ସୋରଡ଼ା, ୮/୧୧ : ଦୁର୍ଘଟଣାରେ ପ୍ରାଣ ହରାଇଲେ। ସିଏ ସିନା ଚାଲିଗଲେ ହେଲେ ତାଙ୍କ ଆଖି ଦୁଇଟି ଆଉ କାହା ପାଇଁ ଛାଡ଼ିଗଲେ। ଚକ୍ଷୁଦାନ କରି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ସୋରଡ଼ା ଲାଇନ୍ସ କ୍ଲବ ସାହିର ଅଜୟ କୁମାର ଗମାଙ୍ଗ। ମୃତ୍ୟୁ ପରେ ବି ଏବେ ଦୁନିଆ ଦେଖିବ  ଅଜୟଙ୍କ ଆଖି।

ସୂଚନାନୁଯାୟୀ, ସୋରଡ଼ା ଲାଇନ୍ସ କ୍ଲବ ସାହିର ଅଜୟ କୁମାର ଗମାଙ୍ଗ (୩୫ ବର୍ଷ) ଶୁକ୍ରବାର ସକାଳ ୯ଟାରେ ବ୍ରହ୍ମପୁର ଆଙ୍କୁଲି ଠାରେ କାର୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଏହାପରେ ତାଙ୍କ ପରିବାର ଲୋକ ମରଶରୀରକୁ ଭୁବନେଶ୍ଵର ଆଣିଥିଲେ। ଏଲ ଭି ପ୍ରସାଦ ଚକ୍ଷୁ ବ୍ୟାଙ୍କରେ ଅଜୟଙ୍କ ଚକ୍ଷୁଦାନ କରିଥିଲେ। ସେଠାରୁ ଶୁକ୍ରବାର ରାତିରେ ଅଜୟଙ୍କ ମରଶରୀରକୁ ସୋରଡ଼ା ଅଣାଯାଇଥିଲା। ଶନିବାର ସକାଳୁ ଖ୍ରୀଷ୍ଟ ଧର୍ମ ପରମ୍ପରା ଅନୁଯାୟୀ ତାଙ୍କୁ ସମାଧି ଦିଆଯାଇଛି। ମୃତ୍ୟୁ ପରେ ଚକ୍ଷୁଦାନ ପରି ସେ ଏକ ମହତ କାମ କରିଯାଇଛନ୍ତି। ଅଜୟଙ୍କ ବନ୍ଧୁ ବାବୁଲ ବେଗ, ଶଙ୍କର୍ଷଣ ଭୁଇଁୟା, ଶାନ୍ତନୁ ନାୟକ ଏହି ମହତ ପ୍ରୟାସକୁ ପ୍ରଶଂସା କରିଛନ୍ତି।