ଅହମଦାବାଦ: ଗୁଜୁରାଟର ପ୍ରସିଦ୍ଧ ପଭଗଦ ଶକ୍ତିପୀଠରେ ଅଘଟଣ। ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ରୋପୱେ ଛିଣ୍ଡି ପଡିବା ଯୋଗୁଁ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ତେବେ ବିଭିନ୍ନ ଅଧିକାରୀଙ୍କ ସହ ସ୍ଥାନିୟ ଅଞ୍ଚଳର ଲୋକମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଶନିବାର ରୋପୱେର ରୋପ୍ ହଠାତ୍ ଛିଡିଯାଇଥିଲା। ଯେଉଁଥିରେ ଦୁଇଜଣ ଲିଫ୍ଟମ୍ୟାନଙ୍କ, ଦୁଇଜଣ ଶ୍ରମିକଙ୍କ ସମେତ ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ପଞ୍ଚମହଲର ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମରେ ଜାରି ସୂଚନା ମୁତାବକ ଏହି ଦୁର୍ଘଟଣା ଅପରାହ୍ନ ୩ଟା ୩୦ ମିନିଟ ସମୟରେ ହୋଇଥିବା ଜଣାପଡିଛି।
ଏହି ଖବର ମିଳିବା ପରେ ସ୍ଥାନିୟ ପୋଲିସ ସହ ଦମକଳ ବାହିନି ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଏହି ଦୁର୍ଘଟଣା କିପରି ଘଟିଲା ତାହା ଯାଞ୍ଚ କରିବାକୁ ପ୍ରଶାସନ ତଦନ୍ତ ଆରମ୍ଭ କରିଛି।
ଆପଣଙ୍କୁ ଜଣାଇରଖୁ ଯେ ପଶ୍ଚିମ ଭାରତର ଏହି ପ୍ରସିଦ୍ଧ ମନ୍ଦିର ପାହାଡ ପାଦଦେଶରୁ ୮୦୦ ମିଟର ଉପରେ ଅବସ୍ଥିତ ରହିଛି। ତେଣୁ ଏହି ଶକ୍ତିପୀଠରେ ପହଞ୍ଚିବାକୁ ହେଲେ ଶ୍ରଦ୍ଧାଳୁମାନଙ୍କୁ ଦୁଇଟି ରାସ୍ତା ଆପଣେଇବାକୁ ପଡିଥାଏ। ଗୋଟିଏ ହେଉଛି ୨୦୦୦ ସିଡି ଛଡି ମା’ଙ୍କ ଦର୍ଶନ କରିବା ନଚେତ୍ କେବଲ କାର ଯୋଗେ ପାହାଡ ଶିଖରରେ ପହଞ୍ଚି ଦର୍ଶନ କରିବା। ତେବେ ସକାଳୁ ପାଗ ଖରାପ ରହିବା କାରଣରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ରୋପୱେ ସେବାକୁ ବାତିଲ କରିଦିଆ ଯାଇଥିଲା। ଯେଉଁଥିପାଇଁ ଅନେକ ଧନଜାବନ ହାନି ହେବାରୁ ବର୍ତ୍ତିଯାଇଛି ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି।
ପଭଗଦ ପାହାଡ ଚମ୍ପାନେର ପର୍ବତମାଳାର ଏକ ଅଂଶ ଯାହା ସମୁଦ୍ରପତ୍ତନଠୁ ୧୪୭୧ ଫୁଟ ଉପରେ ଅବସ୍ଥିତ ରହିଛି। ଏହି ପାହାଡର ଚୂଡାଦେଶରେ ମା’କାଳୀଙ୍କୁ ସମର୍ପିତ ଏକ ବିଶାଳ ମନ୍ଦିର ରହିଛି। ଏହା ଗୁଜୁରାଟର ଏକ ପ୍ରମୁଖ ତୀର୍ଥସ୍ଥଳି ଭାବେ ପରିଗଣିତ ହୋଇଥାଏ। ଯେଉଁଠିକୁ ବାର୍ଷିକ ପ୍ରାୟ ୨୫ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଦର୍ଶନ କରିବାକୁ ଆସିଥାନ୍ତି।