ଠାକୁରମୁଣ୍ଡା,୮/୧୧ : ମୃତ୍ୟୁ ବି ଏମିତି ଆସେ l ଘରୁ ବାହାରି କାମକୁ ଯିବା ବାଟରେ ଅକସ୍ମାତ ଚାଲିଗଲା ଜୀବନ l ଉଜୁଡ଼ିଗଲା ସଂସାର l ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଠାକୁରମୁଣ୍ଡାରୁ ୫ କିମି ଦୂର ୫୩ନଂ ରାଜ୍ଯ ରାଜପଥ ଠାକୁରମୁଣ୍ଡା ଆନନ୍ଦପୁର ରାସ୍ତାର ତରାମରା ଠାରେ ଘଟିଛି । କାର୍ ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଗୌତମ ଦଳେଇ (୩୩) ।
ସୂଚନା ଅନୁସାରେ, ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ତରାମରା ପଞ୍ଚାୟତର ଗିରିଧାରୀ ଦଳେଇଙ୍କ ଏକମାତ୍ର ପୁଅ ଗୌତମ ବାହାରେ ରହି ଟ୍ରକ୍ ଡ୍ରାଇଭର ଭାବେ କାମ କରନ୍ତି । ଗୌତମ ଆଜି ଘରୁ ଯାଇ କାର୍ଯ୍ୟରେ ଯୋଗଦେଇଥାନ୍ତେ । ବସ୍ ଆସିବା ସମୟ ହୋଇଯିବାରୁ ଧାନ କାଟୁଥିବା ଜଣେ ଚାଷୀ ପାଖରୁ ସାଇକେଲଟିଏ ମାଗି ଘରକୁ ବ୍ୟାଗ ଆଣିବାକୁ ଯାଇଥିଲେ । ଦିନ ୧୨.୩୦ରେ ଘରୁ ବ୍ଯାଗ ଧରି ସାଇକେଲ ଫେରାବାକୁ ୫୩ ନଂ ରାଜ୍ଯ ରାଜପଥରେ ଯାଉଥିବା ବେଳେ ଠାକୁରମୁଣ୍ଡା ପଟୁ ଭୁବନେଶ୍ବର ଯାଉଥିବା କଳା ରଙ୍ଗର ଟାଟା ନେକ୍ସନ କାର ସାଇକେଲ ସହ ଗୌତମକୁ ଧକ୍କା ଦେଇ ଘୋଷାରି ନେଇଥିଲା।
ଫଳରେ ଗୌତମର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଧକ୍କା ଦେଇ କାର ଚାଳକ ଗାଡ଼ି ଛାଡି ଫେରାର ହୋଇ ଯାଇଥିଲା। ଖବରପାଇ ଠାକୁରମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଅଗ୍ନିଶମ ବିଭାଗ ଗାଡ଼ିରେ ଠାକୁରମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ଯକେନ୍ଦ୍ରକୁ ଆଣିବା ସହ କାରକୁ ଜବତ କରି ଥାନାକୁ ଆଣି ତଦନ୍ତ ଆରମ୍ଭ କରିଛି।