ମାଲକାନଗିରି, ୨୪/୯ (ଆପ୍ର): ମାଲକାନଗିରି ଜିଲ୍ଲାରେ ସେପ୍ଟେମ୍ୱର ୨୮ ତାରିଖ ପର୍ଯ୍ୟନ୍ତ ସମସ୍ତ ଛୁଟିକୁ ବାତିଲ କରିଛନ୍ତି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ। ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ବଙ୍ଗୋପସାଗରରେ ଗଭୀର ଲଘୁଚାପ ହେବାର ସମ୍ଭାବନା ରହିଛି। ଏଣୁ ଆସନ୍ତା କିଛି ଦିନ ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ପ୍ରବଳ ବେଗରେ ପବନ ବହିପାରେ ବୋଲି ଅନୁମାନ କରାଯାଉଛି।
ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଯେକୌଣସି ପ୍ରକାର ସମ୍ଭାବ୍ୟ ଜରୁୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଜିଲ୍ଲାପାଳଙ୍କ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡି ପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ପୂର୍ବରୁ ମଞ୍ଜୁର ହୋଇଥିବା ସମସ୍ତ ପ୍ରକାର ଛୁଟିକୁ ସେପ୍ଟେମ୍ବର ୨୮ ପର୍ଯ୍ୟନ୍ତ ବାତିଲ କରାଯାଇଛି।
ଏହି ନିର୍ଦ୍ଦେଶନାମାକୁ ଅବମାନନା କଲେ ସଂପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।