ନୂଆଦିଲ୍ଲୀ: ଛତିଶଗଡରେ ହୋଇଥିବା ମଦ ଦୁର୍ନିତି ଘଟଣାରେ ଭୂପେଶ ବାଗେଲଙ୍କ ପୁଅ ଚୈତନ୍ୟ ବାଗେଲଙ୍କ ବିରୁଦ୍ଧରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ED) ୭୦୦୦ ପୃଷ୍ଠାର ଚାର୍ଜଶିଟ ଦାଖଲ କରିଛି। ଚୈତନ୍ୟଙ୍କୁ ୧୮ ଜୁଲାଇରେ ଭିଲାଇ ସ୍ଥିତ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା। ED ଅଭିଯୋଗ କରିଛି ଯେ, ଚୈତନ୍ୟ ଏହି ଘୋଟାଲାରୁ ୧୬.୭୦ କୋଟି ଟଙ୍କା ପାଇବା ସହ ଏହି ଟଙ୍କାକୁ ରିଏଲ ଇଷ୍ଟେଟରେ ନିବେଶ କରିଛନ୍ତି।

ସୂଚନା ମୁତାବକ, ଚଳିତ ବର୍ଷ ମାର୍ଚ୍ଚ ମାସରେ ED ଚୈତନ୍ୟଙ୍କ ସହ ତାଙ୍କର ସମସ୍ତ ସମ୍ପର୍କୀୟଙ୍କ ଘରେ ଏକାସହିତ ଚଢ଼ାଉ କରି ୩୦ ଲକ୍ଷ ଟଙ୍କା ନଗଦ ଜବତ କରିବା ସହ ବିଭିନ୍ନ ଇଲେକ୍ଟ୍ରନିକ ଡିଭାଇସ ଓ ଦସ୍ତାବିଜ ଜବତ କରିଥିଲା। ପରେ ଜୁଲାଇ ମାସରେ ଅଧିକ ପ୍ରମାଣ ମିଳିବା ପରେ ଆହୁରି ଅଧିକ ଚଢ଼ାଉ ହୋଇଥିଲା। ଇକୋନୋମିକ ଅଫେନ୍ସ ଉଇଙ୍ଗ (EOW) ଚୈତନ୍ୟଙ୍କୁ ପଚରାଉଚୁରା ପାଇଁ ୭ ଦିନର ରିମାଣ୍ଡ ମାଗିଛି, ଯାହା ଉପରେ ମଙ୍ଗଳବାର ସ୍ପେଶାଲ କୋର୍ଟରେ ଶୁଣାଣି ହେବାନେଇ ତାରିଖ ଧାର୍ଯ୍ୟ ହୋଇଛି। ଅନ୍ୟପଟେ ଚୈତନ୍ୟଙ୍କ ଗିରଫ ବିରୋଧରେ ହାଇକୋର୍ଟରେ ଆସନ୍ତା ସେପ୍ଟେମ୍ବର ୧୯ ତାରିଖରେ ଶୁଣାଣି ହେବ।

ଏହି ଘୋଟାଲା ୨୦୧୯-୨୦୨୨ ମଧ୍ୟରେ ଭୂପେଶ ବାଗେଲଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର ସମୟରେ ହୋଇଥିବା ଅଭିଯୋଗ ରହିଛି। ଯେଉଁଥିରେ ଆନୁମାନିକ ୨୧୬୦ କୋଟି ଟଙ୍କାର ଘୋଟାଲା ହୋଇଥିବା ଜଣାପଡିଛି। ତେବେ ଏହି ମାମଲା ଆଗକୁ ରାଜନୈତିକ ଓ ଆଇନଗତ ପରିସ୍ଥିତି ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ ବୋଲି ଅନୁମାନ କରାଯାଉଛି।