​​​​​​​ପାଟଣାଗଡ଼,୯(ଆପ୍ର) : ଅସରାଏ ବର୍ଷା ରେ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନା  ଭିତରେ ଲହଡ଼ି ମାରୁଛି ବର୍ଷା ପାଣି । ଏପରିକି  ଡାକ୍ତରଖାନାରେ ଜେନେରେଟର ନଥିବାରୁ ବିଦ୍ୟୁତ ସେବା ବିଚ୍ଛିନ୍ନ ପରେ ମୋବାଇଲ ଆଲୁଅ ରେ ଡାକ୍ତର ରୋଗୀସେବା କରିବାକୁ ବାଧ୍ୟ ହେଉଛନ୍ତି।  । ଏହି ଡାକ୍ତରଖାନା ରେ ଏହା ଏକ ନିତି ଦିନିଆ ଘଟଣା  ହୋଇଥିଲେ ମଧ୍ୟ ଏହି ସମସ୍ୟା ସୁଧୁରିବା ନାଁ ଧରୁନି। ଯାହାକୁ ନେଇ ସାଧାରଣରେ ଅସନ୍ତୋ​‌ଷ ପ୍ରକାଶ ପାଇଛି।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନା ଉପରେ ୫୬  ରୁ ଉର୍ଦ୍ଧ୍ବ ଗାଁର ଲୋକେ ଚିକିତ୍ସା ପାଇଁ ନିର୍ଭର କରିଥାନ୍ତି।  ଏପରିକି ପ୍ରତିଦିନ ଘସିଏନ, ଖପ୍ରାଖୋଲ,ଵେଲପଡା ଆଦି ଡ଼ାକ୍ତରଖାନାରୁ ଉପଯୁକ୍ତ ଚିକିତ୍ସା ପାଇବା ଆଶାରେ ଅନେକ ରୋଗୀ ସ୍ଥାନାନ୍ତର ହୋଇ ଆସିଥାନ୍ତି।  ଏହି ଡାକ୍ତରଖାନାଟି ବଲାଙ୍ଗୀର ଜିଲ୍ଲାରେ ଏକ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ତା'ର ନାଁ ରହିଥିଲା। କିନ୍ତୁ ଏବେ ଡାକ୍ତରଖାନାଟି ବିଭିନ୍ନ ସମସ୍ୟାକୁ ନେଇ ଗତି କରୁଥିବା ବେଳେ ଅସରାଏ ବର୍ଷା ପାଣି ରେ ଡାକ୍ତରଖାନାର ମୂଖ୍ୟ ଦ୍ଵାର ଦେଇ ବହିଃ ବିଭାଗ ସହିତ ବିଭିନ୍ନ ୱ।ର୍ଡ କୁ ଆଣ୍ଠୁଏ ଯାଏଁ ପାଣି ପଶି ଲହଡି ମାରୁଥିବା ଦେଖିବାକୁ ମିଳିଛି। ଯାହାଫଳରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ହନ୍ତସନ୍ତ ହେଉଛନ୍ତି।

ଅନ୍ୟପଟେ ଦୀର୍ଘ ଦିନ ହେଲା ଏହି ଡାକ୍ତରଖାନା ରେ ଥିବା ଏକମାତ୍ର ଜେନେରେଟର  ଅଚଳ ହୋଇପଡିରହିଛି। ଦିନ ହେଉକି ରାତିରେ ବିଦ୍ୟୁତ ସେବା ବିଚ୍ଛିନ୍ନ ହେଲେ ରୋଗୀ ତାଙ୍କ ସମ୍ପର୍କୀୟ ହନ୍ତସନ୍ତ ହେବା ସହ ଡ଼ାକ୍ତର ମଧ୍ୟ ରୋଗୀ ଦେଖିବାରେ ବିଭିନ୍ନ ପ୍ରକାର ଅସୁବିଧା ହେଉଛି। କିଛି ସଚେତନ ନାଗରିକଙ୍କ ସହ କାର୍ଯ୍ୟରତ କର୍ମଚାରୀ ଏବିଷୟରେ ସିଡିଏମଓ, ଉପଜିଲ୍ଲାପାଳଙ୍କ ଦୂଷ୍ଟିକୁ ଆଣିଥିବା ଜଣାପଡିଛି। ତଥାପି  ମଧ୍ୟ ଉପରୋକ୍ତ ସମସ୍ୟା ର ସମାଧାନ ହୋଇପାରୁନଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏଥିପ୍ରତି  ରାଜ୍ୟ ସରକାର ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବୀ ହେଉଛି।