ନୂଆଦିଲ୍ଲୀ : ଇତିହାସର ସବୁଠୁ ବଡ଼ ଡ୍ରଗ୍ସ ସାମ୍ରାଜ୍ୟ। ରାକେଟ୍ ଚଳାଉଥିଲେ ଜଣେ ୧୮ ବର୍ଷୀୟା ମହାରାଣୀ। ନିଶା ପ୍ରତି ଥିଲା ଅହେତୁକ ଦୁର୍ବଳତା। ଅଫିମ, କୋକେନ, ଭାଙ୍ଗ, କ୍ଲୋରୋଫର୍ମରୁ ଆରମ୍ଭ ହେଉଥିଲା ଦୀନଚର୍ଯ୍ୟା। ଋତୁସ୍ରାବ କଷ୍ଟରୁ ଉପଷମ ପାଇଁ ନେଉଥିଲେ ଗଞ୍ଜେଇର ସାହାରା। ପ୍ରସବ ଯନ୍ତ୍ରଣା କମ୍ ପାଇଁ କରୁଥିଲେ କ୍ଲୋରୋଫର୍ମ ସେବନ। ଦେଶର ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଇଥିଲା ରାଣୀଙ୍କ ଏହି ବଦଭ୍ୟାସ। ମହାଦେଶମାନଙ୍କୁ ବ୍ୟାପିଥିଲା ରାଣୀଙ୍କ ଅଫିମ ସାମ୍ରାଜ୍ୟ। ନିଜେ ଖାଉଥିଲେ ଅନ୍ୟକୁ ବି ବିକୁଥିଲେ। ହେଲେ କୋକେନ୍‌କୁ କାହାକୁ ଛୁଇଁବାକୁ ଦେଉନଥିଲା। ଏହି ରାକେଟ୍‌ରେ ଭାରତର ଥିଲା ବଡ଼ ଭୂମିକା। ତେବେ କିଏ ଏହି ମହାରାଣୀ ? ଯିଏ ଚୀନ ସହ କରିଥିଲେ ଅଫିମ ଯୁଦ୍ଧ। 

୧୫୦ ବର୍ଷ ତଳେ ଦକ୍ଷିଣ ଆମେରିକାରେ ଚାଲିଥିଲା ବିଶ୍ଵର ସବୁଠୁ ବଡ଼ ଡ୍ରଗ୍ସ ସାମ୍ରାଜ୍ୟ। ଏହି ରାକେଟ୍ ଚଳାଉଥିଲେ ବ୍ରିଟିଶ୍ ମହାରାଣୀ ଭିକ୍ଟୋରିଆ। ସେ ଖାଲି କାରବାର କରୁନଥିଲେ ନିଜେ ଏହି ନିଶାଦ୍ରବ୍ୟର ପ୍ରଶଂସକ ଥିଲେ। ବିଭିନ୍ନ ନିଶାଦ୍ରବ୍ୟ ସେବନରୁ ତାଙ୍କ ସକାଳ ଆରମ୍ଭ ହେଉଥିଲା। ଅଫିମ ତାଙ୍କର ସବୁଠୁ ପ୍ରିୟ ନିଶା ଥିଲା। ଭିକ୍ଟୋରିଆ ଅଫିମ ଓ ମଦର ମିଶ୍ରଣକୁ ପାନୀୟ ଭାବେ ସେବନ କରୁଥିଲେ। ସବୁଦିନ ସକାଳେ ଏକ ବଡ଼ ପାତ୍ରରେ ଅଫିମ ପାନ କରୁଥିଲେ। କୋକେନ୍‌ ସେବନ କରିବାକୁ ମଧ୍ୟ ସେ ଭଲ ପାଉଥିଲେ। 

ବ୍ରିଟିଶ ସାମ୍ରାଜ୍ଞୀଙ୍କ ନିଶାଦ୍ରବ୍ୟ ବ୍ୟବହାର କେବଳ ବ୍ୟକ୍ତିଗତ ଆବଶ୍ୟକତାରେ ସୀମିତ ନଥିଲା। ଏହି ରାକେଟ୍ ମହାଦେଶମାନଙ୍କୁ ବ୍ୟାପିଥିଲା। ମାଦକ ଦ୍ରବ୍ୟ ବ୍ୟବସାୟରୁ ଆୟ ଏତେ ଅଧିକ ହେଉଥିଲା ଯେ ସମଗ୍ର ଦେଶକୁ ପାଣ୍ଠି ଯୋଗାଉଥିଲା। ୧୮୩୭ରେ ଭିକ୍ଟୋରିଆ ସିଂହାସନ ଆରୋହଣ କରିବା ବେଳେ ଚୀନ୍‌ର ଚା’ଉପରେ ବ୍ରିଟେନ ନିର୍ଭରଶୀଳ ଥିଲା। ଚା’ ଆମଦାନି ବ୍ରିଟିଶ ରୁପା ଭଣ୍ଡାରକୁ ଖାଲି କରୁଥିଲା। ଏହି ବ୍ୟବସାୟ ପ୍ରବାହରେ ପରିବର୍ତ୍ତନ ଲାଗି ବ୍ରିଟିଶ୍ ରାଣୀ ଅନ୍ୟ ବିକଳ୍ପ ଖୋଜିଲେ। ଚା' ବଦଳରେ ଅଫିମ ବିକିବା ଆରମ୍ଭ କଲେ। ହେଲେ ଏଥିପାଇଁ ସେ ଭାରତକୁ ଅସ୍ତ୍ର କଲେ। ବ୍ରିଟିଶ-ଶାସିତ ଭାରତରେ ଅଫିମ ଚାଷ ହେଲା ଏବଂ ବ୍ୟାପକ ପରିମାଣରେ ଚୀନ୍‌କୁ ବିକ୍ରି ହେଲା। ଅଫିମର ଚାହିଦା ବ୍ୟବସାୟର ମୋଡ଼ ବଦଳାଇ ଦେଲା। ରାତାରାତି ବ୍ରିଟେନ ଅର୍ଥବ୍ୟବସ୍ଥା ମାଲେମାଲ୍ ହୋଇଗଲା। ଚା’ ଉପରେ ବ୍ରିଟେନ ଯେତିକି ରୁପା ଖର୍ଚ୍ଚ କରିଥିଲା, ଚୀନ୍‌ ସେ ସବୁକୁ ଫେରାଇବାକୁ ବାଧ୍ୟ ହେଲା। ଏହି ବେପାରରେ ଚୀନ୍‌ର ଭୟଙ୍କର କ୍ଷତି ହେଲା।

ଚୀନ୍‌ର ଶୀର୍ଷ ଅଧିକାରୀ ଲିନ୍‌ ଜେକ୍ସୁ ଅଫିମ ବ୍ୟବସାୟକୁ ବନ୍ଦ କରିବାକୁ ଚେଷ୍ଟା କଲେ। ଚା’ ଓ ରେଶମ ବଦଳରେ ଏହି ଭୟଙ୍କର ମାଦକ ଦ୍ରବ୍ୟର ରପ୍ତାନିରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ସେ ରାଣୀ ଭିକ୍ଟୋରିଆଙ୍କୁ ଅନୁରୋଧ କଲେ । ରାଣୀ କିନ୍ତୁ ତାଙ୍କୁ ଅଣଦେଖା କଲେ । ୧୮୩୯ରେ ଲିନ୍‌ ଦକ୍ଷିଣ ଚୀନ୍‌ ସମୁଦ୍ରରେ ୨୫ ଲକ୍ଷ ପାଉଣ୍ଡର ଅଫିମ ଜବତ କରି ନଷ୍ଟ କରିଦେଲେ । ଏଥିରେ ବ୍ରିଟିଶ୍ ସାମ୍ରାଜ୍ଞୀଙ୍କ ଆତ୍ମସମ୍ମାନ ଉପରେ ଆଞ୍ଚ୍ ଆସିଲା । ଆଉ ଚୀନ୍ ସହ ଅଫିମ ଯୁଦ୍ଧ ଆରମ୍ଭ ହେଲା। ଏହି ଯୁଦ୍ଧରେ ଚୀନର ପରାଜୟ ହେଲା। ତେବେ ଭିକ୍ଟୋରିଆଙ୍କ ବ୍ୟବସାୟରେ ଗୋଟିଏ ସୀମା ଥିଲା। ସେ କୋକେନ୍‌କୁ ସୁରକ୍ଷିତ, ସ୍ୱାସ୍ଥ୍ୟକର ଶକ୍ତିବର୍ଦ୍ଧକ ବୁଷ୍ଟର୍‌ ବୋଲି ବିଶ୍ୱାସ କରୁଥିଲେ। ଏଥିପାଇଁ କୋକେନ୍‌କୁ କାହାକୁ ଛୁଇଁବାକୁ ଦେଉନଥିଲେ।