ମାଲକାନଗିରି, ୧୪/୧୦ : ଜଙ୍ଗଲରେ ମାଓ ସଂଗଠନରେ ହୋଇଥଲା ପ୍ରେମ ।  ଆତ୍ମ ସମର୍ପଣ ପରେ ଥାନାରେ ପୁଲିସ କର୍ତ୍ତା ସାଜି ମାଓ ପ୍ରେମୀଯୁଗଳଙ୍କୁ କରିଦେଲେ ବିବାହ ଯେଉଁ ହାତରେ ଥିଲା ହିଂସାର ପ୍ରତିକ ବନ୍ଧୁକ, ସେ ହାତରେ ପୁଲିସ ପକାଇ ଦେଲେ ପ୍ରେମ ବିବାହର ହସ୍ତଗଣ୍ଠିର ସାତ ଜନ୍ମ ପାଇଁ ହାତ କଡ଼ି ।

ଏଭଳି ଏକ ଖବର ନଜରକୁ ଆସିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ଉତ୍ତରବସ୍ତର କଂକେର ଜିଲ୍ଲାରେ। କାଙ୍କେର ଜିଲ୍ଲା ପାଖଞ୍ଜର ଥାନା ପୁଲିସ ନିକଟରେ ମାଓ ପ୍ରେମୀ ଯୁଗଳ ସାଗର ଓ ସଚିଲା ଗତ କିଛିଦିନ ତଳେ ମାଓସଂଗଠନ ଛାଡି ଆତ୍ମ ସମର୍ପଣ କରି ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ। ଉଭୟ ଉଭୟଙ୍କୁ ପ୍ରେମ କରୁଥିଲେ ମଧ୍ୟ ଅର୍ଥ ଅଭାବ ସାଙ୍ଗକୁ କେହି ମୁରବି ନ ଥିବରୁ ବିବାହ ହୋଇପାରୁନଥିଲେ। ଏ କଥା ପାଖଞ୍ଜର ଥାନା ପୁଲିସ ଜାଣିବା ପରେ ଉଭୟଙ୍କୁ କର୍ତା ସାଜି ବିବାହ କରିବା ପାଇଁ ଆଗେଇ ଆସିଛି। ଵିଧି ମୁତାବକ ସମସ୍ତ ବ୍ୟବସ୍ଥା କରି ଥାନାରେ ବିବାହର ମଣ୍ଡପ ସଜାଯାଇ ଉଭୟଙ୍କୁ ସାତଜନ୍ମର ସାଥି କରି ହସ୍ତ ଗଣ୍ଠି ପକାଇ ଦେଇଛନ୍ତି। ଏବେ ହିଂସାର ପଥ ଛାଡି ଏହି ମାଓ ଦମ୍ପତି ଶାନ୍ତିର ବାର୍ତ୍ତା ଦେଉଛନ୍ତି। ବିବାହ ସାଙ୍ଗକୁ ଭୋଜିଭାତର ଆୟୋଜନ କରିଥିଲେ ପୁଲିସ ବାହିନୀ, ଏହି ଭିନ୍ନ ଢଙ୍ଗର ବିବାହ ଉତ୍ସବ ଦେଖିବା ପାଇଁ ଥାନାରେ ସହ ସହ ଲୋକଙ୍କ ଭିଡ଼ ଲାଗି ଯାଇଥିଲା  ବାହାଘର ଭୋଜି ଖାଇ ନବଦମ୍ପତିଙ୍କୁ ଖୁସିରେ ଆଶୀର୍ବାଦ ଦେଇଥିଲେ