ମୁମ୍ବାଇ,୧୮/୧୦: ହାତକୁ ଦି'ହାତ ହେଲେ 'ଦଙ୍ଗଲ' ଫେମ୍ ଅଭିନେତ୍ରୀ ଜାୟରା ୱାସିମ । ସୋସିଆଲ ମିଡିଆରେ ସେୟାର କଲେ ବିବାହ ଫଟୋ। ଜାୟରା ୨୦୧୯ ମସିହାରେ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡି ଦେଇଥିଲେ । ସେ ସିନେମା ଜଗତରୁ ଦୂରେଇ ରହିଥିବା ବେଳେ ଏବେ ସେ ତାଙ୍କ ବିବାହର ଫଟୋ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ଜାୟରା ତାଙ୍କ ସ୍ୱାମୀଙ୍କ ସହ ତାଙ୍କର ସୁନ୍ଦର ଫଟୋ ମଧ୍ୟ ସେୟାର କରି ବିବାହ କରିଥିବା ଖୁସି ଖବର ଦେଇଛନ୍ତି । ଏନେଇ ତାଙ୍କୁ ଫ୍ୟାନ୍ସଙ୍କଠାରୁ ଶୁଭେଚ୍ଛାର ସୁଅ ଛୁଟୁଛି।
ତେବେ ଜାୟରା ବିବାହ ଫଟୋରେ ତାଙ୍କର କିମ୍ବା ତାଙ୍କ ସ୍ୱାମୀଙ୍କ ମୁହଁ ଦେଖାଇ ନାହାଁନ୍ତି,କିନ୍ତୁ ସେମାନେ ବିବାହ ପ୍ରମାଣପତ୍ରରେ ସ୍ୱାକ୍ଷର କରୁଥିବାର ଦେଖାଯାଇଛି । ଏହି ଫଟୋଗୁଡ଼ିକରେ ଜାୟରାଙ୍କୁ ମେହେନ୍ଦି ଲଗାଯାଇଥିବା ହାତ,ତାଙ୍କ ବିବାହ ମୁଦି ସହ ଦେଖାଯାଉଛି । ଜାୟରା ତାଙ୍କର ନୂଆ ଜୀବନ ଆରମ୍ଭ କରିଛନ୍ତି । ତେବେ ଜାୟରା ତାଙ୍କ ଜୀବନ ସାଥୀଙ୍କ ବିଷୟରେ କୌଣସି ବିବରଣୀ ପ୍ରକାଶ କରିନାହାଁନ୍ତି । ସେ ନିଜ ପୋଷ୍ଟର କ୍ୟାପସନ୍ ଦେଇଛନ୍ତି,“କୁବୁଲ୍ ହେ x୩।” ଜାୟରା ୨୦୧୬ରେ ଆମୀର ଖାନଙ୍କ ଫିଲ୍ମ ଦଙ୍ଗଲରେ ଆମୀର ଖାନଙ୍କ ଝିଅ ମଲ୍ଲଯୋଦ୍ଧା ଗୀତା ଫୋଗତଙ୍କ ଭୂମିକାରେ ଅଭିନୟ କରିଥିଲେ । ଦଙ୍ଗଲ ଭାରତୀୟ ସିନେମାର ସର୍ବାଧିକ ଆୟକାରୀ ଫିଲ୍ମ ମଧ୍ୟରୁ ଗୋଟିଏ ଏବଂ ଏଥିପାଇଁ ସେ ଜାତୀୟ ପୁରସ୍କାର ପାଇଥିଲେ । ୨୦୧୭ରେ ଜାୟରା ପୁଣି ଥରେ ଆମୀର ଖାନଙ୍କ ସହ ଧମାଲ କରିଥିଲେ । ଆମୀର ତାଙ୍କୁ ତାଙ୍କ ଫିଲ୍ମ 'ସିକ୍ରେଟ୍ ସୁପରଷ୍ଟାର'ରେ ନେଇଥିଲେ, ଯେଉଁଠାରେ ସେ ଜଣେ ଗାୟିକା ହେବାକୁ ଆକାଂକ୍ଷୀ କିଶୋରୀ ଚରିତ୍ରରେ ଅଭିନୟ କରିଥିଲେ । ଯାହା ସର୍ବକାଳୀନ ସର୍ବାଧିକ ଆୟକାରୀ ଫିଲ୍ମ ମଧ୍ୟରେ ଅନ୍ୟତମ । ତାଙ୍କର ଶେଷ ଚଳଚ୍ଚିତ୍ର, ଦ ସ୍କାଏ ଇଜ୍ ପିଙ୍କ୍ , ଯେଉଁଥିରେ ପ୍ରିୟଙ୍କା ଚୋପ୍ରା ଏବଂ ଫରହାନ ଅଖତରଙ୍କ ସହ ଅଭିନୟ କରିଥିଲେ, ତାଙ୍କର ଛୋଟ କିନ୍ତୁ ପ୍ରଭାବଶାଳୀ ଅଭିନୟ ଯାତ୍ରାର ଅନ୍ତ ଘଟିଥିଲା ।