ଭୁବନେଶ୍ୱର,୧୫/୯: ମଦ ପିଇ ଗାଡ଼ି ଚଳାଇ ଦୁର୍ଘଟଣା ଜନିତ ମୃତ୍ୟୁରେ ଓଡ଼ିଶା ଦେଶରେ ଦ୍ୱିତୀୟ । ଆଉ ଗାଡ଼ି ଚଲାଇଲାବେଳେ ମୋବାଇଲ୍ ଫୋନ୍ରେ ଗପି ଦୁର୍ଘଟଣା କରି ମରିବାରେ ଆମେ ତୃତୀୟ ସ୍ଥାନ ପାଇଛୁ । ଏମିତି ଏକ କୁଖ୍ୟାତି ଅର୍ଜିଛି ଓଡ଼ିଶା । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ (ଏମ୍ଓଆରଟିଏଚ୍) ଦ୍ୱାରା ପ୍ରକାଶିତ ରିପୋର୍ଟରେ ଏହି ତଥ୍ୟ ଓଡ଼ିଶାକୁ ଲଜ୍ଜିତ କରିଛି ।
ଏମ୍ଓଆରଟିଏଚ୍ ରିପୋର୍ଟରୁ ଜଣାପଡ଼ିଛି, ୨୦୨୨ରେ ମଦ ପିଇ ଗାଡ଼ି ଚାଳାଇ ଦୁର୍ଘଟଣାରେ ୩୦୧ ଜଣଙ୍କର ଜୀବନ ଯାଇଛି । ୨୦୨୩ରେ ଏହି ସଂଖ୍ୟା ୨୫୪କୁ ହ୍ରାସ ପାଇ ମଧ୍ୟ ଓଡ଼ିଶା ଦେଶର ଦ୍ୱିତୀୟ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ରହିଛି ଉତ୍ତର ପ୍ରଦେଶ । ଏହି ରାଜ୍ୟରେ ୧୮୨୨ ଜଣଙ୍କ ମୃତ୍ୟୁ ହୋଇଛି । ୨୦୨୨ ମସିହା ତୁଳନାରେ ୨୦୨୩ରେ ୧୫% କମ୍ ଲୋକ ମରିଛନ୍ତି । ୧୫% କମ୍ରେ ବି ଆମ ରାଜ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ମଦ୍ୟପ ଗାଡ଼ି ଚାଳକଙ୍କୁ ଧରିବା ପାଇଁ ଚାଲୁଥିବା ବ୍ଲକିଂ ଚେକିଂ ଯୋଗୁ ସଡ଼କ ଦୁର୍ଘଟଣାର ମୃତ୍ୟୁ ସଂଖ୍ୟା ହ୍ରାସ ପାଇଥିବା ଜଣାପଡିଛି ।
ଏମ୍ଭି ଆକ୍ଟ ୨୦୧୯ର ଧାରା ୧୮୫ ଅନୁଯାୟୀ, ଯଦି କୌଣସି ବ୍ୟକ୍ତି ମଦ ପିଇ ଗାଡ଼ି ଚଳାଇ ଧରାପଡ଼ିବେ ତା’ହେଲେ ପୁଲିସ୍ ଗାଡ଼ି ଜବତ କରିବା ସହ ୧୦ ହଜାର ଟଙ୍କା ଜରିମାନା କରିପାରିବ । ଖାଲି ସେତିକି ନୁହେଁ ୬ ମାସ ପର୍ଯ୍ୟନ୍ତ ଜେଲଦଣ୍ଡର ନିୟମ ମଧ୍ୟ ରହିଛି । ଦ୍ୱିତୀୟ ଥର ସମାନ ଅପରାଧ କଲେ ୧୫,୦୦୦ ଟଙ୍କା ଜରିମାନା କିମ୍ୱା ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ରହିଛି । ପୁଲିସ୍, ଏମ୍ଭିଆଇ ଯଦି ଏହି ନିୟମକୁ କଡ଼ାକଡ଼ି କରିବେ ତା’ହେଲେ ମଦ୍ୟପାନ ଜନିତ ଦୁର୍ଘଟଣା ସଂଖ୍ୟା କମିବ । ମୋବାଇଲ୍ ଫୋନ୍ରେ କଥା ହୋଇ ଗାଡ଼ି ଚଳାଇ ଦୁର୍ଘଟଣାରେ ମରିବାରେ ଓଡ଼ିଶା ତୃତୀୟ ସ୍ଥାନ ଅଧିକାର କରିଛି । ପ୍ରଥମରେ ଉତ୍ତରପ୍ରଦେଶ । ଏହି ରାଜ୍ୟରେ ୧୮୧୫ ଜଣଙ୍କର ମୃତ୍ୟୁ ହୋଇଥିଲା । ଦ୍ୱିତୀୟ ସ୍ଥାନରେ ରହିଛି ମଧ୍ୟପ୍ରଦେଶ । ୨୦୨୩ରେ ମୋବାଇଲ ଫୋନରେ ଗପି ଗାଡ଼ି ଚଳାଇ ଦୁର୍ଘଟଣାରେ ୧୮୫ ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦୨୨ରେ ଓଡ଼ିଶାରେ ଏଭଳି ୩୪୭ଟି ଦୁର୍ଘଟଣା ଘଟିଥିଲାବେଳେ ୧୨୦ ଜଣଙ୍କର ଜୀବନ ଯାଇଥିଲ । ୨୦୨୩ ମସିହାରେ ଏହି ସଂଖ୍ୟା ୩୫% ବୃଦ୍ଧି ପାଇଥିଲା ।
ଏମ୍ଓଆରଟିଏଚ୍ ରିପୋର୍ଟ କହୁଛି, ୨୦୨୩ରେ ଫୋନ୍ରେ କଥା ହୋଇ ୪୩୩ ଦୁର୍ଘଟଣା ହୋଇଥିଲା । ଏଥିରେ ୧୬୩ ଜଣଙ୍କ ମୃତ୍ୟୁ ଘଟିଥିଲା । ଫୋନ୍ରେ କଥା ହୋଇ ଗାଡ଼ି ଚଳାଉଥିବା ବ୍ୟକ୍ତି ପ୍ରଥମ ଥର ଧରାପଡିଲେ ୫ ହଜାର ଟଙ୍କା ଓ ଦ୍ୱିତୀୟ ଥର ଧରାପଡିଲେ ୧୦ ହଜାର ଟଙ୍କା ଜରିମାନାର ବ୍ୟବସ୍ଥା ରହିଛି । ଏନେଇ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ମଦ୍ୟପାନ କରି ଗାଡି ଚାଳନା ବିଷୟରେ ବିଭାଗ କଠୋର ଚେତାବନୀ ଜାରି କରିଆସୁଛି । ମଦ ପିଇ ଗାଡ଼ି ଚଳାଇ ଦୁର୍ଘଟଣା ଘଟାଇଲେ ଭାରତୀୟ ନ୍ୟାୟ ସଂହିତା ୨୦୨୩ର ଧାରା ୧୦୫ ଅନୁଯାୟୀ ମାମଲା ରୁଜୁ ହୋଇପାରେ ।
ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଗାଡି ଚାଳନା ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର ଚିନ୍ତାର ବିଷୟ ହୋଇଛି । ଚାଳକମାନଙ୍କୁ ଏହି ବିପଦପୂର୍ଣ୍ଣ ଆଚରଣରୁ ଦୂରେଇ ରହିବାକୁ ପୁଲିସ ସବୁବେଳେ ଅପିଲ କରୁଛି । ସୋସିଆଲ ମିଡିଆ ଓ ବିଭିନ୍ନ ସ୍ଥାନରେ ଏଥିପାଇଁ ଲୋକଙ୍କୁ ସଚେତନ ମଧ୍ୟ କରାଯାଉଛି।