ଭୁବନେଶ୍ୱର, ୨୬/୧୦: କୋରାପୁଟ୍ କଫିକୁ ଭୁରି ଭୁରି ପ୍ରଶଂସା । ରେଡିଓ ଭିତ୍ତିକ କାର୍ଯ୍ୟକ୍ରମ ମନ୍ କି ବାତ୍ ରେ ଲୋକପ୍ରିୟତା ବଖାଣିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି,  କୋରାପୁଟ୍ କଫି ଅତ୍ୟନ୍ତ ସ୍ବାଦିଷ୍ଟ । ଏହା ଓଡ଼ିଶାର ଗୌରବ ।  ମନ୍ କି ବାତର ୧୨୭ତମ ଭାଗରେ ପିଏମ୍ ମୋଦୀଙ୍କ ଏଭଳି ପ୍ରଶଂସା ପରେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏକ୍ସରେ ଏ ସମ୍ପର୍କରେ ଉଲ୍ଲେଖ କରି କହିଛନ୍ତି, କୋରାପୁଟ କଫି ଅତ୍ୟନ୍ତ ସୁସ୍ୱାଦୁ, ଏହା ଓଡ଼ିଶାର ଗୌରବବୋଲି ପ୍ରଧାନମନ୍ତ୍ରୀ ମୋଦୀ ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଛନ୍ତି । କୋରାପୁଟ୍ କଫି ଚାଷ, ଆମର ଚାଷୀ ଭାଇ ଭଉଣୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ସହ ଓଡ଼ିଶାକୁ ନୂଆ ପରିଚୟ ଦେଇଛି । ଏହା ଆମର ଜନଜାତି କୃଷକଙ୍କ ପରିଶ୍ରମ ଏବଂ ଓଡ଼ିଶାର ସମୃଦ୍ଧ କୃଷିକୁ ସଠିକ୍ ସମ୍ମାନ । ଏହା  ଆମ ଚାଷୀମାନଙ୍କ ପାଇଁ ଅତ୍ୟନ୍ତ ପ୍ରେରଣାଦାୟୀ । ସ୍ଥାନୀୟ ଉତ୍ପାଦ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୋତ୍ସାହନ ଭୋକାଲ୍ ଫର୍ ଲୋକାଲ୍ ଏବଂ ଆତ୍ମନିର୍ଭର ଓଡ଼ିଶା ଓ ଆତ୍ମନିର୍ଭର ଭାରତର ଦିଗରେ ସଶକ୍ତ ପଦକ୍ଷେପ ।  

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଜୁଲାଇ ମାସରେ କୋରାପୁଟ୍ ଗସ୍ତ ସମୟରେ ସେଠାକାର କଫି ଗାର୍ଡେନ ପରିଦର୍ଶନ ସହ ଚାଷରେ ନିୟୋଜିତ ଅଧିକାରୀ ଏବଂ ଚାଷୀମାନଙ୍କ ସହ ଆଲୋଚନା କରିବା ଉପରେ ମଧ୍ୟ ଉଲ୍ଲେଖ କରିଛନ୍ତି । ସେ ଆହୁରି କହିଛନ୍ତିବିଶ୍ୱ ବଜାରରେ କୋରାପୁଟ କଫିର ଚାହିଦା ବଢୁଛି ଏବଂ ବର୍ତ୍ତମାନ ଏହା ଏକ ଲାଭଦାୟକ ଚାଷରେ ପରିଣତ ହୋଇଛି । ବିଶ୍ୱରେ 'ବ୍ରାଣ୍ଡ୍ କୋରାପୁଟ୍'ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଆମେ ସମସ୍ତେ ମିଶି ଏହି ଉତ୍କୃଷ୍ଟ କଫିର ଉତ୍ପାଦନ ବୃଦ୍ଧି ଦିଗରେ ସାମୂହିକ ପ୍ରୟାସ କରିବା ଉଚିତ୍।

ଏହାବ୍ୟତୀତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଅକ୍ଟୋବର ୩୧ରେ ଆୟୋଜିତ ରନ୍ ଫର୍ ୟୁନିଟିରେ ସାମିଲ ହେବାକୁ ଶ୍ରୀ ପ୍ରଧାନ ଆହ୍ୱାନ ଦେଇଛନ୍ତି । ଏହାଛଡ଼ା ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିବା ବନ୍ଦେ ମାତାରମ ରଚନା ଉପରେ ମଧ୍ୟ ସେ ଏକ୍ସରେ ଉଲ୍ଲେଖ କରିଛନ୍ତି ।