ନୂଆଦିଲ୍ଲୀ ୨୩/୧୦: ଭାରତର ଚନ୍ଦ୍ରଯାନ-୨ ମହାକାଶ ଯାନ ଏକ ଅଦ୍ୱିତୀୟ କାମ କରିଛି । ଏହା ସୂର୍ଯ୍ୟରୁ ନିର୍ଗତ ବଡ଼ ବିସ୍ଫୋରଣ-କୋରୋନାଲ ମାସ୍‌ ଇଜେକ୍ସନ୍‌ ବା (ସିଏମ୍‌ଇ)ର  ଚନ୍ଦ୍ର ଉପରେ ପ୍ରଭାବକୁ ପ୍ରଥମ ଥର ଦେଖିଛି । ଚନ୍ଦ୍ରଯାନ-୨ର ଉପକରଣ ଚନ୍ଦ୍ରା ଆଟ୍‌ମୋସଫିୟରିକ  କମ୍ପୋଜିସନ୍‌ ଏକ୍ସପ୍ଲୋରର୍‌-୨ (ଚେସ୍‌-୨) ଏହା  ଆବିଷ୍କାର କରିଛି ।

ଏହି ଅନନ୍ୟ ଅବଲୋକନରୁ ଜଣାପଡ଼ିଛି, କୋରୋନାଲ ମାସ୍‌ ଇଜେକ୍ସନ୍‌ ଚନ୍ଦ୍ର ସହ ମାଡ଼  ହେବାରୁ, ଚନ୍ଦ୍ରର ଉଜ୍ଜ୍ୱଳ (ଦିନ) ପାଶ୍ୱର୍ରେ ବାୟୁ  ଭଳି ପତଳା ପରସ୍ତ (ଏକ୍ସୋସ୍ଫିୟର)ର ଚାପ ବହୁତ  ବଢ଼ିଗଲା । ଏହି ଆବିଷ୍କାର ବୈଜ୍ଞାନିକଙ୍କ ପୁରୁଣା  ମଡେଲ ସହ ମେଳା ଖାଉଛି, କିନ୍ତୁ ଏବେ ଏହା  ବାସ୍ତବିକ ଭାବେ ଦେଖିବାକୁ ମିଳିଛି । ଚନ୍ଦ୍ରଯାନ-୨ ଭାରତର ୨ୟ ଚନ୍ଦ୍ର ମିଶନ, ଯାହା  ୨୦୧୯ରେ ଲଞ୍ଚ୍‌ ହୋଇଥିଲା । ଏଥିରେ ଚେସ୍‌-୨  ନାମକ ଉପକରଣ ଲାଗିଛି । ଏହା ଚନ୍ଦ୍ରର ପତଳା  ବାୟୁ ସ୍ତର (ଏକ୍ସୋସ୍ଫିୟର)ରେ ଥିବା ପରମାଣୁ ଓ  ଅଣୁଗୁଡ଼ିକର ସଂଖ୍ୟାକୁ ମାପେ । ବାୟୁରେ କେତେ  ଗ୍ୟାସ୍‌ ଅଛି, ଏହା ଜଣାଇଥାଏ ।  

୨୦୨୪, ମେ’ ୧୦ରେ ସୂର୍ଯ୍ୟରୁ ଅନେକ ସିଏମ୍‌ସି  ନିର୍ଗତ ହୋଇଥିଲା । ତନ୍ମଧ୍ୟରେ ଅଧିକାଂଶ  ହାଇଡ୍ରୋଜେନ ଓ ହିଲିୟମ୍‌ର ଆୟନ ଥିଲା । ଏଗୁଡ଼ିକ  ଯେତେବେଳେ ଚନ୍ଦ୍ରରେ ପହଞ୍ଚିଲା, ଏକ୍ସୋସ୍ଫିୟର୍‌ର  ଚାପ ହଠାତ୍‌ ବଢ଼ିଯାଇଥିବା ଚେସ୍‌-୨ ଦେଖିଲା ।  ଗ୍ୟାସ୍‌ର ସଂଖ୍ୟା ମଧ୍ୟ ୧୦ ଗୁଣରୁ ଅଧିକ ହୋଇଗଲା ।  ଚନ୍ଦ୍ରରେ ବାୟୁ ପୃଥିବୀ ଭଳି ଘନ ନୁହେଁ, ଖୁବ୍‌  ପତଳା । ଏହାକୁ ଏକ୍ସୋସ୍ଫିୟର କୁହାଯାଏ । ଏହା  ଏତେ ପତଳା ଯେ ପରମାଣୁ ପରସ୍ପର ସହ ଖୁବ୍‌  କମ୍‌ ଧକ୍କା ହୁଅନ୍ତି । ଚନ୍ଦ୍ରର ପୃଷ୍ଟ ହିଁ ଏହାର ସୀମା । ଏହାକୁ ସର୍ଫେସ୍‌ ବାଉଣ୍ଡ୍ରି ଏକ୍ସୋସ୍ଫିୟର କୁହାଯାଏ ।

ସୂର୍ଯ୍ୟର କିରଣ ପୃଷ୍ଠରୁ ପରମାଣୁକୁ ଅଲଗା କରିଦିଏ ।  ସୌର ବାୟୁ (ସୂର୍ଯ୍ୟରୁ ନିର୍ଗତ ହାଇଡ୍ରୋଜେନ,  ହିଲିୟମ ଓ ଅନ୍ୟ ଆୟନ) ପୃଷ୍ଠରୁ ଗ୍ୟାସ୍‌ ଉଡ଼ାଇ  ନିଅନ୍ତି । ଉଲ୍‌କାପିଣ୍ଡ ଚନ୍ଦ୍ର ସହ ଧକ୍କା ହେଲେ, ଧୂଳି ଓ  ଗ୍ୟାସ୍‌ ଘୂରିବୁଲନ୍ତି । ଏ ସମସ୍ତ ପ୍ରକ୍ରିୟା ଏକ୍ସୋସ୍ଫିୟର  ସଷ୍ଟି କରନ୍ତି । କିନ୍ତୁ ପ୍ରକୃତରେ ଚନ୍ଦ୍ରରେ କୌଣସି  ବାୟୁ ସ୍ତର ନାହିଁ । କୌଣସି ଚୁମ୍ବକୀୟ କ୍ଷେତ୍ର ବି  ନାହିଁ । ସେଥିପାଇଁ ସୂର୍ଯ୍ୟର ପ୍ରଭାବ ସିଧା ଏହାର  ପୃଷ୍ଠ ଉପରେ ପଡ଼େ ।  ସୂର୍ଯ୍ୟ ବିସ୍ଫୋରଣରୁ ଅନେକ କଣିକା (ଅଧିକାଂଶ  ହାଇଡ୍ରୋଜେନ୍‌ ଓ ହିଲିୟମ୍‌ର ଆୟନ) ମହାକାଶରେ  ଖେଳିଯାଏ । ଏଗୁଡ଼ିକ ଖୁବ୍‌ ଦ୍ରୁତ ଗତି କରୁଥିବାରୁ  ପୃଥିବୀରେ ଝଡ଼ର କାରଣ ହୋଇପାରନ୍ତି । କିନ୍ତୁ  ଚନ୍ଦ୍ରରେ ଏଗୁଡ଼ିକ ସିଧା ପ୍ରଭାବ ପକାଇଥାନ୍ତି ।

ସିଏମ୍‌ଇ ଚନ୍ଦ୍ର ପୃଷ୍ଠରୁ ଅଧିକ ପରମାଣୁ ଉଡ଼ାଇ  ଦିଅନ୍ତି । ଫଳରେ ଏକ୍ସୋସ୍ଫିୟର ମୋଟା ହୋଇଯାଏ  ଏବଂ ଚାପ ବଢ଼ିଯାଏ । ୨୦୨୪, ୧୦ ମେ’ରେ  ସୂର୍ଯ୍ୟ ବିସ୍ଫୋରଣର ସିଧାସଳଖ ପ୍ରଭାବ କୌଣସି  ଉପକରଣ ପ୍ରଥମ ଥର ଦେଖିବାକୁ ପାଇଲା । ଏହି  ଅବଲୋକନ ଚନ୍ଦ୍ରର ପତଳା ବାୟୁକୁ ଭଲଭାବେ  ବୁଝିବାରେ ସହାୟକ ହେବ । ବୈଜ୍ଞାନିକମାନେ  ପୂର୍ବରୁ ଜାଣିଥିଲେ ଯେ ସିଏମ୍‌ଇ ଏଭଳି ପ୍ରଭାବ  ପକାଇପାରେ । କିନ୍ତୁ ଏବେ ଏହା ପ୍ରମାଣ ହୋଇଛି ।  ଏହା ଦ୍ୱାରା ଚନ୍ଦ୍ରରେ ମହାକାଶ ପାଣିପାଗ (ସୂର୍ଯ୍ୟର ଉତ୍ସର୍ଜନର ପ୍ରଭାବ) ବିଷୟରେ ଅନେକ ତଥ୍ୟ  ମିଳିବ । ଚନ୍ଦ୍ରରେ ବୈଜ୍ଞାନିକମାନେ ଷ୍ଟେସନ୍‌ ନିର୍ମାଣ  କରିବାକୁ ଅଣ୍ଟା ଭିଡୁଛନ୍ତି । କିନ୍ତୁ ଏଭଳି ବିସ୍ଫୋରଣ  ହଠାତ୍‌ ଏହାର ବାତାବରଣକୁ ବଦଳାଇ ଦିଅନ୍ତି । ଚାପ  ବଢ଼ିବା ଦ୍ୱାରା ଉପକରଣ ଖରାପ ହୋଇପାରେ ଏବଂ  ସୁରକ୍ଷା ମଧ୍ୟ ପ୍ରଭାବିତ ହୋଇପାରେ । ସେଥିପାଇଁ  ଷ୍ଟେସନ୍‌ ଡିଜାଇନ୍‌ ପୂର୍ବରୁ ଏହା ଉପରେ ଧ୍ୟାନ  ଦେବାକୁ ପଡ଼ିବ ।