କଟକ, ୧୬/୦୯: ଓଡ଼ିଶା ପ୍ରୋ ଟି-ଟ୍ୱେଣ୍ଟି ଲିଗ୍ ଆସନ୍ତା ବୁଧବାର ଠାରୁ ବାରବାଟୀ ଷ୍ଟାଡିୟମ୍ରେ ଆରମ୍ଭ ହେବ । ଲିଗ୍ ପାଇଁ ୬ଟି ଦଳ ଚୂଡ଼ାନ୍ତ ହୋଇସାରିଛି । ଟୁର୍ଣ୍ଣାମେଣ୍ଟର ବିଜେତା ଦଳକୁ ୫୦ ଲକ୍ଷ ଓ ରନର୍ସଅପ୍ ଦଳକୁ ୨୫ଲକ୍ଷ ଟଙ୍କାର ପୁରସ୍କାର ପ୍ରଦାନ କରାଯିବ ବୋଲି ସୋମବାର ଓସିଏ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ସଞ୍ଜୟ ବେହେରା ପ୍ରକାଶ କରିଛନ୍ତି ।
ପୂର୍ବରୁ ଅଷ୍ଟ୍ରେଲିଆ ପେସ୍ ବୋଲର ବ୍ରେଟ୍ ଲି’ଙ୍କୁ ଲିଗ୍ର ବ୍ରାଣ୍ଡ୍ ଆମ୍ବାସଡ଼ର କରାଯାଇଥିଲା । କିନ୍ତୁ ତାଙ୍କ ସ୍ଥାନରେ ପୂର୍ବତନ ଅଲ୍ରାଉଣ୍ଡର ଇରଫାନ୍ ପଠାନ୍ଙ୍କ ନାମ ଘୋଷଣା କରାଯାଇଛି । ଷ୍ଟାର୍ ସ୍ପୋର୍ଟ୍ସ ଖେଲ୍ ଏବଂ ଫ୍ୟାନ୍ କୋଡ୍ରେ ପ୍ରତ୍ୟେକ ମ୍ୟାଚର ସିଧାପ୍ରସାରଣ କରାଯିବ ।
ବଲିଉଡ କଳାକାର ଚିତ୍ରାଙ୍ଗଦା ସିଂହ, ନାକାସ ଅଜିଜ, ଋତୁରାଜ ମହାନ୍ତି ପ୍ରମୁଖ ଉଦ୍ଘାଟନୀ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ରହିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଲିଗ୍ ଉଦ୍ଘାଟିତ ହେବ । ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ସଞ୍ଜୟ ରାଉଳ ମ୍ୟାଚ୍ ରେଫରୀ ଦାୟିତ୍ୱ ତୁଲାଇବେ । ଲିଗ୍ରେ ପ୍ଲେୟାର ଅଫ ଦ ମ୍ୟାଚ୍ ପୁରସ୍କାର ୧୦ହଜାର ଟଙ୍କା, ପ୍ଲେୟାର ଅଫ ଦ ସିରିଜ ପୁରସ୍କାର ୧ ଲକ୍ଷ ଟଙ୍କା, ଶ୍ରେଷ୍ଠ ବ୍ୟାଟର ଓ ଶ୍ରେଷ୍ଠ ବୋଲରଙ୍କୁ ୫୦ହଜାର ଟଙ୍କା ଲେଖାଏ ଆର୍ଥିକ ପୁରସ୍କାର ଦିଆଯିବ ।
ଗ୍ୟାଲେରୀ ନଂ-୧, ୩, ୫ ଏବଂ ୬ ଦର୍ଶକମାନଙ୍କ ପାଇଁ ଖୋଲା ରହିବ । ୧୭ ତାରିଖ ପ୍ରଥମ ମୁକାବିଲାରେ କଟକ ପାନ୍ଥର୍ସ ଓ ଭୁବନେଶ୍ୱର ଟାଇଗର୍ସ ମଧ୍ୟରେ ମୁକାବିଲା ହେବ । ସାମ୍ୱାଦିକ ସମ୍ମିଳନୀରେ ଓସିଏ କୋଷାଧ୍ୟକ୍ଷ ବିକାଶ ପ୍ରଧାନ, ସିଇଓ ସୁବ୍ରତ କୁମାର ବେହେରା ଓ ଆରିଭା ସ୍ପୋର୍ଟ୍ସ ହେଡ୍ ଅଫ ଅପରେସନ୍ ସଲମାନ ଖାନ୍ ଉପସ୍ଥିତ ଥିଲେ ।