ନୂଆଦିଲ୍ଲୀ, ୦୮/୦୧ : ସେୟାର ମାର୍କେଟ୍ ରେ ଟ୍ରମ୍ପ ସୁନାମୀ। ଟ୍ରମ୍ପଙ୍କ ୫୦୦ ପ୍ରତିଶତ ଟାରିଫ୍ ଧମକ ପରେ ଗୁରୁବାର ବଜାର ଧରାଶାୟୀ। ଲଗାତର ଚତୁର୍ଥ ଦିନ ପାଇଁ ସେନସେକ୍ସ ଏବଂ ନିଫ୍ଟିରେ ବଡ଼ ହ୍ରାସ ଘଟିଛି। କେବଳ ୪ ଦିନରେ ସେୟାର ବଜାରରେ ୧୬୦୦ ରୁ ଅଧିକ ଅଙ୍କ ହ୍ରାସ ଘଟିଛି। ସେହିପରି ନିଫ୍ଟି ବି ୪୦୦ ଅଙ୍କ ତଳକୁ ଖସିଛି। 

ଜାନୁଆରୀ ୨ରେ ସେନସେକ୍ସ ୮୫,୭୬୨.୦୧ରେ ବନ୍ଦ ହୋଇଥିଲା। ଆଜି ସେନସେକ୍ସ ୮୪,୧୮୦ରେ ବନ୍ଦ ହୋଇଛି। ଅର୍ଥାତ୍ ସେନସେକ୍ସରେ ପ୍ରାୟ ୧୬୦୦ ଅଙ୍କ ହ୍ରାସ ଘଟିଛି। ସେହିପରି ନିଫ୍ଟିରେ ୪୦୦ ଅଙ୍କ ହ୍ରାସ ଘଟି ୨୫ ହଜାର ୮୭୬ରେ ବନ୍ଦ ହୋଇଛି। ବିଏସଇ ମାର୍କେଟ୍ ରେ ଲାଗିଥିବା ନିବେଶକଙ୍କ ସମ୍ପତ୍ତି ହ୍ରାସ ପାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, ଲାର୍ସନ୍ ଆଣ୍ଡ୍ ଟୁବ୍ରୋ (L&T), ଟାଟା କନସଲଟାନ୍ସି ସର୍ଭିସେସ୍ (TCS), ଇନଫୋସିସ୍, ଏୟାରଟେଲ୍, ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, HDFC ବ୍ୟାଙ୍କ, ଟାଟା ଷ୍ଟିଲ୍ ଏବଂ ଟେକ୍ ମହିନ୍ଦ୍ରା ଭଳି ହେଭିୱେଟ୍ କମ୍ପାନୀଗୁଡ଼ିକର କ୍ଷତି ଯୋଗୁଁ ବଜାର ସୂଚକାଙ୍କ ଚାପ ମଧ୍ୟରେ ରହିଛି।

ବିଏସଇ ସେନସେକ୍ସର ଟପ୍ ୩୦ ସେୟାରରୁ ୪ଟି ସେୟାରକୁ ଛାଡ଼ିଦେଲେ ବାକି ସବୁ ରେଡ୍ ମାର୍କରେ ବନ୍ଦ ହୋଇଛି। ସବୁଠୁ ଅଧିକ ହ୍ରାସ L&T, ଟେକ୍ ମହିନ୍ଦ୍ରା ଏବଂ ଟିସିଏସ୍ ର ସେୟାରରେ ହୋଇଛି। ଜୋମାଟୋ ଏବଂ ଆଇସିଆଇସିଆଇ ବ୍ୟାଙ୍କ ସେୟାରରେ ଅଳ୍ପ ବୃଦ୍ଧି ହୋଇଛି। 

ଋଷ ଉପରେ ଚାପ ପକାଇବା ପାଇଁ ଆମେରିକା ରାଷ୍ଟ୍ରପତି ଏକ ନୂଆ ବିଲ୍ ଉପସ୍ଥାପନ କରିଛନ୍ତି। ଋଷ ଠାରୁ ତେଲ କିଣିଲେ ୫୦୦ ପ୍ରତିଶତ ଟାରିଫ୍ ଲଗାଇବେ ବୋଲି ଘୋଷଣା କରିଛନ୍ତି। ଯାହାଫଳରେ ଭାରତ, ଚୀନ, ବ୍ରାଜିଲ୍ ଭଳି ଦେଶ ଗୁଡ଼ିକ ଉପରେ ଏହି ବର୍ଦ୍ଧିତ ଟାରିଫ୍ ଲାଗିପାରେ ବୋଲି ଅନୁମାନ କରାଯାଉଛି। ଯେଉଁଥିପାଇଁ ସେୟାର ବଜାରରେ ଦ୍ରୁତ ହ୍ରାସ ଘଟିଛି।