ଗୋଟିଏ କାରର ସିରିଜ୍ ଦୁର୍ଘଟଣାରେ କାର୍ ଚାଳକ ଓ କାରରେ ବସିଥିବା ବ୍ୟକ୍ତିଙ୍କୁ କାବୁ କରି ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ। କାରଟି ପ୍ରଥମେ ଧରାକୋଟ ଥାନା ଅନ୍ତର୍ଗତ ବରଡ଼ାବିଲି ଗ୍ରାମ ଜାତୀୟ ରାଜପଥ ୫୯ରେ ଗୋଟିଏ ବାଇକକୁ ଧକ୍କା ଦେଇ ଚମ୍ପଟ ମାରୁଥିବାବେଳେ ସେଠାରୁ କିଛି ଦୂର ପରେ ବରଡ଼ାବାଲି ଗ୍ରାମର କାଳୁଚରଣ ଗୌଡ଼ ବୟସ ୭୦ଙ୍କୁ ବି ଧକ୍କା ଦେଇ ଫେରାର ହୋଇଯାଇଥିଲା। ଘଟଣାସ୍ଥଳରେ ଦୁଇ ବାଇକ ଚାଳକ ଧରାକୋଟ ବ୍ଲକ ଅନ୍ତର୍ଗତ ସାବା ପଞ୍ଚାୟତର ମେଣ୍ଟି ବାଉଁଶ ଗ୍ରାମର ବଳରାମ ନାୟକ(୬୦) ଓ ଡମ୍ବୁରୁ ନାୟକ(୪୦) ଗୁରୁତର ହୋଇ ପଡ଼ିଥିଲେ

ପ୍ରକାଶ ଯେ, ବଳରାମ ଓ ଡମ୍ବୁରୁ ନିଜ ଜମିର ଚାଷ କାର୍ଯ୍ୟ ପାଇଁ ବଳଦ କିଣିବା ପାଇଁ ସୋରଡ଼ା ଅଞ୍ଚଳକୁ ଯାଉଥିଲେ। ସେହିପରି ବରଡ଼ାବିଲି ଗ୍ରାମର କାଳୁଚରଣ ଗୌଡ଼ଙ୍କୁ ବି କାରଟି ଧକ୍କା ଦେବାରୁ ସେ ବି ଗୁରୁତର ହୋଇଛନ୍ତି । ପରେ କାର ଟିକୁ ଗାଁ ଲୋକେ ପିଛା କରିଥିଲେ । କାରଟି ଦ୍ରୁତଗତିରେ ଯିବାବେଳେ ସୋରଡ଼ା ଥାନା ଅନ୍ତର୍ଗତ ଲାଠିପଡ଼ା ଗ୍ରାମ ନିକଟରେ ପୁଣି ଜଣେ ସାଇକେଲ ଆରୋହିଙ୍କୁ ଧକ୍କା ଦେଇଥିଲା। ସେଠାରେ ଗାଁ ଲୋକେ କାରଟିକୁ ଅଟକାଇ ଡ୍ରାଇଭର ଓ ସହଯୋଗୀକୁ ନିର୍ଦ୍ଧୁମ ଛେଚିଲା ପରେ ସୋରଡ଼ା ପୋଲିସରେ ଜିମା ଦେଇଛନ୍ତି । ଅନ୍ୟପଟେ ବଳରାମ ନାୟକଙ୍କ ଧରାକୋଟ ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଥିବାବେଳେ ୧୦୮ଆମ୍ବୁଲାନ୍ସ ଦୁଇ ଘଣ୍ଟା ବିଳମ୍ବରେ ପହଞ୍ଚିବାରୁ ଗୁରୁତର ଡମ୍ବୁରୁଙ୍କୁ ଦୁଇ ଘଣ୍ଟା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଖବରପାଇ ଦୁର୍ଘଟଣାସ୍ଥଳରେ ଧରାକୋଟ ଅଗ୍ନିଶମ ବିଭାଗ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଥିବାବେଳେ ଦୁର୍ଘଟଣାଗ୍ରସ୍ତ ବାଇକ୍କୁ ଧରାକୋଟ ପୁଲିସ ଜବତ କରିଛି ।

ଅନ୍ୟପଟେ କାର ଡ୍ରାଇଭର ଭୁବନେଶ୍ୱର ସୁନ୍ଦରପଦାର ଶ୍ରୀତମ ସାହୁ ଓ  ଅନିଲ ପାହାଡ଼ ସିଂଙ୍କୁ ଦୁର୍ଘଟଣା ଘଟାଇଥିବା କାର୍ ସହ ସୋରଡ଼ା ପୁଲିସ ଧରାକୋଟ ପୋଲିସକୁ ହସ୍ତାନ୍ତର କରିଛି । କାରକୁ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଧରାକୋଟ ପୋଲିସ ଅଟକ ରଖିଛି । ଜାତୀୟ ରାଜପଥ ୫୯ର କାଳଷଣ୍ଢପୁରଠାରୁ ଖାରି ଗୁମ୍ମା ପର୍ଯ୍ୟନ୍ତ ପ୍ରାୟ ୨୦କିମି ରାସ୍ତା ଦୁର୍ଘଟଣା ପ୍ରବଣ ହୋଇ ପଡ଼ିଛି । ଜାତୀୟ ରାଜପଥ ପଦାଧିକାରୀଙ୍କ ଦାୟିତ୍ଵ ହୀନତା ଓ ଖାମ ଖିଆଲି ମନୋଭାବ ଯୋଗୁଁ ଏହି ରାସ୍ତାରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ମାନ ଘଟି ଜୀବନ ହାନି ହେଉଛି । ପ୍ରକାଶ ଯୋଗ୍ୟ ଗତ ଶନିବାର ଜାତୀୟ ରାଜପଥ ୫୯ର ହନୁମାନ ଦ୍ଵାର ଓ ମୁଣ୍ଡମରାଇ ମଝି ରାସ୍ତାରେ ଜଣେ ଅବସର ପ୍ରାପ୍ତ ପୋଷ୍ଟ ମାଷ୍ଟର ବନମାଳି ଗୌଡ଼ ନିଜ ସ୍କୁଟିରେ ନିଜ ଗ୍ରାମ ଜାନବିଲୀକୁ ଫେରୁଥିଲେ । ଏହି ସମୟରେ ଦ୍ରୁତ ଗତିରେ ବେପରୁଆ ଭାବେ ବାଇକରେ ଆସୁଥିବା ୩ ଜଣ ଆରୋହୀ ତାଙ୍କୁ ପଛପଟୁ ଧକ୍କା ଦେଇଥିଲେ । ଫଳରେ ଗୁରୁତର ହୋଇପଡ଼ିଥିବା ବନମାଳିଙ୍କର ମୃତ୍ୟୁ ଘଟିଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ପ୍ରତିଦିନ ଜାତୀୟ ରାଜପଥ ୫୯ରେ  ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଥିଲେ ମଧ୍ୟ ବିଭାଗୀୟ ପଦାଧିକାରୀ କୌଣସି ତତ୍ପରତା ପ୍ରକାଶ କରୁନାହାନ୍ତି । ଦୁର୍ଘଟଣା ପ୍ରବଣ ଅଞ୍ଚଳରେ ନା କୌଣସି ଷ୍ଟପ୍ ବୋର୍ଡ଼ କିମ୍ବା ସୂଚନା ଫଳକ କିମ୍ବା ଗତି ନିୟନ୍ତ୍ରକ ବୋର୍ଡ଼ ଲଗାଯାଉ ନାହିଁ । ଯାହାକି ଜାତୀୟ ରାଜପଥ ବିଭାଗର ଅସହାୟତାକୁ ପଦାରେ ପକାଉଛି । ଏଣୁ ପୋଲିସ ତରଫରୁ ମଧ୍ୟ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ମଦ୍ୟପ ଚାଳକଙ୍କୁ ସାବାଡ କରିବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହେଉଛି ।