ଭୁବନେଶ୍ୱର,୭/୧୧ : ଜିଏସ୍ଟି ଇଣ୍ଟେଲିଜେନ୍ସ ମହା ନିର୍ଦ୍ଦେଶାଳୟ(ଡିଜିଜିଆଇ), ଭୁବନେଶ୍ୱର ଶାଖା ୟୁନିଟ୍କୁ ମିଳିଛି ସଫଳତା। ୩୨୫କୋଟିରୁ ଅଧିକ ଜିଏସଟି ଠକେଇର ମାଷ୍ଟରମାଇଣ୍ଡ ନୀଳେଶ ଯୋଗେଶ ଜଗିୱାଲା ଗିରଫ ହୋଇଛି । ଗିରଫ ନୀଳେଶ ପ୍ରାୟ ୧୦୫ନିଷ୍କ୍ରିୟ କମ୍ପାନୀ ଗଢ଼ି କାଗଜ କଲମରେ ପରିଚାଳନା କରୁଥିଲା । ଏହି ସଂସ୍ଥା ମାଧ୍ୟମରେ ଇନପୁଟ ଟ୍ୟାକ୍ସ କ୍ରେଡ଼ିଟ(ଆଇଟିସି) ଜରିଆରେ ଜିଏସଟି ପାଣ୍ଠି ଲୁଟୁଥିଲା । ଦୁଇ ଦିନ ତଳେ ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢ଼ଉ କରି ଡିଜିଜିଆଇ ନୀଳେଶକୁ ଗିରଫ କରିଛି ।
ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ, ନୀଳେଶ ନକଲି ପରିଚୟ ଓ କାଗଜପତ୍ର ବ୍ୟବହାର କରି ଏକାଧିକ ଫାର୍ମ ପଞ୍ଜୀକରଣ କରିଥିଲା । ଏଥିରେ ଡମି ନିର୍ଦ୍ଦେଶକମାନଙ୍କୁ ନିଯୁକ୍ତ କରିଥିଲା । ବିଭିନ୍ନ କମ୍ପାନୀର ନକଲି ସିଲ, ଜିଏସ୍ଟି ପଞ୍ଜୀକରଣ ସହ ଜଡ଼ିତ ଏକାଧିକ ମୋବାଇଲ ଫୋନ ଏବଂ ସିମ୍ କାର୍ଡ, ଡିଜିଟାଲ ରେକର୍ଡ, ବ୍ୟାଙ୍କ ଆକାଉଣ୍ଟ ବିବରଣୀ ମଧ୍ୟ ମିଳିଛି । ପୂର୍ବରୁ ଗତ ୧୭ଅକ୍ଟୋବରରେ ମହାରାଷ୍ଟ୍ରର ପୁଣେର ଜଣେ ମହିଳାଙ୍କୁ ଗିରଫ କରିଥିଲା ଡିଜିଜିଆଇ । ପ୍ରାଥମିକ ତଦନ୍ତରୁ ଜଣାପଡ଼ୁଛି ଏହି ମହିଳା ନୀଳେଶର ନିକଟତମ ସହଯୋଗୀ । ଏହି ଜିଏସଟି ଠକେଇ ନେଟୱର୍କର ସେ ଅନ୍ୟତମ ସହଯୋଗୀ ।