୟ ପ୍ରଦେଶ,  ସିକିମ୍‌ ଓ କେରଳର ୨ ଲେଖାଏଁ ଆସନରେ ଭୋଟ  ପଡ଼ିଥିଲା । ସେହିଭଳି ଛତିଶଗଡ଼, ଉତ୍ତରାଖଣ୍ଡ,  ଗୁଜରାଟ ଓ ମେଘାଳୟର ଗୋଟିଏ ଲେଖାଏଁ  ବିଧାନସଭା ଆସନରେ ଉପନିର୍ବାଚନ ହୋଇଥିଲା ।  ରାଜସ୍ଥାନର ୭ ଆସନ ମଧ୍ୟରୁ ୫ଟିରେ ବିଜେପି  ଜିତିଥିବା ବେଳେ କଂଗ୍ରେସ ଗୋଟିଏ ଓ ଭାରତ  ଆଦିବାସୀ ପାର୍ଟି ଗୋଟିଏ ପାଇଛି । 

ପଶ୍ଚିମବଙ୍ଗର ୬ଟି ବିଧାନସଭା  ଆସନରେ ଉପନିର୍ବାଚନ ହୋଇଥିଲା । ତୃଣମୂଳ  କଂଗ୍ରେସ(ଟିଏମ୍‌ସି) ସମସ୍ତ ୬ଟି ଆସନକୁ ପୋଛିନେଇଛି । ଆସାମର ୫ଟି ଆସନରୁ ବିଜେପି  ୩ଟିରେ ଜିତିଥିବା ବେଳେ ୟୁନାଇଟେଡ ପିପୁଲ୍ସ  ପାର୍ଟି ଓ ଆସାମ ଗଣ ପରିଷଦକୁ ଗୋଟିଏ ଲେଖାଏଁ  ମିଳିଛି । ବିହାରର ୪ଟି ଆସନରୁ ବିଜେପି ୨ଟି  ପାଇଥିବା ବେଳେ ଜେଡିୟୁ ୧ ଓ ହାମ୍‌ ୧ ଆସନ  ଜିତିନେଇଛି । ପଞ୍ଜାବର ୪ଟି ଆସନରୁ ୩ଟି  ଆପ୍‌ ଓ ଗୋଟିଏରେ କଂଗ୍ରେସ ବିଜୟୀ ହୋଇଛି ।  କର୍ଣ୍ଣାଟକର ୩ଟି ଆସନରୁ କଂଗ୍ରେସ ସବୁଥିରେ  ବିଜୟୀ ହୋଇଛି । ମଧ୍ୟ ପ୍ରଦେଶର ଦୁଇଟି ଆସନ  ମଧ୍ୟରୁ ଗୋଟିଏ ବିଜେପି ଓ ଗୋଟିଏ କଂଗ୍ରେସ  ଭାଗକୁ ଯାଇଛି । କେରଳର ଦୁଇଟି ଆସନରୁ  ଗୋଟିଏ କଂଗ୍ରେସ ଓ ଗୋଟିଏ ସିପିଆଇ(ଏମ୍‌)  ଜିତିଛି । ଛତିଶଗଡ଼, ଗୁଜରାଟ, ଉତ୍ତରାଖଣ୍ଡର  ଗୋଟିଏ ଲେଖାଏଁ ଆସନରେ ନିର୍ବାଚନ ହୋଇଥିଲା  ବେଳେ ବିଜେପି ସବୁଥିରେ ଜିତିଛି । ମେଘାଳୟର  ଗୋଟିଏ ଆସନରେ ନ୍ୟାସନାଲ ପିପୁଲ୍ସ ପାର୍ଟିର  ପ୍ରାର୍ଥୀ ଜିତିଛନ୍ତି । ସିକିମର ଦୁଇଟିଯାକ ଆସନରେ  ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା ବିଜୟୀ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.