ଭୋପାଳ: ନବରାତ୍ରିକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ମାଂସ, ମାଛ ଏବଂ ଅଣ୍ଡା ବିକ୍ରି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଭୋପାଳ ମ୍ୟୁନିସିପାଲ କର୍ପୋରେସନ୍ (ବିଏମସି) ପକ୍ଷରୁ ଜାରି ହୋଇଥିବା ଏକ ନୋଟିସ୍ ଅନୁଯାୟୀ, ୨୨ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଏହି ପ୍ରତିବନ୍ଧକ ଲାଗୁ ରହିବ।
ସୋମବାରଠାରୁ ପବିତ୍ର ନବରାତ୍ରି ଉତ୍ସବ ଆରମ୍ଭ ହେଉଛି। ଏହା ଏକ ପବିତ୍ର ହିନ୍ଦୁ ଉତ୍ସବ ହୋଇଥିବାରୁ, ଏହି ସମୟରେ ଅଣ-ଶାକାହାରୀ ଖାଦ୍ୟର ବିକ୍ରିକୁ ନିଷିଦ୍ଧ କରି ଧାର୍ମିକ ମର୍ଯ୍ୟାଦା ଏବଂ ସାମାଜିକ ସମ୍ପ୍ରୀତିକୁ ସମ୍ମାନ ଦେବାର ଲକ୍ଷ୍ୟ ରହିଛି। ଏହି ନିଷ୍ପତ୍ତି ସ୍ଥାନୀୟ ସଂସ୍କୃତି ଓ ପରମ୍ପରାକୁ ସମ୍ମାନ ଜଣାଇବା ପାଇଁ ନିଆଯାଇଛି ବୋଲି ଭୋପାଲର ସବ୍-ଡିଭିଜିଓନାଲ୍ ମାଜିଷ୍ଟେଟ ଦିବ୍ୟା ପଟେଲ ସୂଚନା ପ୍ରଦାନ କରିଛନ୍ତି।
ଏହି ସମୟରେ ଭୋପାଲର ସମସ୍ତ ମାଂସ, ମାଛ ଓ ଅଣ୍ଡା ବିକ୍ରି କରୁଥିବା ଦୋକାନ, ହୋଟେଲ ଏବଂ ଖାଦ୍ୟ ଆଉଟଲେଟଗୁଡ଼ିକ ବନ୍ଦ ରହିବ। ବିଏମସି ଅଧିକାରୀମାନେ ଏହି ନିୟମର ପାଳନ ନିଶ୍ଚିତ କରିବା ପାଇଁ ନିୟମିତ କ୍ଷେତ୍ର ପରିଦର୍ଶନ କରିବେ। ଏଣୁ ନିୟମ ଉଲ୍ଲଙ୍ଘନ କରୁଥିବା ବ୍ୟକ୍ତି ବା ପ୍ରତିଷ୍ଠାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
ଏହି ନିଷ୍ପତ୍ତିକୁ ଅନେକ ଲୋକ ସମର୍ଥନ କରୁଥିବା ବେଳେ, କିଛି ବ୍ୟବସାୟୀ ଓ ଖାଦ୍ୟ ଦୋକାନୀମାନେ ଏହା ଦ୍ୱାରା ସେମାନଙ୍କ ଜୀବିକା ଉପରେ ପ୍ରଭାବ ପଡ଼ିବ ବୋଲି ଚିନ୍ତା ବ୍ୟକ୍ତ କରିଛନ୍ତି।
ସେହିଭଳି, ନବରାତ୍ରୀ ସମୟରେ ଗୁରୁଗ୍ରାମରେ ଥିବା ସଲସ୍ତ ମାଂସ ଓ ମାଛ ଦୋକାନ ବନ୍ଦ କରିବାକୁ ବିଶ୍ୱ ହିନ୍ଦୁ ପରିଷଦ(VPH) ଡେପୁଟି କମିଶନରଙ୍କ ନିକଟରେ ଦାବି ପ୍ରଦାନ କରିଛନ୍ତି। ମନ୍ଦିର, ଶିକ୍ଷାନୁଷ୍ଠାନ ଓ ଆବାସିକ ଅଞ୍ଚଳରେ ଆମିଷ ବିକ୍ରୟ ଦ୍ୱାରା ଏହା ଭକ୍ତମାନଙ୍କ ଭାବାବେଗକୁ ଆଘାତ ପହଞ୍ଚାଇବ ବୋଲି ଏହି ଦାବି ପତ୍ରରେ ଉଲ୍ଲେଖ ରହିଛି। ଏହାଛଡା ଅନେକ ଦୋକାନ ଖାଦ୍ୟ ସୁରକ୍ଷା ମାନକ ଓ ସ୍ୱଚ୍ଛତା ପାଳନ କରୁନଥିବାରୁ ଏହା ଉପରେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି VPH ଦାବି କରିଛି।