ବଲାଙ୍ଗିର, ୧୮/୯ : ଆରମ୍ଭ ହେଲାଣି ଦାଦନ ଋତୁ। ଏବେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଶ୍ରମିକ ଚାଲାଣ ହେବ । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । ପଶ୍ଚିମ ଓଡ଼ିଶାର ବଲାଙ୍ଗିର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ବିଭିନ୍ନ ଷ୍ଟେସନ ଉପରେ କଡ଼ା ନଜର ରଖିବାକୁ କୁହାଯାଇଛି । ରାଜ୍ୟର ସର୍ବାଧିକ ଦାଦନ ଚାଲାଣ ହେଉଥିବା ବଲାଙ୍ଗିର ଓ ନୂଆପଡ଼ାର ୭ଟି ଷ୍ଟେସନ ଚିହ୍ନଟ କରାଯାଇଛି । ତନ୍ମଧ୍ୟରୁ କେବଳ ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼, ମୁରିବାହାଲ, କଣ୍ଟାବାଞ୍ଜି, ରହେନଭଟା ଏବଂ ଲାଠୋର ଆଦି ୫ଟି ଷ୍ଟେସନ ରହିଛି । ସେଠାରେ ପୁଲିସ-ପ୍ରଶାସନର ଉପସ୍ଥିତିରେ ତଥା ରେଳ ବିଭାଗ କର୍ତ୍ତୃପକ୍ଷଙ୍କ ସହଯୋଗରେ ଶ୍ରମ ବିଭାଗ ଚଢ଼ଉ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  

ଗତ ୨ ତାରିଖ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପଶ୍ଚିମ ଓଡ଼ିଶାରୁ ହେଉଥିବା ଦାଦନ ଚାଲଣ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା । ଏହାକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ଶ୍ରମ ବିଭାଗ ସଚିବ ଏବଂ ଶ୍ରମ ଆୟୁକ୍ତଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ସେଥିରେ ଦର୍ଶାଯାଇଛି, ବଲାଙ୍ଗିର ସମେତ କଳାହାଣ୍ଡି, ନୂଆପଡ଼ା ଓ ବରଗଡରୁ ପ୍ରତିବର୍ଷ ଦାଦନ ସର୍ଦ୍ଦାରମାନେ ଅମାନବୀୟ ଭାବେ ହଜାର ହଜାର ସଂଖ୍ୟାକ ଶ୍ରମିକ ଚାଲାଣ କରୁଛନ୍ତି । ବେଆଇନ ଚାଲାଣ ଯୋଗୁ ଶ୍ରମିକମାନେ ଉଭୟ ଆର୍ଥିକ ଏବଂ ଶାରୀରିକ କ୍ଷତି ମଧ୍ୟ ସହୁଛନ୍ତି । ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଲା ଅପେକ୍ଷା ବଲାଙ୍ଗିର ଓ ନୂଆପଡ଼ାରୁ ସର୍ବାଧିକ ଦାଦନ ଚାଲାଣ ହେଉଛି । ତେଣୁ ନୂଆପଡ଼ା ଜିଲ୍ଲାର ନୂଆପଡ଼ା, ଖରିଆରରୋଡ୍‌ ଷ୍ଟେସନ, ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ, ମୁରିବାହାଲ, କଣ୍ଟାବାଞ୍ଜି, ରହେନଭଟା ଏବଂ ଲାଠୋର ଷ୍ଟେସନରେ ଚଢ଼ଉ କରିବାକୁ କୁହାଯାଇଛି ।  

ଉଲ୍ଲେଖଯୋଗ୍ୟ, ଦାଦନ ଚାଲାଣ ବଲାଙ୍ଗିର ଜିଲ୍ଲାରେ ନିତିଦିନିଆ ପ୍ରସଙ୍ଗ ପାଲଟିଛି । ପ୍ରତିବର୍ଷ ଭଳି ଏଥର ମଧ୍ୟ ରାଜ୍ୟବାହାରୁ ଇଟାଭାଟି ମାଲିକମାନେ କଣ୍ଟାବାଞ୍ଜି ଆସି ସର୍ଦ୍ଦାରମାନଙ୍କ ଜରିଆରେ ବଇନା ଦେଇ ଦାଦନ ଚାଲାଣ ଆରମ୍ଭ କରିଦେଲେଣି । ବିଶେଷ କରି ତୁରେକେଲା ବ୍ଲକର ଝରନୀ, କମେଇମୁଣ୍ଡା, ବେଲପଡ଼ା ବ୍ଲକର କାନୁଟ, ସୁଲେକେଲା ଏବଂ ବଙ୍ଗୋମୁଣ୍ଡା ଅଞ୍ଚଳର ଶ୍ରମିକମାନେ ଯାହାର ଚାଷବାସ ନାହିଁ, ସେମାନେ ପ୍ରଥମ ପର୍ଯ୍ୟାୟରେ ବାଙ୍ଗାଲୋରକୁ ବୁହା ହୋଇଛନ୍ତି । ପ୍ରତିବର୍ଷ ଦଶହରା ଓ ଦୀପାବଳି ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଦାଦନ ଚାଲାଣ ହେଉଥିବା ବେଳେ ଡିସେମ୍ବର ଶେଷ ସୁଦ୍ଧା ତୃତୀୟ ପର୍ଯ୍ୟାୟରେ ବଳକା ଶ୍ରମିକଙ୍କୁ ବାହାର ରାଜ୍ୟକୁ ନିଆଯାଇଥାଏ । ସେଥିପାଇଁ ଦାଦନ ସର୍ଦ୍ଦାରମାନେ କଣ୍ଟାବାଞ୍ଜି, ଝରନୀ, ମୁରିବାହାଲ, ତୁରେକେଲା ଓ ଲାଠୋର ଷ୍ଟେସନ ନିକଟସ୍ଥ ଗାଁଗୁଡ଼ିକରେ ଅସ୍ଥାୟୀ ଲେବର କ୍ୟାମ୍ପ କରିଥାନ୍ତି । ଉକ୍ତ ଷ୍ଟେସନଗୁଡ଼ିକରେ ଆରପିଏଫ ମୁତୟନ ନାହାନ୍ତି କମ୍ବା ଲେବର କ୍ୟାମ୍ପ ଥିବା ଗାଁମାନଙ୍କୁ ପୁଲିସ ମଧ୍ୟ ଯାଏ ନାହିଁ । ଫଳରେ ସମ୍ପୃକ୍ତ ଷ୍ଟେସନଗୁଡ଼ିକ ଦାଦନଚାଲାଣର ପେଣ୍ଠସ୍ଥଳୀ ପାଲଟିଯାଏ । ୨୦୨୨ରେ କଣ୍ଟାବାଞ୍ଜିଠାରେ ଦାଦନ ସର୍ଦ୍ଦାରଙ୍କ ଉପରେ ପୁଲିସ ଚଢ଼ଉ କରି ସେମାନଙ୍କୁ ଜୁଆଡି ବୋଲି ଦର୍ଶାଇଥିଲା । ସେମାନଙ୍କଠାରୁ ଜବତ ଟଙ୍କା ହରଣଚାଲ କରି ପୁଲିସ ମଧ୍ୟ ବିବାଦରେ ଥିଲା । ତେଣୁ କେବଳ ରେଳ ବିଭାଗ ବା ଶ୍ରମ ବିଭାଗ ନୁହେଁ, ପୁଲିସ ଓ ପ୍ରଶାସନ ମଧ୍ୟ ସଜାଗ ରହିବା ଉପରେ ଗୁରୁତ୍ୱ ପ୍ରକାଶ ପାଇଛି ।