ମାଲକାନଗିରି, ୨୫/୯(ଆପ୍ର ) : ୫ କେଜି ଚାଉଳ ପାଇଁ ହୁଇଲ ଚେୟାର ଚଲାଇ ଦୀର୍ଘ ୬ କିଲୋମିଟର ଯାଉଛନ୍ତି ଭିନ୍ନକ୍ଷମ ବୃଦ୍ଧା ସୁନାମଣୀ। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସିନ୍ଦ୍ରିମାଳ ପଞ୍ଚାୟତ ଚମ୍ପାଖରୀ ଗ୍ରାମରେ।
ସୁନାମଣୀ ରାଜୁ (୭୮) ଜଣେ ବିଧବା ଗରିବ ବୃଦ୍ଧା । ସ୍ୱାମୀ ତ୍ରିନାଥ ରାଜୁଙ୍କ ଦୀର୍ଘ ବର୍ଷ ତଳେ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁ ପରେ ପୁଅ ରମେଶର ପାଠପଢାରେ ଡୋରି ବନ୍ଧା ହୋଇଗଲା। ଜାତୀୟ ରାଜପଥ ପାର୍ଶ୍ଵରେ ବୃଦ୍ଧା ସୁନାମଣୀ ଫୁଲ ହାର ବିକ୍ରୀ କରିଥାନ୍ତି। ପୁଅ କୁଲି ମଜୁରୀ କରିଥାଏ। ସେଥିରୁ ଯାହା ରୋଜଗାର ହୋଇଥାଏ ପରିବାର ଲୋକ ବହୁ ଦୁଃଖ କଷ୍ଟରେ ଚଳି ଯାଉଥିଲେ। ନାତୁଣୀ ସୁଭଦ୍ରା ରାଜୁ (୧୦) ଜଣେ ହୃଦରୋଗୀ ଓ ସାନ ନାତୁଣୀ ନମିତା (୮)ଜଣେ ସିକିଲିନ ରୋଗୀ । ବୋଝ ଉପରେ ନଳିତା ବିଡା ଲଦି ହେଲା ପରି ଗତ ୪ ବର୍ଷ ତଳେ ବୃଦ୍ଧା ପଡ଼ି ଯାଇ ତାଙ୍କ ଅଣ୍ଟା ଓ ଗୋଡରେ ଆଘାତ ଲାଗିଥିଲା। ସେହି ଦିନ ଠାରୁ ଆଉ ଚଲା ବୁଲା କରି ପାରିଲେ ନାହିଁ । ସବୁଦିନ ପାଇଁ ଭିନ୍ନକ୍ଷମ ହୋଇଗଲେ।
ସରକାରଙ୍କ ପକ୍ଷରୁ ବୃଦ୍ଧାଙ୍କୁ କେବଳ ହୁଇଲ ଚେୟାର,ଭତ୍ତା ବାବଦକୁ ମାତ୍ର ହଜାରେ ଟଙ୍କା ଓ ୫ କେଜି ଚାଉଳ ମିଳୁଛି। ଚାଉଳ ଓ ଭତ୍ତା ଟଙ୍କା ପାଇଁ ପରିଣତ ବୟସରେ ବୃଦ୍ଧାଙ୍କୁ ହୁଇଲ ଚେୟାରରେ ବସି ଦୀର୍ଘ ୬ କିଲୋମିଟର ରାସ୍ତା ଯିବାକୁ ପଡିଥାଏ। ବୃଦ୍ଧାଙ୍କ ହାତ ଗୋଡ ଚାଲୁ ନଥିବାରୁ ତାଙ୍କୁ ହୁଇଲ ଚେୟାରରେ ବସାଇ ପୁଅ ହାତରେ ଠେଲି ଠେଲି ଦୀର୍ଘ ୬ କିଲୋମିଟର ରାସ୍ତା ଖରା ଓ ବର୍ଷାରେ ଚାଲି ଚାଲି ଯାଇ ସିନ୍ଧିରିମାଳ ପଞ୍ଚାୟତରେ ପହଁଞ୍ଚିଥାଏ। କିନ୍ତୁ ଚାଉଳ ଥରକରେ ମିଳେ ନାହିଁ, ଇଣ୍ଟରନେଟ ଫେଲ ଥିଲେ ବାରମ୍ବାର ଯିବାକୁ ପଡିଥାଏ। ବୃଦ୍ଧାଙ୍କ ପ୍ରକୃତ ବୟସ ପ୍ରାୟ ୮୦ ବର୍ଷ ହୋଇଥିଲେ ମଧ୍ୟ ପୂର୍ବ ପରି ମାତ୍ର ହଜାରେ ଟଙ୍କା ଭତ୍ତା ମିଳୁଛି। ଭିନ୍ନକ୍ଷମ ଥିଲେ ମଧ୍ୟ ତାଙ୍କ ପ୍ରତି କାହାର ଦୟା ଟିକେ ନାହିଁ ବୋଲି ସୁନାମଣି କହିଛନ୍ତି।
ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରାଙ୍କୁ ପଚାରିବାରୁ ସେ କହିଥିଲେ ଏ ସମ୍ପର୍କରେ ବର୍ତ୍ତମାନ ଜାଣିଲି। ତୁରନ୍ତ ଏହାର ତଦନ୍ତ କରି ବୃଦ୍ଧାଙ୍କ ନିକଟରେ କିପରି ପିଡ଼ିଏସ ଚାଉଳ ଠିକ ସମୟରେ ପହଁଚିବ ଓ ତାଙ୍କୁ ଆଉ ହୁଇଲ ଚେୟାରରେ ପଞ୍ଚାୟତକୁ ଯିବାକୁ ପଡିବ ନାହିଁ ସେଥିପ୍ରତି ବ୍ୟବସ୍ଥା କରିବା ପାଇଁ ବିଭାଗ ପକ୍ଷରୁ ଚେଷ୍ଟା କରାଯିବ ବୋଲି କହିଛନ୍ତି।