ଭୁବନେଶ୍ୱର,୦୮/୧୨: ଭଳକିଭଳି ଜର୍ମାନ ସେଫର୍ଡ । ତା’ସହ ଲାବ୍ରାଡର । ପ୍ରଭୁଭକ୍ତ ଏହି କୁକୁରମାନେ କମାଲ ପ୍ରଦର୍ଶନ କରିଥିଲେ । କିଏ ମୁନିବଙ୍କ ନିର୍ଦ୍ଦେଶରେ ବଲ୍ ଆଣୁଥିଲେ ତ କିଏ ଅଙ୍ଗଭଙ୍ଗୀ ଦେଖାଉଥିଲେ । କିଏ କାହା ଠାରୁ କମ୍ ନଥିଲେ । ଓଡ଼ିଶା କେନେଲ କ୍ଲବ ତରଫରୁ ସ୍ଥାନୀୟ ଓୟୁଏଟି ପଡ଼ିଆରେ ଆୟୋଜିତ ୬୫ତମ ଡଗ୍ ସୋରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ଶନିବାର ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଜର୍ମାନ ସେଫର୍ଡ, ଲାବ୍ରାଡର ଓ ବିଗଲ୍ ପ୍ରଜାତିର କୁକୁରମାନେ ସେମାନଙ୍କ ଶ୍ରେଷ୍ଠତ୍ୱ ପ୍ରଦର୍ଶନ କରିଥିଲେ । ପ୍ରତିଯୋଗିତାରେ ୧୩୦ଟି ଜର୍ମାନ୍ ସେଫର୍ଡ, ୨୫ଟି ଲାବ୍ରାଡର୍ ଓ ୨୫ଟି ବିଗେଲ୍ ପ୍ରଜାତିର କୁକୁର ଭାଗ ନେଇଥିଲେ । ବିଚାରକ ଭାବେ ସି ଆର ପଟ୍ଟନାୟକ, ରୋବେର୍ଟୋ କପୁତି ଏବଂ ଲୁଇସ୍ ପିକ୍ସୋଟୋ ପ୍ରମୁଖ ଉପସ୍ଥିତ ଥିଲେ ।
ଜସ୍-ଜ୍ୟାକ୍ ପରି କେହିନାହିଁ

ଜସ-ଜ୍ୟାକ୍ । କୌଣସି ହଲିଉଡ୍ ଫିଲ୍ମର ହିରୋଙ୍କ ଭଳି ଏମାନଙ୍କ ନାଁ । ଜ୍ୟାକ୍ ଜର୍ମାନ ସେଫର୍ଡ ଓ ଜସ୍ ଜଣେ ଲାବ୍ରାଡର ପ୍ରଜାତିର କୁକୁର। ଦୁହେଁ ଭାରି ଶାନ୍ତ । ଉଭୟେ କୋଲକାତାରୁ ଆସିଛନ୍ତି । ୩ବର୍ଷୀୟ ଜସ୍ର ପ୍ରିୟ ଖାଦ୍ୟ ଡ୍ରାଏ ଫ୍ରୁଟ୍, ଚିକେନ୍, ରାଇସ୍ ଓ ମାଛ । ଦେଢବର୍ଷୀୟ ଜ୍ୟାକ୍ର ପ୍ରିୟ ଖାଦ୍ୟ ହେଉଛି ଦହି, ଅଣ୍ଡା ଓ ପରିବା । ଉଭୟେ ପ୍ରତିମାସକୁ ଗ୍ରୁମିଂ ମଧ୍ୟ କରୁଛନ୍ତି । ସେଥିପାଇଁ ମାଲିକ ଏମାନଙ୍କ ଖାଦ୍ୟ, ତାଲିମ, ଗ୍ରୁମିଂରେ ୧ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । ଜସ୍ ଏହା ପୂର୍ବରୁ ୩ଥର କେନେଲ୍ କ୍ଲବ ସୋରେ ଚାମ୍ପିଅନ ହୋଇସାରିଛି । ଜ୍ୟାକ୍ର ଏହା ପ୍ରଥମ ପରୀକ୍ଷା । ଉଭୟଙ୍କୁ ଦେଖି ସମସ୍ତେ କହିଥିଲେ ଜସ୍-ଜ୍ୟାକ୍ ଜୈସା କୋଇ ନେହିଁ ।
ସଫ୍ଟୱେର ଇଞ୍ଜିନିୟରଙ୍କ ‘ଆଷ୍ଟର୍’
ଆଷ୍ଟର । ୩ବର୍ଷର ଏକ ଜର୍ମାନ ସେଫର୍ଡ । ବହୁତ ଚାଲାକ ଓ ଦୁଃସାହସୀ । ସକାଳୁ ସକାଳୁ ଆଷ୍ଟର ସଭିଙ୍କ ନଜର ଟାଣିଥିଲା । ମାଷ୍ଟରଙ୍କ ପ୍ରତ୍ୟେକ ଅର୍ଡରକୁ ମାନିବା ସହ ଦୌଡ଼କୁଦ କରିଥିଲା । ଏହାଦେଖି ସମସ୍ତେ ତା’ସହ ଫଟୋ ଉଠାଇଥିଲେ । ସୁଦୂର ଟାଟାରେ ରହୁଥିବା ଆଷ୍ଟର ପ୍ରଥମ ଥର ପାଇଁ ମାଲିକ ନିଶାନ୍ତ ଗୌରବଙ୍କ ସହ ଡଗ୍ ସୋରେ ଭାଗ ନେବାକୁ ଆସିଛନ୍ତି । ନିଶାନ୍ତ ସଂପ୍ରତି ଜାମସେଦପୁର ଟାଟାରେ ସଫ୍ଟୱେୟାର ଇଞ୍ଜିନିୟରଭାବେ କାମ କରୁଛନ୍ତି । ନିଶାନ୍ତ ଯେତେବେଳେ ଆଷ୍ଟରକୁ କିଣିଲେ, ତାକୁ ଅସାଧାରଣଭାବେ ଗଢ଼ି ତୋଳିବାକୁ ମନସ୍ଥ କଲେ । ସେଥିପାଇଁ ତା’ ଫିଟ୍ନେସ୍ ଓ କଳା କୌଶଳ ପ୍ରତି ବିଶେଷ ଧ୍ୟାନ ଦିଆଯାଇଥିଲା । ଦୈନିକ ତାକୁ କୌଶଳ ଶିଖାଇବାକୁ ଜଣେ ଟ୍ରେନର ନିଯୁକ୍ତି ପାଇଥିଲେ । ଆଷ୍ଟର ଦୈନିକ ଦେଢ କେଜି ମାଂସ, କେଜିଏ କଞ୍ଚା ପରିବା, ଦହି ଖାଉଛି । ସକାଳୁ ସେ ୭ରୁ ୮ କିମି ପର୍ଯ୍ୟନ୍ତ ଦୌଡୁଛି । ମାସକୁ ତାର ଗ୍ରୁମିଂ ଓ ଖାଦ୍ୟପେୟରେ ୮୦ହଜାର ଟଙ୍କା ଖର୍ଚ୍ଚ ହୁଏ । ସେ ଖୁବ୍ ଶୀଘ୍ର ବନ୍ଧୁତା ସୂତ୍ରରେ ବାନ୍ଧି ହେଉଥିବାରୁ ସମସ୍ତେ ତାକୁ ଭଲ ପାଆନ୍ତି । ଆଷ୍ଟରଙ୍କୁ ନିଜ ଭାଇ ଭଳି ଯତ୍ନ ନିଅନ୍ତି ବୋଲି ନିଶାନ୍ତ କହିଛନ୍ତି।
