ଭୁବନେଶ୍ୱର,୧୨/୧୦: ରାଜଧାନୀରେ ଟ୍ରାଫିକ୍‌ ଭିଡରୁ ନିସ୍ତାର ମିଳିବ । ଘଣ୍ଟା ଘଣ୍ଟା ଆଉ ଲମ୍ବା ଲାଇନ୍‌ରେ ଛିଡ଼ା ହେବାକୁ ପଡିବ ନାହିଁ । ଝୁଲନ୍ତା ଅବସ୍ଥାରେ ଲୋକେ ଯିବେ । ପ୍ରଥମ କରି ଭୁବନେଶ୍ୱରରେ ପୋଡ୍‌ କାର(ଝୁଲନ୍ତା କାର) ଚାଲିବ । ଏହି ସେବା ଯୋଗାଇ ଦେବା ପାଇଁ ଆରମ୍ଭ ହୋଇଛି ଆଲୋଚନା । ଗୁଜୁରାଟସ୍ଥିତ ଏକ ଘରୋଇ ସଂସ୍ଥା ଆଜି ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କ ନିକଟରେ ପ୍ରସ୍ତାବ ଉପସ୍ଥାପନ କରିଥିବା ସୂଚନା ମିଳିଛି । ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରସ୍ତାବିତ ପୋଡ୍‌ କାର ପରିବହନ ସଂକ୍ରାନ୍ତରେ ବିସ୍ତୃତ ବିବରଣୀ ଉପସ୍ଥାପନ କରାଯାଇଛି ।

ଏହି ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହପାତ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢୀ, ସ୍ୱତନ୍ତ୍ର ସଚିବ ରାଜେଶ ପ୍ରଭାକର ପାଟିଲ, କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ଏନ୍‌ ଥିରୁମାଲା ନାୟକ, ବିଏମ୍‌ସି କମିଶନର ଚଞ୍ଚଳ ରଣା ପ୍ରମୁଖ ଉପସ୍ଥିତ ଥିଲେ  । ଫୁଟ୍ରନ ସଂସ୍ଥା ବର୍ତ୍ତମାନ ଗୁଜରାଟର ଭଡୋଦରାରେ ଖମ୍ବରେ ଝୁଲନ୍ତା ଭାବେ ଚାଲୁଥିବା ପୋଡ୍‌ କାର ପରିବହନ କାର୍ଯ୍ୟ ହାତକୁ ନେଇଥିବା ବେଳେ ର୍ନିମାଣ କାର୍ଯ୍ୟ ଆଗେଇ ଚାଲିଛି । ଏହି ଯାନଗୁଡିକ ବ୍ୟାଟେରୀ ଚାଳିତ ଓ ସ୍ୱୟଂକ୍ରିୟ ହୋଇଥିବାରୁ ଏହା ଶତ ପ୍ରତିଶତ ପରିବେଶ ଅନୁକୂଳ ଅଟେ । ଖମ୍ବ ତଳେ ଝୁଲନ୍ତା ଭାବେ ଯାତାୟତ କରିବାକୁ ଥିବା ପ୍ରତ୍ୟେକ ବ୍ୟାଟେରୀ ଚାଳିତ ପୋଡ୍‌ କାର୍‌ ୨୦ ଜଣ ବ୍ୟକ୍ତିଙ୍କୁ ପରିବହନ କରିବାର କ୍ଷମତା ରଖିଛି । ଏହାର ବେଗ ଘଣ୍ଟା ପ୍ରତିପ୍ରତି ୬୦ ରୁ ୭୦ କିଲୋମିଟର ରହିବ ଏବଂ ପ୍ରତି ଘଣ୍ଟାରେ ୧୫ହଜାର ଯାତ୍ରୀ ପରିବହନ କରିପାରିବ ।

କୌଣସି ସ୍ଥାନରେ ଗୋଟିଏ ଯାନ ଦୁର୍ଘଟଣାର ସମ୍ମୁଖୀନ ହେଲେ ଆଉ ଗୋଟିଏ ଯାନ ତୁରନ୍ତ ସେଠାରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିପାରିବାର ବ୍ୟବସ୍ଥା ରହିଛି । ମେଟ୍ରୋ ରେଳ ଭଳି ଏହି ପରିବହନ ଯାନ ପାଇଁ ଷ୍ଟେସନ ସୁବିଧା ରହିବ । ପ୍ରତ୍ୟେକ ଷ୍ଟେସନର ଲମ୍ବ ଅତି କମ୍‌ରେ ୪୦ ମିଟର ରହିବ । ସେହିଠାରୁ ହିଁ ଯାତ୍ରୀମାନେ ଏହି ଯାନରେ ଚଢ଼ି ନିଜ ନିଜର ଗନ୍ତବ୍ୟସ୍ଥଳକୁ ସହଜରେ ଯାଇପାରିବେ । ଏଥିପାଇଁ ବିଦ୍ୟୁତ୍‌ କିମ୍ବା ଅନ୍ୟାନ୍ୟ ଇନ୍ଧନର କୌଣସି ଆବଶ୍ୟକ ରହିବନାହିଁ । ପୋଡ୍‌ କାର୍‌ ଗୁଡିକ ନିୟମିତ ସମୟ ବ୍ୟବଧାନରେ ପଛକୁ ପଛ ହୋଇ ଚଳାଚଳ କରୁଥିବାରୁ ଏଥିପାଇଁ ଯାତ୍ରୀଙ୍କୁ ଅଧିକ ସମୟ ଅପେକ୍ଷା କରିବାକୁ ବି ପଡ଼ିବ ନାହିଁ  । ଫୁଟ୍ରନ ସଂସ୍ଥା ଆଜି ପୋଡ୍‌ କାର୍‌ ପରିବହନ ନେଇ ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିବା ବେଳେ ଏହାର ବିଭିନ୍ନ ଦିଗ ଉପରେ ସରକାର ତର୍ଜମା କରୁଛନ୍ତି । ଯଦି ସରକାର ସବୁଜ ସଙ୍କେତ ପ୍ରଦାନ କରିବେ ତେବେ ରାଜ୍ୟ ରାଜଧାନୀରେ ବିଦେଶୀ ଢାଞ୍ଚାରେ ସହରାଞ୍ଚଳ ପରିବହନ ସେବା ପାଇପାରିବେ ।