ଦୁବାଇ,୨୭/୦୯: ଆଜିର ମ୍ୟାଚ୍‌ରେ ଶ୍ରୀଲଙ୍କା ପକ୍ଷରୁ ପଥୁମ ନିଶଙ୍କା ଧୂଆଁଧାର ଶତକ କରିଥିଲେ ମଧ୍ୟ ଶ୍ରୀଲଙ୍କା ପରାଜୟରୁ ମୁକୁଳି ପାରିନି। ଚଳିତ ଏସିଆ କପର ଶେଷ ସୁପର-୪ର ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌କୁ ଜିତି ନେଇଛି ଭାରତ। ଆଉ ସୁପର ଓଭରରେ ହିଁ ମ୍ୟାଚର ଫଇସଲା ହୋଇଛି। ଆଉ ଅପରାଜୟ ସହ ଫାଇନାଲ୍ ମ୍ୟାଚ୍ ଖେଳିବାକୁ ଯାଉଛି ଭାରତ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ୬୧ ରନ, ତିଳକ ବର୍ମାଙ୍କ ଅପରାଜିତ ୪୯ ରନ ଓ ସଞ୍ଜୁ ସାମସନଙ୍କ ୩୯ ରନ ବଳରେ ୫ ଓ୍ଵିକେଟ୍ ହରାଇ ୨୦୨ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଶ୍ରୀଲଙ୍କା ନିଶଙ୍କାଙ୍କ ୧୦୭ ରନର ବିଧ୍ଵଂସୀ ଇନିଂସ ଓ କୁଶଲ ପେରେରାଙ୍କ ୫୮ ରନ ସତ୍ତ୍ବେ ବି ମ୍ୟାଚ୍ ହାରି ଯାଇଛି। ଆଉ ଭାରତ ବିଜୟ ରଥ ଜାରି ରହିଛି।
୨୦୩ ରନର ବିଶାଳ ବିଜୟ ଲକ୍ଷ୍ୟର ପିଛା କରିଥିବା ଶ୍ରୀଲଙ୍କାକୁ ୭ ରନ ସ୍କୋରରେ ପ୍ରଥମ ଝଟକା ଲାଗିଥିଲା। କୁଶଳ ମେଣ୍ଡିସ ଖାତା ଖୋଲି ପାରି ନ ଥିଲେ। ଏହା ପରେ ପଥୁମ ନିଶଙ୍କା ଓ କୁଶଲ ପେରେରା ଏମିତି ବ୍ୟାଟିଂ କଲେ ଯାହାକୁ କଳ୍ପନା କରି ପାରି ନ ଥିଲା ଭାରତୀୟ ଦଳ ଓ ପ୍ରଶଂସକ। ଦୁଇ ବ୍ୟାଟର ଭାରତୀୟ ବୋଲରଙ୍କୁ କାଉଣ୍ଟର ଆଟାକ୍ କରିଥିଲେ। ଉଭୟ ଧୂଆଁଧାର ବ୍ୟାଟିଂ କରି ପୂରା ଭାରତୀୟ ଶିବିରକୁ ଚାପରେ ରଖିଥିଲେ। ଦୁହେଁ ନିଜ ନିଜର ଅର୍ଦ୍ଧଶତକ ପୂରା କରିଥିଲେ। କୌଣସି ବୋଲର ଦୁଇ ବ୍ୟାଟରଙ୍କ ବ୍ୟାଟ୍ ଉପରେ ଅଙ୍କୁଶ ଲଗାଇ ପାରି ନ ଥିଲେ। ଦୁଇ ବ୍ୟାଟର ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୧.୪ ଓଭରରେ ୧୨୭ ରନ ଯୋଡ଼ି ଦଳର ବିଜୟ ପାଇଁ ବଡ଼ ମୂଳଦୁଆ ପକାଇଥିଲେ। ତେବେ ୧୩୪ ରନ ସ୍କୋରରେ ଶେଷରେ ଏହି ଯୋଡ଼ିକୁ ଭାଙ୍ଗିବାରେ ସଫଳ ହୋଇଥିଲେ ବରୁଣ ଚକ୍ରବର୍ତ୍ତୀ। କୁଶଲ ପେରେରା ୩୨ ବଲରୁ ୮ ଚୌକା ଓ ୧ ଛକା ସହ ୫୮ ରନ କରିଥିଲେ। 
ଏହି ଯୋଡ଼ି ଭାଙ୍ଗିବା ସହ ଭାରତ ମ୍ୟାଚକୁ ପ୍ରତ୍ୟାବର୍ତ୍ତନ କରିବା ସହ ଶ୍ରୀଲଙ୍କାର ରନ ଗତି ଉପରେ ଅଙ୍କୁଶ ଲାଗିଥିଲା।ଅଧିନାୟକ ଚରିଥ ଅସଲଙ୍କା(୫ ରନ)ଙ୍କୁ ଆଉଟ୍ କରିଥିଲେ କୁଲଦୀପ ଯାଦବ। ଗୋଟିଏ ପଟେ ପଥୁମ ନିଶଙ୍କା ମୋର୍ଚ୍ଚା ସମ୍ଭାଳିଥିବା ବେଳେ ଅନ୍ୟ ବ୍ୟାଟର ସହଯୋଗ କରି ପାରି ନ ଥିଲେ। ତଥାପି ପଥୁମ ନିଶଙ୍କା ୫୨ ବଲରୁ ନିଜର ପ୍ରଥମ ଅନ୍ତର୍ଜାତୀୟ ଶତକ ପୂରା କରିଥିଲେ। ତେବେ ଶେଷ ୩ ଓଭରରେ ମ୍ୟାଚ୍ ରୋମାଞ୍ଚକର ହୋଇଥିଲା। କେତେ ବେଳେ ଶ୍ରୀଲଙ୍କାର ପଲ୍ଲା ଭାରି ରହୁଥିଲା ତ ଆଉ କେତେ ବେଳେ ଭାରତର ପଲ୍ଲା। ଶେଷ ୨ ଓଭରରେ ୨୩ ରନ ଦରକାର ଥିଲା। ୧୯ତମ ଓଭରରେ ଅର୍ଶଦୀପ ୧୧ ରନ ବ୍ୟୟ କରିଥିଲେ। ଏହା ପରେ ଅନ୍ତିମ ଓଭରରେ ଦରକାର ଥିଲା ୧୨ ରନ। ଆଉ ୧୨ ରନ କରିଥିଲା ଶ୍ରୀଲଙ୍କା। ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ୍ ହରାଇ ୨୦୨ ରନ କରିଥିଲା ଶ୍ରୀଲଙ୍କା। ଆଉ ମ୍ୟାଚ୍ ଟାଇ ରହିବାରୁ ଫଳାଫଳ ପାଇଁ ସୁପର ଓଭରର ସହାୟତା ନିଆଯାଇଥିଲା। ମ୍ୟାଚ୍ରେ ପଥୁମ ନିଶଙ୍କା ୫୮ ବଲରୁ ୭ ଚୌକା ଓ ୬ ଛକା ସହ ୧୦୭ ରନ କରି ଶେଷ ବଲରେ ଆଉଟ୍ ହୋଇଥିଲେ। ଦାସୁନ ସନାକା ୧୧ ବଲରୁ ୨୨ ରନ କରିଥିଲେ ହେଁ ଦଳ ମ୍ୟାଚ୍ ଜିତି ପାରିନି।  
ଆଜି ବୋଲିଂରେ ବହୁତ ନିରାଶ କରିଥିଲେ ଭାରତୀୟ ବୋଲର। ଦୁଇ ସ୍ପିନର କୁଲଦୀପ ଯାଦବ ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ବାଦ୍ ଦେଲେ ଅର୍ଶଦୀପ, ହର୍ଷିତ ଓ ଅକ୍ଷର ପଟେଲ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ତେବେ ସୁପର ଓଭରରେ ଅର୍ଶଦୀପ ସିଂ ନିଜର ଖ୍ୟାତି ଅନୁସାରେ ବୋଲିଂ କରିଥିଲେ। ସୁପର ଓଭରରେ ମାତ୍ର ୨ ରନ କରି ପାରିଥିଲା ଶ୍ରୀଲଙ୍କା। ଆଉ ଭାରତ ପ୍ରଥମ ବଲରେ ୩ ରନ କରି ମ୍ୟାଚ୍‌କୁ ଜିତି ନେଇଛି।