ପାଟ୍‌ନା,୧୬/୧୦: ନିର୍ବାଚନୀ ରଣନୀତିକାରରୁ ରାଜନେତା ପାଲଟିଥିବା ପ୍ରଶାନ୍ତ କିଶୋରଙ୍କ ଜନସୁରାଜ ପାର୍ଟି ଏଥର ବିହାର ନିର୍ବାଚନରେ  ପ୍ରଥମ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା  କରିବାକୁ ଯାଉଛି । ଇତିମଧ୍ୟରେ ବୁଧବାର ସେ ନିର୍ବାଚନ ଲଢ଼ିବେ  ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।

ପ୍ରଶାନ୍ତ କିଶୋରଙ୍କ ଅନୁସାରେ, ଜନହିତ ଓ ବଡ଼ ଲକ୍ଷ୍ୟକୁ  ନଜରରେ ରଖି ଏହି ନିଷ୍ପତ୍ତି  ନିଆଯାଇଛି । ଏହାଦ୍ୱାରା ସାଙ୍ଗଠନିକ କାର୍ଯ୍ୟ ଉପରେ ତାଙ୍କର  ଫୋକସ୍‌ ରହିବ । ୧୫୦ରୁ ଅଧିକ ଆସନ ଜିତିବା ତାଙ୍କ ଦଳର  ଲକ୍ଷ୍ୟ । ଏହାଠାରୁ କମ୍‌ ଆସନ ପାଇଲେ ତାକୁ ହାର ଭାବେ  ଦେଖାଯିବ । ସେପଟେ ଏହି ନିଷ୍ପତ୍ତି ଲାଗି ବିଜେପି ପ୍ରଶାନ୍ତ  କିଶୋରଙ୍କୁ ଟାର୍ଗେଟ୍‌ କରିଛି ।

ଦଳର ଜାତୀୟ ମୁଖପାତ୍ର ଶେହଜାଦ୍‌ ପୁନାୱାଲା କହିଛନ୍ତି, ପ୍ରଶାନ୍ତ କିଶୋର ଜଣେ ଅତି  ସ୍ମାର୍ଟ ବ୍ୟବସାୟୀ । ନିର୍ବାଚନ ପ୍ରଚାରରେ ତାଙ୍କର ବ୍ୟାପକ ଅଭିଜ୍ଞତା ରହିଛି । ବୋଧହୁଏ ସେ ତୃଣମୂଳ ସ୍ତରରେ ସ୍ଥିତି  ତାଙ୍କର କିମ୍ବା ତାଙ୍କ ଦଳର ସପକ୍ଷରେ ନଥିବା ବୁଝିଯାଇଛନ୍ତି ।  ଆତ୍ମବିଶ୍ୱାସର ଅଭାବ ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ।