ଭୁବନେଶ୍ବର,୨୯/୧୦ : କବି ତଥା ରାଜନେତା ଶଙ୍କର ପରିଡ଼ା ଫୁସ୍ଫୁସ୍ କର୍କଟରେ ପୀଡ଼ିତ ହୋଇ ସଂପ୍ରତି ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିବାବେଳେ ରାଜ୍ୟ ସରକାର ତାଙ୍କର ସମସ୍ତ ଦାୟିତ୍ବ ବହନ କରନ୍ତୁ ବୋଲି ଦାବି କରିଛି 'ଓଡ଼ିଶା ପ୍ରକାଶକ ସଂଘ'। ଆଜି ସଂଘର ଏ ନେଇ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଶ୍ରୀ ପରିଡ଼ାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି । ରାଜ୍ୟର ଲେଖକ, ପ୍ରକାଶକ ଓ ପାଠକଗଣ ଶ୍ରୀ ପରିଡ଼ାଙ୍କ ପାଇଁ ଏକଜୁଟ ହେବା ଲାଗି ସଂଘ ନିବେଦନ କରିଛି । ଏ ନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ମଧ୍ୟ କରାଯାଇଛି।
ସୂଚନାଯୋଗ୍ୟ ଯେ, ଶଙ୍କର ପରିଡ଼ା ଜଣେ ପ୍ରସିଦ୍ଧ କବି ଏବଂ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା । ପୂର୍ବରୁ କର୍କଟ ପୀଡ଼ିତ ହୋଇ ସେ ମୁମ୍ବାଇରେ ଚିକିତ୍ସିତ ହୋଇ ଫେରିଥିଲେ । ଏବେ ପୁଣି ତାଙ୍କର ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଏବଂ ପରେ ତାଙ୍କୁ ଭୁବନେଶ୍ବର ଏମ୍ସରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ସଂପ୍ରତି ସଂକଟାପନ୍ନ ରହିଛି । ଶ୍ରୀ ପରିଡ଼ାଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ଦାୟିତ୍ବ ସରକାର ନିଅନ୍ତୁ ବୋଲି ସଂଘ ଦାବି ରଖିଛି ।