ମୁମ୍ବାଇ ୧୭/୧୦: ସଲମାନ ଖାନଙ୍କ ଅପକମିଙ୍ଗ ଫିଲ୍ମ ‘ବ୍ୟାଟେଲ ଅଫ୍ ଗଲୱାନ’ରେ ଭାରତୀୟ ସେନାକୁ ସମର୍ପିତ ଦେଶଭକ୍ତି ଗୀତ ରହିବ। ସଲ୍ଲୁ ଏବେ ମୁମ୍ବାଇରେ ଏହି ଗୀତର ସୁଟିଂ କରୁଛନ୍ତି। ଗୀତରେ ୬୦ରୁ ଅଧିକ ପ୍ରଚ୍ଛଦ ନୃତ୍ୟଶିଳ୍ପୀ ଅଛନ୍ତି। ଏହାର କୋରିଓଗ୍ରାଫି କରୁଛନ୍ତି ମୁଦସ୍ସର ଖାନ।
ସଲମାନ ଗତ ମାସ ଫିଲ୍ମର ପ୍ରଥମ ଭାଗର ସୁଟିଂ ଶେଷ କରିଥିଲେ। ଏହାପରେ ନିର୍ଦ୍ଦେଶକ ଅପୂର୍ବ ଲଖିଆ ସୋସିଆଲ ମିଡିଆରେ ଫିଲ୍ମ ସେଟର କିଛି ଖାସ ମୁହୂର୍ତ୍ତର ଦୃଶ୍ୟ ଶେୟାର କରିଥିଲେ। ଏଥିରେ ସଲ୍ଲୁଙ୍କ ସହ ଅନେକ ଫଟୋ ଓ ଭିଡିଓ ଥିଲା। ଗତ ସେପ୍ଟେମ୍ବର ୯ ତାରିଖରେ ଫିଲ୍ମର ଫାର୍ଷ୍ଟ ଲୁକ୍ ଜାରି ହୋଇଥିଲା। ଯେଉଁଥିରେ ଦମଦାର ଅନ୍ଦାଜରେ ନଜର ଆସିଥିଲେ ସଲ୍ଲୁ। ଫଟୋକୁ ସେ ନିଜର ଔପଚାରିକ ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ସେୟାର କରିଥିଲେ। ଫଟୋରେ ତାଙ୍କୁ ସେନା ପୋଷାକରେ ଦେଖିବାକୁ ମିଳିଥିଲା, ମୁଣ୍ଡରୁ ରକ୍ତ ଝରୁଥିଲା।
ତେବେ ସଲମାନ ଖାନ ଫିଲ୍ମସ ଅଧିନରେ ଫିଲ୍ମ ନିର୍ମାଣ ଚାଲିଛି। ଏଥିରେ ସଲ୍ଲୁଙ୍କ ଅପୋଜିଟରେ ଅଛନ୍ତି ଚିତ୍ରାଙ୍ଗଦା ସିଂହ। ଅନେକ ନୂଆ ଚେହେରାଙ୍କୁ ଫିଲ୍ମରେ ଦେଖିବାକୁ ମିଳିବ। ସଲମାନ କର୍ଣ୍ଣେଲ ବି. ସନ୍ତୋଷ ବାବୁ ଭୂମିକାରେ ଅଭିନୟ କରିଛନ୍ତି। ମ୍ୟୁଜିକ୍ ଦେଇଛନ୍ତି ହିମେଶ ରେଶମିୟା। ନିକଟରେ ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ସଲମାନ ଫିଲ୍ମ ବିଷୟରେ କହିଥିଲେ, ‘ସିକନ୍ଦର’ ର ଆକ୍ସନ୍ ଅଲଗା ଥିଲା। କିନ୍ତୁ ‘ବ୍ୟାଟେଲ୍ ଅଫ୍ ଗଲୱାନ’ର ଭୂମିକା ଶାରୀରିକ ଭାବେ ଭିନ୍ନ ଓ ଆହ୍ୱାନଭରା। ଏଥିପାଇଁ ଲଦାଖର ଉଚ୍ଚ ପାହାଡ ଓ ଥଣ୍ଡା ପାଣିରେ ତାଙ୍କୁ ସୁଟିଂ କରିବାକୁ ପଡିବ, ଯାହା ଖୁବ୍ ଚାଲେଞ୍ଜିଂ।