କାଶୀପୁର , ୨୪।୧ : ଗୁଣିଆ ସନ୍ଦେହରେ ହାଡ଼ିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଦୋରାଗୁଡ଼ା ଗ୍ରାମର ଗୋପାଳ ଦୋରାଙ୍କୁ ନିର୍ମମ ଭାବେ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି କାଶୀପୁର ବ୍ଲକଦୋରା ଗୁଡ଼ାଥାନା ପୁଲିସ । ହତ୍ୟା ଘଟଣାରେ ସଂପୃକ୍ତ ଛଅ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି।

ମୃତ ଗୋପାଳ ଦୋରା ଗତ କିଛି ଦିନ ଧରି ନିଖୋଜ ଥିଲେ । ବହୁତ ଖୋଜିବା ପରେ ମଧ୍ୟ ନ ମିଳିବାରୁ ନିଖୋଜ ନେଇ ପରିବାର ଲୋକେ ଚଳିତ ମାସ ନଅ ତାରିଖରେ ଦୋରା ଗୁଡ଼ା ଥାନାରେ ଏତଲା ଦେଇଥିଲେ । ଗତ ଗୁରୁବାର ଗାଁ ପାଖ ନାଳରେ ଏକ ଅଖା ବନ୍ଧା ହୋଇ ମୃତ ଦେହ ପାଣିରେ ଭାସୁ ଥିବାର ପରିବାର ଲୋକେ ଖବର ପାଇଥିଲେ । ଥାନାରେ ଜଣାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା । ଗୋପାଳର ମୃତ ଦେହକୁ ପରିବାର ଲୋକେ ଚିହ୍ନଟ କରିଥିଲେ । ଶବ ବ୍ୟବଚ୍ଛେଦ କରାଇବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣା ଯାଇଥିଲା । ଏହି ଘଟଣାରେ ପୁଲିସ ଦୋରାଗୁଡ଼ା ଗ୍ରାମର କିଛି ଜଣ ସନ୍ଦିଗ୍ଧଙ୍କୁ ଥାନା ନେଇ ପଚରାଉଚରା କରିବା ପରେ ଗୁଣି ସନ୍ଦେହରେ ବୃଦ୍ଧ ଗୋପାଳକୁ ହତ୍ୟା କରାଯାଇ ଥିବାର ଜଣା ଯାଇଛି । ଗୁଣି ସନ୍ଦେହରେ ହତ୍ୟା ଘଟଣା ସ୍ଥାନୀୟ ଅଞ୍ଚଳରେ ଛାଞ୍ଚଲ୍ୟ ସୃଷ୍ଟି କରିଛି ।