ନୂଆଦିଲ୍ଲୀ,୦୩/୦୯:ଚୀନ୍‌ରେ ଆଜିକାଲି ଜେଲ୍‌ ଥିମ୍‌ଯୁକ୍ତ ବାର୍‌ଟ୍ରେଣ୍ଡ ବଢ଼ିବାରେ ଲାଗିଛି । ସେଠାରେ ଏମିତି ଅନେକ ବାର୍‌ ଖୋଲିଛି ଯାହା ଭିତରେ ପ୍ରବେଶ କରିବା ମାତ୍ରେ ଲୋକେ ଜେଲ୍‌ ଭିତରକୁ ଯିବା ଭଳି ଅନୁଭବ କରୁଛନ୍ତି । ନିଆରା ଅନୁଭବ ସନ୍ଧାନରେ ବହୁ ସଂଖ୍ୟାରେ ଗ୍ରାହକ ସେଠାରେ ପହଞ୍ଚୁଛନ୍ତି । ସେଠାକାର ଅନୁଭୂତିକୁ ସୋସିଆଲ୍‌ ମିଡିଆ ପୋଷ୍ଟ୍‌ ମାଧ୍ୟମରେ ସେୟାର ବି କରୁଛନ୍ତି ।​​​​​​​

ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ୍‌ ଅନୁସାରେ,ଏହି ଜେଲ୍‌ ଶୈଳୀ ବାର୍‌ରେ ଗ୍ରାହକ ପ୍ରବେଶ କରିବା ମାତ୍ରେ ସେମାନଙ୍କୁ ‘ଅପରାଧ ସ୍ୱୀକାର’ କରିବାକୁ କୁହାଯାଏ । ପରେ ଫଟୋ ଉଠାଯାଏ ।ଶେଷରେ ସେମାନଙ୍କୁ ବାର୍‌ର କିଛି ଅଂଶରେ ଲୁହାବାଡ଼ ଲଗାଯାଇ ପ୍ରସ୍ତୁତ କରାଯାଇଥିବା ୱାର୍ଡ ମଧ୍ୟକୁପଠାଯାଏ । ଜେଲ୍‌ର ବାତାବରଣକୁ ଆହୁରି ଅଧିକ ରୋମାଞ୍ଚକର କରିବାକୁ କିଛି ବାର୍‌ ମାଲିକ ଜେରା କକ୍ଷଭାବେ ଏକ ଅନ୍ଧାରୁଆ କୋଠରୀ ମଧ୍ୟ ବନାଉଛନ୍ତି । ସେହି କୋଠରୀରେ କଏଦୀଙ୍କ ଲାଗି ହାତକଡି଼, ପାଦର ଜଞ୍ଜିର ଓ ଲାଠି ଭଳି ଉପକରଣ ରହିଥାଏ । ପୂର୍ବସାଙ୍ଗ୍‌ଦୋଙ୍ଗ ପ୍ରଦେଶର କିଙ୍ଗ୍‌ଦାଓ, ଝେଜିଆଙ୍ଗ୍‌ ପ୍ରଦେଶର ହାଙ୍ଗ୍‌ଜୋ ତଥା ଦକ୍ଷିଣ ପଶ୍ଚିମ ଚୀନ୍‌ର ଚୋଙ୍ଗକିଙ୍ଗ୍‌ରେ ଅଧିକ ସଂଖ୍ୟକ ଜେଲ୍‌-ଥିମ୍‌ ବାର୍‌ ଦେଖିବାକୁ ମିଳୁଛି । ଏ ସମସ୍ତ ବାର୍‌ରେ ସାଧାରଣତଃ କକ୍‌ଟେଲ, ସୋଡ଼ା ୱାଟର ଓ କଫିଲାଗି ଗ୍ରାହକମାନେ ଭାରତୀୟ ମୁଦ୍ରାରେ ୬୦୦-୬୫୦ ଟଙ୍କା ଦେଇଥାନ୍ତି । ସେହିପରି ଜେଲ୍‌-ଥିମ୍‌ ବାର୍‌ରେ କାମ କରୁଥିବା କର୍ମଚାରୀମାନେ କଏଦୀଙ୍କ ଭଳି ପୋଷାକ ପିନ୍ଧିଥାନ୍ତି । ଗ୍ରାହକଙ୍କୁ ମଧ୍ୟ କଏଦୀଙ୍କ ପୋଷାକ ଭଡ଼ାରେ ପିନ୍ଧିବାକୁ ମିଳିଥାଏ ।