ନୂଆପଡ଼ା,୩୦/୧୦: ନା ଅଛି ସାଥୀ ନା ଅଛନ୍ତି ସମର୍ଥକ । ତାଙ୍କ ଆଶ୍ରା ଏକମାତ୍ର ସାଇକଲ । ସାଇକଲରେ ଗାଁକୁ ଗାଁ ଯାଉଛନ୍ତି । ନିଜ ପୋଷ୍ଟର ନିଜେ ଲଗାଇ ନିର୍ବାଚନୀ ପ୍ରଚାର କରୁଛନ୍ତି । ଏମିତି ଜଣେ ସ୍ୱାଧୀନ ପ୍ରାର୍ଥୀ ହେଲେ ଲୋଚନସିଂ ମାଝି । ନୂଆପଡ଼ା ବ୍ଲକ ଆମାନାରା ଗାଁର ଲୋଚନସିଂ ମାଝି ।
ତାଙ୍କ କିଛି ପୈତୃକ ଚାଷଜମି ଅଛି । ତାହା ପୁଣି ଜଙ୍ଗଲ ଭିତରେ ଥିବାରୁ ଚାଷବାସ ବି ଭଲ ଭାବେ ହୁଏନି । ସେଥିରୁ ଯାହା ଉତ୍ପାଦନ ହୁଏ, ପରିବାର ଚଳେ । ପ୍ରତିବର୍ଷ ମହୁଲ, ଚାହାଁର ସଂଗ୍ରହକରି ସ କିଛି ରୋଜଗାର କରି ପରିବାର ପ୍ରତିପୋଷଣ କରନ୍ତି । କିନ୍ତୁ ନିର୍ବାଚନ ଲଢିବା ନିଶା । ଗଗନଶ୍ଚୁମ୍ବୀ । ୨୦୦୯ରେ ପ୍ରଥମେ ସେ ନିର୍ବାଚନ ହେବା ଜାଣି ପ୍ରାର୍ଥୀ ହେବାକୁ ମନ ବଳାଇଥିଲେ । ସମାଜବାଦୀ ପାର୍ଟି ମୁଖ୍ୟ ମୁଳାୟମ ସିଂ ୟାଦବଙ୍କ ଜଣେ ଫଲୋଅର ଓ ବନ୍ଧୁ । ଲକ୍ଷ୍ନୌକୁ ଯିବା ପାଇଁ ତାଙ୍କ ପାଖରେ ଟଙ୍କା ନଥିଲା । ଏଣୁ ୨୦୦୯ରେ ସେ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ୨୬ହଜାର ଟଙ୍କା ରୋଜଗାର କରିଥିଲେ । ସେହି ଟଙ୍କାରେ ସେ ଲକ୍ଷ୍ନୌ ଯାଇ ସମାଜବାଦୀ ପାର୍ଟି ମୁଖ୍ୟ ମୁଳାୟମସିଂ ୟାଦବଙ୍କୁ ଭେଟି ପାର୍ଟି ଟିକଟ ଆଣିଥିଲେ । ହେଲେ ସେଥର ତାଙ୍କ ପ୍ରାର୍ଥିପତ୍ର ନାକଚ ହୋଇଥିଲା । ତଥାପି ହାର ମାନିନଥିଲେ । ୨୦୧୪ରେ ସମାଜବାଦୀ ପାର୍ଟିରୁ ପ୍ରାର୍ଥୀହୋଇ ପ୍ରାୟ ୧୨ଶହ ଭୋଟ ପାଇଥିଲେ । ୨୦୧୯ରେ ସ୍ୱାଧୀନ ପ୍ରାର୍ଥୀ ହୋଇ ୨୩୨୪ଖଣ୍ଡ ଭୋଟ ପାଇଥିଲେ । ୨୦୨୪ରେ ପୁଣି ସମାଜବାଦୀ ପାର୍ଟିରୁ ଛିଡ଼ାହୋଇ ୧୨୩୮ଭୋଟ ପାଇଥିଲେ । ପ୍ରତି ନିର୍ବାଚନରେ ଉଠିବାକୁ ନାମାଙ୍କନ ଫର୍ମ, ବ୍ୟାନର, ପୋଷ୍ଟରରେ ଖର୍ଚ୍ଚ ହୁଏ । ସେହି ଖର୍ଚ୍ଚ ତୁଳାଇବା ପାଇଁ ଲୋକଙ୍କଠାରୁ ହାତ ଉଧାରି ଆଣନ୍ତି । ପ୍ରତିବର୍ଷ ଲୋଚନ ଓ ସ୍ତ୍ରୀ ଦେଓବତୀ ମାଝି ଇଟା ଗଢ଼ିଥାନ୍ତି । ପରବର୍ତ୍ତି ସମୟରେ ତାକୁ ବିକ୍ରିକରି ଉଧାରି ଟଙ୍କା ଶୁଝିଥାନ୍ତି । ନିର୍ବାଚନ ନିଶା ତାଙ୍କୁ ଏମିତି ଘାରିଛି ଯେ, ସେ ଇତିମଧ୍ୟରେ ୫ଥର ପ୍ରାର୍ଥୀ ହୋଇସାରିଲେଣି । ଏଥର ଲୋଚନ ପୁଣି ସ୍ୱାଧୀନ ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଛନ୍ତି । ସେ ବ୍ୟାଟ୍ସ ମ୍ୟାନ ଚିହ୍ନ ପାଇଛନ୍ତି । ଗତ ଦୁଇଦିନ ହେବ ସେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି । ପ୍ରତିଦିନ ସକାଳୁ ଘରୁ ଏକ ସାଇକଲରେ ବ୍ୟାଗ ଝୁଲାଇ ବାହାରି ପଡନ୍ତି । ବ୍ୟାଗରେ କିଛି ଲିଫଲେଟ ଥାଏ । ହେଲେ ନା ଅଛି ସାଥୀ ନା ଅଛନ୍ତି ସମର୍ଥକ । ସାଇକେଲରେ ଗାଁକୁ ଗାଁ ଯାଉଛନ୍ତି । ନିଜ ପୋଷ୍ଟର ଘରକାନ୍ଥରେ ଲଗାଉଛନ୍ତି । ସେଠି ନିଜ ସପକ୍ଷରେ ଭୋଟଭିକ୍ଷା କରୁଛନ୍ତି । ବିଗତ ଦିନରେ ବିଧାୟକ ପ୍ରାର୍ଥୀହୋଇ ନିଜ ଚାଷଜମିରେ ମହୁଲ ଗୋଟାଉଥିବା ଚର୍ଚ୍ଚାକୁ ଆସିଥିଲା ।
ପ୍ରକାଶ ଥାଉକି, ପିଲାଦିନୁ ଲୋଚନଙ୍କ ରାଜନୀତି ପ୍ରତି ରୁଚି ଥିଲା । ତାଙ୍କ ବାପା ଗାଁରେ ୨୫ବର୍ଷ ଧରି ୱାର୍ଡ଼ମେମ୍ବର ରହିଥିଲେ । ସରପଞ୍ଚ ଓ ସମିତିସଭ୍ୟ ହେବାର ଇଚ୍ଛା ଥିଲା । କିନ୍ତୁ ୩ସନ୍ତାନ ଥିବା ହେତୁ ହୋଇପାରିନଥିଲେ । ଏଠାରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ରାସ୍ତା, ପାନୀୟ ଜଳ ସବୁ ବିପର୍ଯ୍ୟସ୍ତ ହୋଇଛି । ଚଳିତ ନିର୍ବାଚନରେ ତାଙ୍କୁ ଲୋକେ ବିପୁଳ ସଂଖ୍ୟାରେ ଭୋଟଦେଇ ଜିତାଇବେ ଓ ବିଧାନସଭାକୁ ପଠାଇବେ । ଅଞ୍ଚଳର ବିକାଶ ପାଇଁ ସେଠି ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଦାବି ଉପସ୍ଥାପନ କରିବେ ବୋଲି ଲୋଚନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ବିଜେପି ପାଇଁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ବିଜେଡ଼ି ପାଇଁ ବହୁ ପୂର୍ବତନ ମନ୍ତ୍ରୀ ଓ କଂଗ୍ରେସ ପାଇଁ ବହୁ ତୁଙ୍ଗନେତା ପ୍ରଚାର କରୁଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଲୋଚନଙ୍କ ନିଆରା ନିର୍ବଚନୀ ପ୍ରଚାର ଚର୍ଚ୍ଚାକୁ ଆସିଛି ।