କେନ୍ଦ୍ରାପଡ଼ା,୨୩/୦୯: ପୂଜା ଓ ଭସାଣି ସମୟରେ ଡିଜେ, ପପ୍ ଓ ଭାଇବ୍ରେଟର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷେଧ । ୬୫ ଡେସିବଲ୍ରୁ ଅଧିକ ଜୋର୍ରେ ମାଇକ୍ ବାଜିବ ନାହିଁ । ଶବ୍ଦ ରେଗୁଲେଟର ଲଗାଇବା ସହ ରାତି ୧୦ଟା ପରେ ଡିଜେ ବନ୍ଦ । କଟକଣା ଖିଲାପ କଲେ ପରିବେଶ ସୁରକ୍ଷା ଆଇନ ୧୯୮୬(ଇପି ଆକ୍ଟ) ଲାଗୁ ହେବ । ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ । କେବଳ କେନ୍ଦ୍ରାପଡ଼ା ସହର ଅବା ଉପକଣ୍ଠ ନୁହେଁ, ଏହି କଟକଣା ତଥା ଆଇନ ଜିଲ୍ଲାର ଅନ୍ୟ ସବୁ ସ୍ଥାନରେ ଲାଗୁ ହେବ ବୋଲି ଉପଜିଲ୍ଲାପାଳ ଅରୁଣ ନାୟକ ସୂଚନା ଦେଇଛନ୍ତି । ଗତବର୍ଷ ଆଇନ ଖିଲାପ କରିବା ଅଭିଯୋଗରେ ୩ଟି ମାମଲା ରୁଜୁ ହୋଇଥିବା ସେ କହିଥିଲେ ।
ଅକ୍ଟୋବର ୬ରୁ ୭ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଗଜଲକ୍ଷ୍ମୀ ପୂଜା ପାଇଁ ଜିଲ୍ଲା ପ୍ରଶାସନର ଦ୍ୱିତୀୟ ପ୍ରସ୍ତୁତି ବୈଠକ କେନ୍ଦ୍ରାପଡ଼ା ପୌରପାଳିକା ଟାଉନ୍ ହଲ୍ଠାରେ ଅନୁଷ୍ଠିତ ହୋଇଯାଇଛି । ଶାନ୍ତିଶୃଙ୍ଖଳାର ସହ ଗଜଲକ୍ଷ୍ମୀ ପୂଜା, ମେଲୋଡି, ମେଲଣ ଶୋଭାଯାତ୍ରା ଓ ଭସାଣି ଉତ୍ସବ ସମାପନ ପାଇଁ ଏହି ଅବସରରେ ୩ଟି ସମନ୍ୱୟ କମିଟି ଗଠନ କରାଯାଇଛି । କେଶପୁର ଅଞ୍ଚଳକୁ ନେଇ ପ୍ରଥମ, ପୁରୁଣା ବସ୍ଷ୍ଟାଣ୍ଡ ଅଞ୍ଚଳକୁ ନେଇ ଦ୍ୱିତୀୟ ଓ ନୂଆ ବସ୍ଷ୍ଟାଣ୍ଡ ଅଞ୍ଚଳକୁ ନେଇ ତୃତୀୟ ସମନ୍ୱୟ କମିଟି ଗଠିତ ହୋଇଛି । ଭସାଣି ଉତ୍ସବରେ ସାମିଲ ହେବାକୁ ଥିବା ମେଢ଼ମାନଙ୍କର କ୍ରମ ନିରୂପଣ ପାଇଁ ଲଟେରି ଉଠାଣ ଯୋଗେ ଚୂଡ଼ାନ୍ତ ହୋଇଥିଲା । ପୁରୁଣା ବସ୍ଷ୍ଟାଣ୍ଡଠାରୁ ନୂଆ ବସ୍ଷ୍ଟାଣ୍ଡ ଆଡ଼କୁ ଯିବାକୁ ଥିବା ମେଢ଼ମାନଙ୍କ ମଧ୍ୟରେ ସ୍ଥିର ରହିଥିବା ମା' ଥାନପତି କ୍ଲବ୍, ମା' କାକଟ ମଙ୍ଗଳା କ୍ଲବ୍, ପୁରୁଣା ବସଷ୍ଟାଣ୍ଡ ପୂଜା କମିଟି ଲଟେରି ପ୍ରକ୍ରିୟାରେ ସାମିଲ୍ ହୋଇନଥିଲେ ।
ସେହିପରି ପୁରୁଣା ବସ୍ଷ୍ଟାଣ୍ଡଠାରୁ କେଶପୁର ଆଡ଼କୁ ଯିବାକୁ ଥିବା ମେଢ଼ମାନଙ୍କ ମଧ୍ୟରେ ସ୍ଥିର ଥିବା ବ୍ୟାସ ସରୋବର ପୂଜା କମିଟି, ସାନ୍ତସାହି ଲଟେରି ପ୍ରକ୍ରିୟାରେ ଅଂଶଗ୍ରହଣ କରିନଥିଲେ । ଅନ୍ୟ ସମସ୍ତ ୪୪ଟି ପୂଜା କମିଟି ଲଟେରି ପ୍ରକ୍ରିୟାରେ ସାମିଲ ହୋଇଥିଲେ । ମୋଟ୍ ୬୮ଟି ମେଢ଼ ମଧ୍ୟରୁ ଚଳିତ ଥର ୪୮ଟି ମେଢ଼ ଭସାଣି ଉତ୍ସବରେ ସାମିଲ ହେବେ । ପୁରୁଣା ବସଷ୍ଟାଣ୍ଡଠାରୁ କେଶପୁର ଆଡ଼କୁ ୨୨ଟି ମେଢ଼ ଯିବାକୁ ଥିବା ବେଳେ ନୂଆ ବସ୍ଷ୍ଟାଣ୍ଡ ଆଡ଼କୁ ଯିବେ ୨୬ଟି ମେଢ଼ । ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଏସ୍ପି ସିଦ୍ଧାର୍ଥ କଟ୍ଟାରିଆ, ଉପଜିଲ୍ଲାପାଳ ଅରୁଣ ନାୟକ, ଏସ୍ଡିପିଓ ଜ୍ୟୋତିରଞ୍ଜନ ଗୌଡ଼, ପୌରନିର୍ବାହୀ ଅଧିକାରୀ ଅଜିତ ପ୍ରସାଦ ନାରାୟଣ ଗିରି, କେନ୍ଦ୍ରୀୟ ପୂଜା କମିଟି ସଭାପତି ଯୁଗଳ କିଶୋର ବେହେରା, ଭାବଗ୍ରାହୀ ସିଂହ, ହିରଣ୍ୟ ପଣ୍ଡା, ହରିଲାଲ ଅଗ୍ରୱାଲ, ଭୀମସେନ ବେହେରା, ଅଶୋକ ଲେଙ୍କା, ସୁବାସ ସାହୁ, ସୌମେନ୍ଦ୍ର ପୃଷ୍ଟି, ଅନନ୍ତ କର, ସୁବାସ ଚାନ୍ଦ, ପ୍ରଦୀପ୍ତ ଜେନା, ଉମେଶ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।