ଇନ୍ଦୋର, ୦୬/୧୦: ଚଳିତ ମହିଳା ଦିନିକିଆ ବିଶ୍ୱକପର ସପ୍ତମ ଲିଗ୍ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ସାମ୍ନାସାମ୍ନି ହେବେ । ଉଭୟ ଦଳ ନିଜ ନିଜ ପ୍ରଥମ ମ୍ୟାଚ୍ରେ ପରାଜିତ ହୋଇଥିଲେ । ଫଳରେ ଆଜି ମ୍ୟାଚ୍ ଜରିଆରେ ଉଭୟ ଦଳ ପଏଣ୍ଟ ଖାତା ଖୋଲିବାକୁ ବ୍ୟାକୁଳ ରହିଛନ୍ତି ।
ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡଠୁ ୧୦ ୱିକେଟ୍ରେ ଏବଂ ନ୍ୟୁଜିଲାଣ୍ଡ ୮୯ରନ୍ରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିଲା । ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ବର୍ଷେ ପରେ ପ୍ରଥମ ଥର ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଶେଷ ଥର ଉଭୟ ଦଳ ୨୦୨୪ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଫାଇନାଲ୍ରେ ସାମ୍ନାସାମ୍ନି ହୋଇଥିଲେ । ନ୍ୟୁଜିଲାଣ୍ଡ ୩୨ରନ୍ରେ ଏହି ମ୍ୟାଚ୍ ଜିତି ବିଶ୍ୱ ଚାମ୍ପିଅନ୍ ଆଖ୍ୟା ଅର୍ଜନ କରିଥିଲା । ଏଥର ଦକ୍ଷିଣ ଆଫ୍ରିକା ପ୍ରତିଶୋଧ ନେବାକୁ ଅପେକ୍ଷା କରି ରହିଛି ।
ନ୍ୟୁଜିଲାଣ୍ଡ ଦଳରେ ଏକାଧିକ ଷ୍ଟାର୍ ଖେଳାଳି ରହିଛନ୍ତି । ଭେଟେରାନ ଓପନର ସୁଜି ବେଟ୍ସ ଆସନ୍ତାକାଲି ପ୍ରଥମ ମହିଳା ଭାବେ ୩୫୦ ଅନ୍ତର୍ଜାତୀୟ ମ୍ୟାଚ୍ ପୂରଣ କରିବେ । ଅଧିନାୟିକା ସୋଫି ଡିଭାଇନ ପୂର୍ବ ମ୍ୟାଚ୍ରେ ୧୧୨ରନ୍ର ଜବରଦସ୍ତ ଇନିଂସ୍ ଖେଳି ଫର୍ମରେ ଥିବା ପ୍ରମାଣିତ କରିଛନ୍ତି । ସେହିପରି ଅଲରାଉଣ୍ଡର ଆମେଲିଆ କେର, ଜେସ୍ କେର ଓ ଲି ତାହୁହୁଙ୍କ ଭଳି ମ୍ୟାଚ୍ ବିଜେତା ଦଳରେ ରହିଛନ୍ତି ।
ଇଂଲଣ୍ଡ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୬୯ରନ୍ରେ ଅଲଆଉଟ୍ ହୋଇଯାଇଥିଲା । ଏହି ପ୍ରଦର୍ଶନକୁ ଭୁଲି ଦଳ ସବୁ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ ରହିଛି । ଅଧିନାୟକ ଲାଉରା ଉଲ୍ଭାର୍ଟ, ତଜମିନ ବ୍ରିଟ୍ସ, ମାରିଜନେ କାପ୍, ସୁନି ଲସ୍ ଏବଂ ଆୟାବୋଙ୍ଗା ଖାଖାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଏମାନେ ସଫଳ ହେଲେ ଦକ୍ଷିଣ ଆଫ୍ରିକାକୁ ହରାଇବା ନ୍ୟୁଜିଲାଣ୍ଡ ପାଇଁ କାଠିକର ପାଠ ହେବ ।
ସମ୍ଭାବ୍ୟ ଦଳ
ନ୍ୟୁଜିଲାଣ୍ଡ : ସୁଜି ବେଟ୍ସ, ଜର୍ଜିୟା ପ୍ଲିମର, ଆମେଲିଆ କେର, ସୋଫି ଡିଭାଇନ (ଅଧିନାୟିକା), ବ୍ରୁକ୍ ହାଲିଡେ, ମାଡି ଗ୍ରୀନ, ଇସାବେଲା ଗେଜ, ଜେସ୍ କେର, ଲି ତାହୁହୁ, ଇଡେନ କାର୍ସନ, ବ୍ରୀ ଇଲିଙ୍ଗ୍ ।
ଦ.ଆଫ୍ରିକା: ଲାଉରା ଉଲଭାର୍ଟ (ଅଧିନାୟିକା), ତାଜମିନ ବ୍ରିଟ୍ସ, ସୁନି ଲସ, ମାରିଜନେ କାପ୍, ଆନେକ ବୋଷ/ଆନେରି ଡେରେକସେନ, ସିନାଲୋ ଜାଫ୍ଟା, କ୍ଲୋଏ ଟ୍ରାୟୋନ, ନାଦିନ ଡି’କ୍ଲର୍କ, ଏମ୍. କ୍ଲାସେନ, ଆୟାବୋଙ୍ଗା ଖାଖା, ନନ୍କୁଲୁଲେକୋ ମ୍ଳାବା ।