କଟକ,୩୧/୧୦: କାଳୀ ପୂଜା, ଦୀପାବଳି ଓ କାଳୀମେଢ଼ ଭସାଣି  ପାଇଁ କଟକ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୋଟ୍‌ ୫୩ ପ୍ଲାଟୁନ୍‌ ଫୋର୍ସ ମୁତୟନ ପାଇଁ ପୁଲିସ ପକ୍ଷରୁ ବ୍ୟବସ୍ଥା  ହୋଇଛି । ଏନେଇ ଆୟୋଜିତ ଏକ ବ୍ରିଫିଂ କାର୍ଯ୍ୟକ୍ରମରେ ପୁଲିସ  ଅଧିକାରୀ ଓ ଫୋର୍ସଙ୍କୁ ଡିସିପି ଜଗମୋହନ ମୀନା ଦାୟିତ୍ୱ ବୁଝାଇଛନ୍ତି । କଟକ ସହର ଓ ସହର ବାହାରୁ ଆସିଥିବା ମୋଟ୍‌ ୧୫୦ ଜଣ ଅଫିସରଙ୍କୁ  ସୁରକ୍ଷା ଦାୟିତ୍ୱ ଦିଆଯିବ । 

କଟକର ସମସ୍ତ ଥାନା ଅଧିକାରୀ, ସମସ୍ତ ଏସିପି ଓ  ଦୁଇ ଏଡିସିପି ସୁରକ୍ଷା ତଦାରଖ କରିବେ । ସୁରକ୍ଷା ବ୍ୟବସ୍ଥାକୁ ଠିକ୍‌ ଢଙ୍ଗରେ ପରିଚାଳନା କରିବା ପାଇଁ  ସହର ତମାମ୍‌ ୩୦ଟି  ଏଡ୍‌ପୋଷ୍ଟ କରାଯାଇଛି ।  ଭସାଣି ଦିନ ଆଉ ୩୫ଟି  ପୋଷ୍ଟ ଅଧିକ କରାଯିବ । ଇନ୍‌ଡୋର ଷ୍ଟାଡିୟମ୍‌ରେ  ଏନେ ଆଜି ଦାୟିତ୍ୱ ବଣ୍ଟନ  କାର୍ଯ୍ୟକ୍ରମ ଆୟୋଜିତ  ହୋଇଥିଲା । ଏଥିରେ ଫୋର୍ସ,  ଏଏସ୍‌ଆଇ-ଏସ୍‌ଆ ଓ ଇନ୍ସପେକ୍ଟର-ଏସିପିଙ୍କୁ ଭିନ୍ନ ଭିନ୍ନ କରି ଡିସିପି ଶ୍ରୀ ମୀନା ଦାୟିତ୍ୱ ବୁଝାଇବା ସହିତ  ସେମାନଙ୍କଠାରୁ ଆବଶ୍ୟକୀୟ ପ୍ରଶ୍ନର ଉତ୍ତର ବୁଝିଥିଲେ। ସଜାଗ ହୋଇ ସଂପୂର୍ଣ୍ଣ  ଦାୟିତ୍ୱ ସହକାରେ ଡ୍ୟୁଟି କରିବାକୁ ଡିସିପି ନିର୍ଦ୍ଦେଶ ଦେଇଛନ୍ତି । ଭସାଣିରେ  ମେଢ଼ଗୁଡ଼ିକ ଯେପରି ଆଗକୁ ଶୀଘ୍ର ଯାଇପାରିବ ସେନେଇ ମଧ୍ୟ ଉଦ୍ୟମ କରିବାକୁ  ଡିସିପି କହିଛନ୍ତି । 

ସେହିପରି ବାଣ ଫୁଟାଇବା ନେଇ ସରକାର ରାତି ୭ରୁ ୯ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ଏହି ସମୟରେ ସୁରକ୍ଷିତ ଭାବେ ଖୋଲା ସ୍ଥାନରେ ବାଣଫୁଟା  ଯାଇପାରିବ । ତେଣୁ ଯଦି ଏଥିରେ କେହି ବ୍ୟତିକ୍ରମ କରେ ତାହାଲେ କାର୍ଯ୍ୟାନୁଷ୍ଠାନ  ନେବାକୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସବୁ ଥାନାର ସ୍ୱତନ୍ତ୍ର ପାଟ୍ରୋଲିଂ  ଓ ଷ୍ଟ୍ରାକିଂ ଫୋର୍ସ ଏନେଇ କାମ କରିବ । ନିର୍ଦ୍ଧାରିତ ସମୟ ପରେ ଯଦି କେହି ବାଣ  ଫୁଟାନ୍ତି ତାହାଲେ ତାଙ୍କୁ ଧରିଆଣି ଥାନାରେ ଅଟକ ରଖିବାକୁ କୁହାଯାଇଛି । ଗୁରୁବାର ଦିନ ୩ଟାରୁ ଫୋର୍ସ ଓ ଅଫିସରମାନେ ମୁତୟନ ହେବେ । ଭସାଣି ଶେଷ ଅର୍ଥାତ୍‌  ୪ ତାରିଖ ସକାଳ ପର୍ଯ୍ୟନ୍ତ ଫୋର୍ସ ଡ୍ୟୁଟି କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।