ମାଲକାନଗିରି,୩/୯ :  ଗାଁ ମୁଣ୍ଡରେ ଏକ ନଦୀରେ ପୋଲଟିଏ ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନକୁ ଜଣାଇ ନିରାଶ ହୋଇଯାଇଥିଲେ ମାଓପ୍ରବଣ ହୋଇଥିବାରୁ ପ୍ରଶାସନ ନିର୍ମାଣ କରିପାରିଲା ନି । ଅପହଞ୍ଚ ମାଓଗଡ଼ରେ ଝୁଲାପୋଲ ନିର୍ମାଣ କରି ଗ୍ରାମବାସୀଙ୍କ ପ୍ରିୟ ଭାଜନ ହୋଇଛନ୍ତି ସିଆରପିଏଫ ଯବାନ। ଗାଁକୁ ଯିବା ଲାଗି ରାସ୍ତା ନାହିଁ । ବର୍ଷା ପାଣିରେ ଭରି ରହିଛି ନଈ ଓ ଝରଣା । ଦୁର୍ଗମ ଅଞ୍ଚଳର ଲୋକେ ଜଳ ବନ୍ଦୀ ହୋଇ ରହିଥିବାବେଳେ ସେମାନଙ୍କ ପାଇଁ ଦେବଦୂତ ସାଜିଛନ୍ତି ସିଆରପିଏଫ ଯବାନ ।

ଝରଣା ଉପରେ କାଠ ଓ ଦଉଡ଼ି ସହାୟତାରେ ଅସ୍ଥାୟୀ ଝୁଲା ପୋଲ ନିର୍ମାଣ କରିଛନ୍ତି ଯବାନମାନେ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏପରି କିଛି ଦୃଶ୍ୟ । ବିଜାପୁର ଜିଲ୍ଲାର ନକ୍ସଲ ପ୍ରଭାବିତ ଗଙ୍ଗାଲୁର ଅଞ୍ଚଳର ସେହି ଝୁଲା ପୋଲ ହୋଇଛି । ପାଲନାରଠାରୁ ଟୋଡକା ଗାଁକୁ ସଂଯୋଗ କରୁଥିବା ଏହି ମାଟି ରାସ୍ତାରେ ଏକ ନଦୀ ଉପରେ ଦଉଡ଼ି ସହାୟତାରେ ଏହି ଝୁଲା ପୋଲ ନିର୍ମାଣ କରାଯାଇଛି । ପୂର୍ବରୁ ନକ୍ସଲମାନେ ନିଜର ସୁବିଧା ପାଇଁ ଏହି ଅଞ୍ଚଳରେ ଅସ୍ଥାୟୀ ପୋଲ ନିର୍ମାଣ କରୁଥିଲେ । କିନ୍ତୁ ବର୍ତ୍ତମାନ ଯବାନମାନେ ଗାଁ ଲୋକଙ୍କ ସୁବିଧା ପାଇଁ ଏପରି ଝୁଲା ପୋଲ ନିର୍ମାଣ କରିଛନ୍ତି । ସାଧାରଣ ଲୋକଙ୍କ ସହ ଶିକ୍ଷକ, ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କ ସୁବିଧା ପାଇଁ ଏହି ଝୁଲା ପୋଲ ନିର୍ମାଣ କରିଛନ୍ତି ସୁରକ୍ଷା କର୍ମୀ ।