ବୌଦ୍ଧ, ୨୭।୫  ବୌଦ୍ଧ ଜିଲ୍ଲାରେ କାଳବୈଶାଖୀ ତାଣ୍ଡବ। କାଳବୈଶାଖୀ ପ୍ରଭାବରେ ଘର କାନ୍ଥ ଭାଙ୍ଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ହେଲେ କଣ୍ଟାମାଳ ଡୁମାଳପାଲି ଗ୍ରାମର ହେମବତୀ ଷଣ୍ଢ।

ଗତ କିଛି ଦିନ ହେବ ପ୍ରଚଣ୍ଡ ରୌଦ୍ରତାପରେ ଆଉଟୁପାଉଟୁ ହେଉଥିଲେ ବୌଦ୍ଧ ଜିଲ୍ଲାବାସୀ। ସନ୍ଧ୍ୟା ସମୟରେ ହଠାତ୍ ବଦଳିଥିଲା ପାଗର ମିଜାଜ୍। କାଳବୈଶାଖୀ ପ୍ରଭାବରେ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଏବଂ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଜୋରଦାର ପବନ ବହିବା ସହ ପ୍ରବଳ ବର୍ଷା ହୋଇଛି। କେତେକ ସ୍ଥାନରେ କୁଆପଥର ମାଡ଼ ମଧ୍ୟ ଦେଖିବାକୁ ମିଳିଛି। ଯାହାଫଳରେ ଦୀର୍ଘଦିନର ଗୁଳୁଗୁଳିରୁ ଜିଲ୍ଲାବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି।

ହେଲେ ଏହି ଆଶ୍ୱସ୍ତିର ବର୍ଷା କାହା ପାଇଁ ସାଜିଛି କାଳ। କାଳବୈଶାଖୀର ପ୍ରଳୟଙ୍କରୀ ରୂପ କଣ୍ଟାମାଳ ଅଞ୍ଚଳରେ ତାଣ୍ଡବ ରଚିଛି। ପ୍ରବଳ ପବନ ଯୋଗୁଁ କଣ୍ଟାମାଳ ଡୁମାଳପାଲି ଗ୍ରାମର ହେମବତୀ ଷଣ୍ଢଙ୍କ ଘରର ଆଜବେଷ୍ଟସ ଉଡ଼ିଯିବା ସହ କାନ୍ଥଟି ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛି। ଦୁର୍ଭାଗ୍ୟବଶତଃ, ଘର ଭିତରେ ଥିବା ହେମବତୀଙ୍କ ଉପରେ ଏହି କାନ୍ଥଟି ଭୁଷୁଡ଼ି ପଡ଼ିଥିଲା। ଯାହାଫଳରେ ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ତୁରନ୍ତ କଣ୍ଟାମାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ସଂକଟାପନ୍ନ ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସୋନପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି।

​​​​​​​ଆହୁରି ପଢନ୍ତୁ : ୧୦୦ରୁ ଅଧିକ ଅପରାଧୀଙ୍କ ତାଲିକା ପ୍ରସ୍ତୁତ କଲା ବ୍ରହ୍ମପୁର ପୁଲିସ