ନୂଆଦିଲ୍ଲୀ,୨୭/୦୯: ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବ ମହିଳା ଦିନିକିଆ ବିଶ୍ୱକପ୍ର ୧୩ତମ ସଂସ୍କରଣ । ଏଥର ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ବିଶ୍ୱକପ୍ ଆୟୋଜନ କରୁଛନ୍ତି । ଇତି ମଧ୍ୟରେ ସମସ୍ତ ଦଳ ଯଥାକ୍ରମେ ଭାରତ ଓ ଶ୍ରୀଲଙ୍କାରେ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଶ୍ରୀଲଙ୍କାରେ ପାକିସ୍ତାନ, ବାଂଲାଦେଶ, ଦକ୍ଷିଣ ଆଫ୍ରିକ. ଭାରତରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଅବସ୍ଥାନ କରି ଅଭ୍ୟାସ ମ୍ୟାଚ୍ ଖେଳୁଛନ୍ତି । ଉଦ୍ଘାଟନୀ ମ୍ୟାଚ୍ରେ ଭାରତ ଓ ଶ୍ରୀଲଙ୍କା ସାମ୍ନା ସାମ୍ନି ହେବେ ।
ଟୁର୍ଣ୍ଣାମେଣ୍ଟରେ ମୋଟ୍ ୨୮ଟି ଲିଗ୍ ମ୍ୟାଚ ଓ ୩ଟି ନକ୍ ଆଉଟ୍(୨ସେମି ଫାଇନାଲ୍, ଗୋଟିଏ ଫାଇନାଲ୍) ମ୍ୟାଚ୍ ରହିଛି । ୨୦୨୨ ସଂସ୍କରଣ ଭଳି ଏଥର ମଧ୍ୟ ଫର୍ମାଟ୍ ଅପରିବର୍ତ୍ତିତ ରହିଛି । ୮ଟି ଯାକ ଦଳ ରାଉଣ୍ଡ ରବିନ ଫର୍ମାଟ୍ରେ ପରସ୍ପରକୁ ଭେଟିବେ । ଶ୍ରେଷ୍ଠ ୪ଟି ଦଳ ସେମି ଫାଇନାଲ୍କୁ ଉନ୍ନୀତ ହେବେ । ଏଥର ବିଶ୍ୱକପ୍ ସବୁ ରେକର୍ଡ ଭାଙ୍ଗିବା ଅନୁମାନ କରାଯାଉଛି । ବିଶେଷ କରି ବ୍ୟାଟିଂରେ ଅନେକ ନୂଆ ରେକର୍ଡ ସ୍ଥାନ ହେବାର ସମ୍ଭାବନା ରହିଛି । ଗତ ବିଶ୍ୱକପ୍ ପରଠୁ ଭାବେ ପ୍ରତ୍ୟେକ ଦଳ ବିସ୍ଫୋରକ ବ୍ୟାଟିଂକୁ ଆପଣେଇ ନେଇଛନ୍ତି ।
ବ୍ୟାଟରଙ୍କ ରାଜ:
ଭାରତରେ ଖେଳାଯିବାକୁ ଥିବା ୧୭ଟି ଯାକ ମ୍ୟାଚ୍ରେ ବିଶାଳ ସ୍କୋର ସଂଗୃହୀତ ହେବା ଆଶା କରାଯାଉଛି । ଗତ ସପ୍ତାହରେ ଶେଷ ହୋଇଥିବା ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜର ତୃତୀୟ ମ୍ୟାଚ୍ରେ ରେକର୍ଡ ୭୮୧ ରନ ସଂଗୃହୀତ ହୋଇଥିଲା । ୨୦୨୨ରୁ ୨୦୨୫ ମଧ୍ୟରେ ଅନୁଷ୍ଠିତ ମହିଳା ଦିନିକିଆରେ ମୋଟ୍ ୩୪ଟି ମ୍ୟାଚ୍ରେ ଦଳ ୩୦୦ରୁ ଉଦ୍ଧ୍ୱର୍ ରନ ସଂଗ୍ରହ କରିଛନ୍ତି । ୨୦୧୭ରୁ ୨୦୨୨ ବିଶ୍ୱକପ୍ ମଧ୍ୟରେ ୧୯ଟି ଦିନିକିଆରେ ୩୦୦ରୁ ଉଦ୍ଧ୍ୱର୍ ରନ ସଂଗୃହୀତ ହୋଇଥିଲା । ୨୦୨୨ ବିଶ୍ୱକପ୍ ପରଠୁ ଭାରତରେ ୧୮ଟି ଦିନିକିଆ ଆୟୋଜିତ ହୋଇଛି । ଏହି ସବୁ ମ୍ୟାଚ୍ରେ ରନ ହାର ରହିଛି ୫.୬୬ । ୯ଟି ଇନିଂସରେ ୩୦୦ରୁ ଅଧିକ ରନ ସଂଗୃହୀତ ହୋଇଛି । ସେହିପରି ଶ୍ରୀଲଙ୍କାରେ ଖେଳାଯାଇଥିବା ୧୮ଟି ଦିନିକିଆ ୫.୧୭ ହାରରେ ରନ ସଂଗ୍ରହ ହୋଇଛି । ୫ଟି ଇନିଂସରେ ୩୦୦ରୁ ଅଧିକ ରନ ସଂଗୃହୀତ ହୋଇଛି।
ଛକା ରେକର୍ଡ ଭାଙ୍ଗିବ:
ଚଳିତ ବର୍ଷ ମହିଳା ଦିନିକିଆ କ୍ରିକେଟ୍ରେ ୩୦ଜଣ ଖେଳାଳି ଶତକ ଅର୍ଜନ କରି ସାରିଛନ୍ତି । ବିସ୍ଫୋରକ ବ୍ୟାଟିଂ ହୋଇଛି ମୁଳ ମନ୍ତ୍ର । ଚଳିତ ବର୍ଷ ଖେଳାଯାଇଥିବା ୫୩ଟି ଦିନିକିଆରେ ବ୍ୟାଟରମାନେ ମୋଟ୍ ୨୦୩ଟି ଛକା ମାରିସାରିଛନ୍ତି । ଗୋଟିଏ ବର୍ଷରେ ସର୍ବାଧିକ ଛକା ରେକର୍ଡ ରହିଛି ୨୦୮ । ୨୦୧୭ରେ ଏହି ରେକର୍ଡ ସ୍ଥାପନ ହୋଇଥିଲା ।
ମହିଳା ଦିନିକିଆର ନୂଆ ଗ୍ରାଉଣ୍ଡ:
ଗୌହାଟୀ, ଇନ୍ଦୋର, ନବି ମୁମ୍ବାଇ ପୂର୍ବରୁ କେବେ ମହିଳା ଦିନିକିଆ କ୍ରିକେଟ୍ ମ୍ୟାଚ ଆୟୋଜନ କରି ନାହାନ୍ତି । ବିଶାଖାପଟ୍ଟନମ୍ ମୋଟ୍ ୫ଟି ମହିଳା ଦିନିକିଆ ଆୟୋଜନ କରିଛି । ହେଲେ ୨୦୧୪ ପରଠୁ ଆୟୋଜନ କରିବାକୁ ସୁଯୋଗ ପାଇ ନାହିଁ । କଲମ୍ବୋ ୧୯୯୯ ମାର୍ଚ୍ଚ ପରେ ପ୍ରଥମ କରି ଦିନିକିଆ ମ୍ୟାଚ୍ ଆୟୋଜନ କରିବାକୁ ଯାଉଛି ।
ନିମ୍ନ କ୍ରମ ବ୍ୟାଟିଂ ରେକର୍ଡ:
ମହିଳା ଦିନିକିଆରେ ବ୍ୟାଟିଂ କ୍ରମର ୬ରୁ ୮ ନଂ ସ୍ଥାନ ସର୍ବାଧିକ ହାରରେ ରନ ସଂଗ୍ରହ କରୁଛନ୍ତି । ଡେଥ୍ ଓଭରରେ ଅଷ୍ଟ୍ରେଲିଆ ସର୍ବାଧିକ ୭/୯୫ ହାରରେ ରନ ସଂଗ୍ରହ କରିଛି । ଅନ୍ୟ ୭ଟି ଯାକ ଦେଶ ମଧ୍ୟ ୭ରୁ ଅଧିକ ହାରରେ ରନ ସଂଗ୍ରହ କରିଛନ୍ତି । ଗତ ୩ ବର୍ଷ ମଧ୍ୟରେ ଭାରତ ଡେଥ୍ ଓଭରରେ ସର୍ବାଧିକ ୭.୬୨ ହାରରେ ରନ ସଂଗ୍ରହ କରିଛି । ଦକ୍ଷିଣ ଆଫ୍ରିକା ୭.୩୨ ହାରରେ ରନ ସଂଗ୍ରହ କରି ଦ୍ୱିତୀୟ ସ୍ଥାନରେ ରହିଛି ।
ସ୍ପିନର କରିବେ ରାଜୁତି:
ଏଥର ବିଶ୍ୱକପରେ ସ୍ପିନରମାନେ ମ୍ୟାଚ୍ ଫଳାଫଳ ନିର୍ଦ୍ଧାରଣ କରିବା ଆଶା କରାଯାଉଛି । ୨୦୨୨ ବିଶ୍ୱକପ୍ ପରଠୁ ଇତି ମଧ୍ୟରେ ୮ଜଣ ସ୍ପିନର ୪୦ରୁ ଅଧିକ ଲେଖାଏଁ ୱିକେଟ୍ ଅର୍ଜନ କରିଛନ୍ତି । ଏଥର ବିଶ୍ୱକପ୍କୁ ନଜରରେ ରଖି ସମସ୍ତ ଦଳ ୩ବର୍ଷ ତଳୁ ସ୍ପିନ ବିଭାଗକ ସଦୃଢ କରିବାରେ ଲାଗିଛନ୍ତି । ୨୦୨୨ ବିଶ୍ୱକପ୍ ପରଠୁ ଭାରତରେ ସ୍ପିନରମାନେ ୧୩୩ଟି ଓ ପେସ୍ ବୋଲରମାନେ ୧୧୬ଟି ୱିକେଟ୍ ଅକ୍ତିଆର କରିଛନ୍ତି । ସେହିପରି ଶ୍ରୀଲଙ୍କାରେ ସ୍ପିନରମାନେ ୧୫୭ଟି ଓ ପେସ୍ ବୋଲର ମାନେ ୬୯ଟି ୱିକେଟ୍ ନେଇଛନ୍ତି ।