ନୂଆଦିଲ୍ଲୀ,୧୩/୧୦: ସାରା ବିଶ୍ୱରେ  ଏବେ ଆଇଟି କମ୍ପାନିଗୁଡ଼ିକ ସେମାନଙ୍କ କର୍ମଚାରୀ ସଂଖ୍ୟାରେ ହ୍ରାସ କରୁଛନ୍ତି । ବିଶେଷଜ୍ଞ ମାନେ  ଏହାକୁ ସାଇଲେଣ୍ଟ ଲେଅଫ୍‌ ବା ଚୁପଚାପ  ଉପାୟରେ ଛଟେଇ ବୋଲି କହିଛନ୍ତି । ଏଭଳି  ସ୍ଥିତିରେ ଭାରତୀୟ ଆଇଟି କ୍ଷେତ୍ରରୁ ବର୍ଷ ଶେଷ  ବେଳକୁ ପ୍ରାୟ ୫୦ ହଜାର କର୍ମଚାରୀ ଛଟେଇ  ହେବେ ବୋଲି ଆକଳନ କରାଯାଇଛି ।

ଇଟି ରିପୋର୍ଟ ମୁତାବକ, ୨୦୨୩ ଏବଂ  ୨୦୨୪ରେ ଦେଶର ଆଇଟି କ୍ଷେତ୍ରରେ ୨୫ ହଜାର  କର୍ମଚାରୀ ଛଟେଇ ହୋଇଥିଲେ । ଏବେ କମ୍ପାନି  ଗୁଡ଼ିକ କୃତ୍ରିମ ବୁଦ୍ଧିମତା (ଏଆଇ) ଟେକ୍ନୋଲୋଜି  ଏବଂ ବାଣିଜ୍ୟ ଅଭିବୃଦ୍ଧି ଉପରେ ଫୋକସ କରୁଛନ୍ତି ।  ରୁଟିନ୍‌ ଇଞ୍ଜିନିୟରିଂ ଟାସ୍କ ବା ଚିରାଚରିତ କାମ  ପାଇଁ ଏବେ ମଣିଷ ପରିବର୍ତ୍ତେ ମେସିନ ବ୍ୟବହାର  ହେଉଛି । ଫଳରେ କମ୍ପାନି ଗୁଡ଼ିକ ବାଧ୍ୟ ହୋଇ  ସେମାନଙ୍କ ଶ୍ରମଶକ୍ତି ସଂଖ୍ୟା କମାଉଛନ୍ତି ।

ଦେଶର ପ୍ରମୁଖ ଆଇଟି କମ୍ପାନି ଟିସିଏସ୍‌ ଏହାର  ମୋଟ୍‌ କର୍ମଚାରୀଙ୍କ ମଧ୍ୟରୁ ୨% ବା ୧୨ ହଜାର  କର୍ମଚାରୀଙ୍କୁ ଛଟେଇ ନେଇ ଘୋଷଣା କରିଛି । ବୃହତ  ଏବଂ ମଧ୍ୟମ ବର୍ଗର ଟେକ୍ନୋଲୋଜି ଫାର୍ମ ଗୁଡ଼ିକ  ସେମାନଙ୍କ କର୍ମଚାରୀଙ୍କୁ କମ୍ପାନିରୁ ଇସ୍ତଫା ଦେଇ  ବିକଳ୍ପ ନିଯୁକ୍ତି ଦେଖିବାକୁ କହୁଛନ୍ତି । ହାଇଦ୍ରାବାଦର  ଜଣେ ଆଇଟି କର୍ମଚାରୀ କହିଛନ୍ତି ଦୀର୍ଘ ୧୩ ବର୍ଷ  ହେବ ଏକ ପ୍ରମୁଖ ଆଇଟି କମ୍ପାନିରେ କାମ କରୁଥିଲି ।  ନିକଟରେ ଛଟେଇ ଇମେଲ ମିଳିଛି । ପର୍‌ଫର୍‌ମାନ୍ସ  ଉନ୍ନତ ନ ଥିବା କହିଥିଲେ ଏଚ୍‌ଆର୍‌ । କମ୍ପାନି ୩  ମାସର ସେଭେରାନ୍ସ ପ୍ୟାକେଜ୍‌ ପ୍ରଦାନ କରିଛି ।

ଏକ ଟେକ୍ନୋଲୋଜି ଫାର୍ମର କ୍ଲାଏଣ୍ଟ ସାଇଟରେ  କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ କହିଛନ୍ତି, କିଛି  ମାସ ତଳେ ମ୍ୟାନେଜର ଛଟେଇ ସମ୍ପର୍କରେ ସୂଚନା  ଦେଇଥିଲେ । ନୂଆ ଚାକିରି ଖୋଜିବାକୁ ୩ ମାସର  ଅନୁକମ୍ପା ସମୟ ଦେଇଛି କମ୍ପାନି । ଆମେରିକା  ଭିତ୍ତିକ ଏଚ୍‌ଏଫ୍‌ଏସ୍‌ ରିସର୍ଚ୍ଚର ପ୍ରମୁଖ ଆନାଲିଷ୍ଟ  ତଥା ମୁଖ୍ୟ ନିର୍ବାହୀ ଫିଲ୍‌ ଫର୍ସଟ୍‌ କହିଛନ୍ତି, କମ୍ପାନି  ଗୁଡ଼ିକ ଏବେ ସାଇଲେଣ୍ଟ ଲେଅଫ୍‌ କରୁଛନ୍ତି ।  ଏଥିରେ କର୍ମଚାରୀଙ୍କୁ କଠୋର ପର୍‌ଫର୍‌ମାନ୍ସ  ସମୀକ୍ଷା, ନିଯୁକ୍ତି କମାଇବା ଏବଂ କ୍ୟାରିୟର  ଅଗ୍ରଗତିକୁ ରୋକାଯାଉଛି। ଏଭଳି ଉପାୟରେ  ଲକ୍ଷ ଲକ୍ଷ ନିଯୁକ୍ତି କାଟ ହେଉଛି ।

ଟିମ୍‌ ଲିଜ୍‌ ଡିଜିଟାଲର ସିଇଓ ନୀତି ଶର୍ମା  କହିଛନ୍ତି, ପୁରୁଣା ଢ଼ାଞ୍ଚାରେ କାମ କରୁଥିବା  କର୍ମଚାରୀଙ୍କୁ ଉପରେ ନିଯୁକ୍ତି ହ୍ରାସ ପ୍ରଭାବ ବେଶି  ରହୁଛି । ଅନ୍ୟପଟେ କମ୍ପାନି ଗୁଡ଼ିକ ବିଶେଷଜ୍ଞ ରୋଲ୍‌  ଏବଂ ନୂଆ ଟେକ୍ନୋଲୋଜି ରୋଲ୍‌ ଗୁଡ଼ିକ ଉପରେ  ବିଶେଷ ଭାବେ ଫୋକସ୍‌ କରୁଛନ୍ତି । ଫଳରେ  ୨୦୨୫ରେ ଛଟେଇ ୫୫-୬୦ ହଜାର ଛୁଇଁପାରେ ।  

ଜୁଲାଇ ପରଠୁ ଟିସିଏସ୍‌ ଏବଂ ଆସେଞ୍ଜର  ମିଳିତ ଭାବେ ୨୩ ହଜାରରୁ ଉଦ୍ଧ୍ୱର୍ ଛଟେଇ  କରିଛନ୍ତି । ଆସେଞ୍ଚର୍‌ ସାରା ବିଶ୍ୱରେ ଏହାର  ବିଭିନ୍ନ କାର୍ଯ୍ୟାଳୟ ଗୁଡ଼ିକରୁ ୧୧ ହଜାର କର୍ମଚାରୀ  ଛଟେଇ କରିଛି । ଏକ ପ୍ରମୁଖ ଆଇଟି କମ୍ପାନିର  ଏଚ୍‌ଆର ବିଭାଗ ଦୈନିକ ଭିତ୍ତିରେ ୩୦୦ରୁ ଉଦ୍ଧ୍ୱର୍  ଛଟେଇ ଇ-ମେଲ୍‌ ପଠାଉଥିବା କହିଛନ୍ତି ଜଣେ  ଅଧିକାରୀ । କର୍ମଚାରୀଙ୍କୁ ତ୍ୱରିତ ଭିତ୍ତିରେ ଲାପଟପ୍‌  ଫେରାଇ ଦେବା, ଏମ୍ପ୍ଲଇ ଆକ୍‌ସେସ୍‌ ନିୟନ୍ତ୍ରଣ  ପାଇଁ କୁହାଯାଉଛି ।

ସେପ୍ଟେମ୍ବର ତ୍ରୈମାସରେ ଟିସିଏସ୍‌ରୁ ୬ ହଜାର  କର୍ମଚାରୀ ଛାଡିଛନ୍ତି । ଏହି ଅବଧି ସୁଦ୍ଧା କମ୍ପାନିରୁ  ମୋଟ ୧୨,୭୫୫ କର୍ମଚାରୀ ହ୍ରାସ ହେବା ଯୋଗୁ  କର୍ମଚାରୀ ସଂଖ୍ୟା ୫.୯୩ ଲକ୍ଷକୁ ଖସିଛି । କମ୍ପାନି  ଗୁଡ଼ିକ କର୍ମଚାରୀଙ୍କ ତ୍ୱରିତ ଭିତ୍ତିରେ ଛଟେଇ ନ  କରି କିଛି ମାସର କ୍ଷତିପୂରଣ ଦେଇ ସର୍ତ୍ତ ଭିତ୍ତିରେ  ଇସ୍ତଫା ଦେବାକୁ କହୁଛନ୍ତି । କୋଭିଡ ପରେ ଆଇଟି  କମ୍ପାନି ଗୁଡ଼ିକ ନିଜକୁ ବ୍ୟବସ୍ଥିତ କରୁଛନ୍ତି ।

ଏଆଇ, ଅଟୋମେଶନ ଗ୍ରହଣୀୟତା ତୀବ୍ର  ହୋଇଛି । ଯୁଦ୍ଧ, ଟାରିଫ ଏବଂ ମାନ୍ଦାବସ୍ଥା  ସ୍ଥିତିରେ ରାଜସ୍ୱ ଅଭିବୃଦ୍ଧି କରିବା କମ୍ପାନିଙ୍କ ପାଇଁ  ଆହ୍ୱାନ ପାଲଟିଛି । ଏଆଇ ପରିଦୃଶ୍ୟ ସହ ନିଜକୁ  ଖାପ ଖୁଆଇବା ଲାଗି କମ୍ପାନିଙ୍କ ମଧ୍ୟରେ କଡ଼ା  ପ୍ରତିଯୋଗିତା ଲାଗି ରହିଛି ବୋଲି ଶର୍ମା କହିଛନ୍ତି ।