ନୂଆଦିଲ୍ଲୀ,୧୮/୯ : ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍ଟି)ରେ କରାଯାଇଥିବା ସଂଶୋଧନରୁ ଭାରତୀୟ ଅର୍ଥବ୍ୟବସ୍ଥାକୁ ଅନ୍ୟୁନ ୨ ଲକ୍ଷ କୋଟି ଟଙ୍କା ଆସିବ । ଏହାଦ୍ୱାରା ସାଧାରଣ ଖାଉଟିଙ୍କ ପାଖରେ ଅଧିକ ଟଙ୍କା ବଞ୍ଚିବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବୁଧବାର ଏହା ପ୍ରକାଶ କରିଛନ୍ତି । ବିଶାଖାପାଟଣମ୍ରେ ‘ପରବର୍ତ୍ତୀ ପିଢ଼ି ଜିଏସ୍ଟି ସଂସ୍କାର’ ଉପରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅର୍ଥମନ୍ତ୍ରୀ କହିଲେ ଯେ, ଜିଏସ୍ଟି ହାରରେ ହ୍ରାସ ଦ୍ୱାରା ଦେଶବାସୀଙ୍କର ୨ ଲକ୍ଷ କୋଟି ଟଙ୍କା ସଞ୍ଚୟ ହେବ । ଏହା ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଏକ ବଡ଼ ପଦକ୍ଷେପ । ଲୋକଙ୍କ ହାତକୁ ଟଙ୍କା ଆସିବା ଦ୍ୱାରା ଅର୍ଥନୀତିରେ ଚାହିଦା ବଢ଼ିବ । ଏହା ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ । ସୀତାରମଣ ଆହୁରି କହିଲେ ଯେ, ଜିଏସ୍ଟିର ୧୨% ସ୍ଲାବ୍ରେ ସାମିଲ ୯୯% ସାମଗ୍ରୀ ଏବେ ୫% ଟିକସ ପରିସରକୁ ଆସିଯାଇଛି । ଏହାସହିତ ୨୮% ଟିକସ ସ୍ଲାବ୍ରେ ଥିବା ୯୦% ସାମଗ୍ରୀ ୧୮% ଟିକସ ପରିସରକୁ ଆସିଛି । ସେ କହିଲେ, ଏହି ପରିବର୍ତ୍ତନ ମଧ୍ୟବିତ୍ତଙ୍କୁ ବଡ଼ ଆକାରରେ ଫାଇଦା ଦେବ ଏବଂ ଦାରିଦ୍ର୍ୟ ଦୂରୀକରଣରେ ସହାୟକ ହେବ । ସୀତାରମଣ ଏହା ମଧ୍ୟ କହିଛନ୍ତି ଯେ, ଜିଏସ୍ଟି ହାର ସଂଶୋଧନ ଯୋଗୁ ମିଳିବାକୁ ଥିବା ଲାଭ ଦେଶର ଅନେକ ଶିଳ୍ପକୁ ଦିଆଯାଉଥିବା ପ୍ରୋତ୍ସାହନ ରାଶିଠାରୁ ୧୦ ଗୁଣା ଅଧିକ । ଅର୍ଥମନ୍ତ୍ରୀ ଆହୁରି କହିଲେ ଯେ, ଜିଏସ୍ଟି ଲାଗୁ ହେବା ପରଠାରୁ ୨୦୨୫ ପର୍ଯ୍ୟନ୍ତ ଏ ବାବଦ ରାଜସ୍ୱ ବଢ଼ି ୨୨.୦୮ ଲକ୍ଷ କୋଟି ଟଙ୍କା ହୋଇଛି । ଏହାବ୍ୟତୀତ ଜିଏସ୍ଟି ଯୋଗୁ ଟିକସଦାତାଙ୍କ ସଂଖ୍ୟା ବି ୬୫ ଲକ୍ଷରୁ ବଢ଼ି ୧.୫୧ କୋଟିରେ ପହଞ୍ଚିଛି । ଏହା ଦର୍ଶାଉଛି ଯେ, ଜିଏସ୍ଟି କେବଳ ରାଜସ୍ୱ ବଢ଼ାଇନାହିଁ ବରଂ ଟିକସଦାତାଙ୍କ ଆଧାରକୁ ବି ମଜଭୁତ କରିଛି । ଏବେ ଜିଏସ୍ଟି ୪ ବଦଳରେ ଦୁଇଥାକିଆ ହୋଇଛି । ୫% ଏବଂ ୧୮% ଜିଏସ୍ଟି ବ୍ୟବସ୍ଥା ସେପ୍ଟେମ୍ବର ୨୨ରୁ କାର୍ଯ୍ୟକାରୀ ହେବ । ଏହା ଦ୍ୱାରା ସାଧାରଣ ଭାବେ ବ୍ୟବହୃତ ସାମଗ୍ରୀ ଯେପରି ସାବୁନ, ସ୍ୟାମ୍ପୋ ସହ ଏସି, କାର ବି ଶସ୍ତା ହେବ । ଜିଏସ୍ଟି ପରିଷଦର ୫୬ତମ ବୈଠକରେ ଏ ନିଷ୍ପତ୍ତି ନିଆଯାଇଛି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସେପ୍ଟେମ୍ବର ୩ରେ ଏହି ସୂଚନା ଦେଇଥିଲେ । ସୀତାରମଣ କହିଥିଲେ ଯେ, କ୍ଷୀର, ରୁଟି, ପରଟା, ଛେନା ସମେତ ଅନେକ ଖାଦ୍ୟ ସାମଗ୍ରୀ ଜିଏସ୍ଟିମୁକ୍ତ ହେବ । ସେହିଭଳି ବ୍ୟକ୍ତିଗତ ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ଉପରେ ବି ଟିକସ ଲାଗିବ ନାହିଁ । ୩୩ ଜୀବନ ରକ୍ଷକ ଔଷଧ, ବିରଳ ରୋଗ ଏବଂ ଗମ୍ଭୀର ରୋଗ ପାଇଁ ଔଷଧଗୁଡ଼ିକ ବି ଟିକସମୁକ୍ତ ହେବ । ବିଳାସ ସାମଗ୍ରୀ ଏବଂ ତମାଖୁ ଉତ୍ପାଦ ଉପରେ ଏବେ ୨୮% ବଦଳରେ ୪୦% ଜିଏସ୍ଟି ଲାଗିବ । ମଧ୍ୟମ ଏବଂ ବଡ଼ କାର, ୩୫୦ ସିସିରୁ ଅଧିକ ଇଞ୍ଜିନଯୁକ୍ତ ମୋଟରସାଇକେଲ ମଧ୍ୟ ଏହି ସ୍ଲାବ୍ରେ ଆସିବ । ଅର୍ଥମନ୍ତ୍ରୀ କହିଥିଲେ ଯେ, ନୂଆ ସ୍ଲାବ୍ ନବରାତ୍ରିର ପ୍ରଥମ ଦିନ ଅର୍ଥାତ୍ ସେପ୍ଟେମ୍ବର ୨୨ରେ ଲାଗୁ ହେବ । ତେବେ ତମାଖୁଯୁକ୍ତ ସାମଗ୍ରୀ ଉପରେ ନୂଆ ୪୦% ଜିଏସ୍ଟି ହାର ଏବେ ଲାଗୁ ହେବ ନାହିଁ । ଏହି ପରିବର୍ତ୍ତନର ଉଦ୍ଦେଶ୍ୟ ହେଉଛି, ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି ଦେବା, କ୍ଷୁଦ୍ର ବ୍ୟବସାୟୀଙ୍କୁ ସହଯୋଗ କରିବା ଏବଂ ତମାଖୁ ଭଳି ଅବଗୁଣକାରୀ ଉତ୍ପାଦଗୁଡ଼ିକ ଉପରେ ଟିକସ ବଢ଼ାଇ ସେଗୁଡ଼ିକର ଉପଯୋଗ କମ୍ କରିବା ।