ମାଲକାନଗିରି,୨୫/୧୦ : ମାଲକାନଗିରି ଜ଼ିଲ୍ଲାରେ ଗତ ଦୁଇଦିନ ହେଲା ପ୍ରବଳ ବର୍ଷା ହେଉଛି । ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ୬୭.୨ମିଲିମିଟର ବର୍ଷା ହୋଇଛି। ଜିଲ୍ଲା ର ବିଭିନ୍ନ ନଦୀ କୁଳିଆ ତଳିଆ ଅଞ୍ଚଳର ଗ୍ରାମବାସୀଙ୍କ ସୁରକ୍ଷା ପ୍ରତି ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇ ସଜାଗ ହୋଇଥିବାର ଜଣାପଡିଛି।
ବଙ୍ଗୋପସାଗର ଲଘୁଚାପ ସୃଷ୍ଟି ହେବା ଦ୍ୱାରା ଗତ ଦୁଇ ଦିନ ଠାରୁ ସମଗ୍ର ଜ଼ିଲ୍ଲା ରେ ବର୍ଷା ଲାଗିରହିଛି। ଏହି ବର୍ଷାରେ ବିଭିନ୍ନ ନଦୀ ନାଳ, ଜଳଭଣ୍ଡାରରେ ଜଳ ସ୍ତର ବୃଦ୍ଧି ପାଇବାରେ ଲାଗିଛି। ମାଲକାନଗିରି ଜିଲ୍ଲା ର ସାତଟି ବ୍ଲକ ରୁ ୪ଟି ବ୍ଲକ ରେ ୨୪ ଘଣ୍ଟା ମଧ୍ୟ ରେ ୬୭.୨ମିଲିମିଟର ବର୍ଷା ହୋଇଛି। ମାଲକାନଗିରି ବ୍ଲକ ଅଞ୍ଚଳ ରେ ୧୯. ୨ମିଲିମିଟର ବର୍ଷା, କୋରକୁଣ୍ଡା ବ୍ଲକ ରେ ୪୦ମିଲିମିଟର ବର୍ଷା, କାଲିମେଳା ବ୍ଲକରେ ୫ମିଲିମିଟର,ମାଥିଲି ବ୍ଲକ ରେ ୩ମିଲି ମିଟର ବର୍ଷା ହୋଇଥିବାର ଜ଼ିଲ୍ଲା ଜରୁରୀ କାଳୀନ ବିଭାଗ ସୂତ୍ର ରୁ ସୂଚନା ମିଳିଛି। ଆସନ୍ତା ୨୮ ଓ ୨୯ ତାରିଖରେ ମାଲକାନଗିରି ଜିଲ୍ଲାକୁ ପାଣି ପାଗ ବିଭାଗ ପକ୍ଷରୁ ରେଡଆଲର୍ଟ ଜାରି କରା ଯାଇଛି। ସମ୍ଭାବ୍ୟ ବର୍ଷା ଓ ବାତ୍ୟା ପାଇଁ ମାଲକାନଗିରି ତଳୁଆ ଅଞ୍ଚଳରେ ବନ୍ୟା ପରିସ୍ଥିତିର ଆଶଙ୍କାକୁ ଆଖି ଆଗରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ସହିତ ସଜାଗ ରହିବା ପାଇଁ ବିଡିଓ, ତହସିଲଦାର ମାନଙ୍କୁ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ନିର୍ଦ୍ଦେଶ ଦେଇଛନ୍ତି।