ତାଲିନ: ଶୁକ୍ରବାର ଦିନ ଏଷ୍ଟୋନିଆର ବୈଦେଶିକ ମନ୍ତ୍ରଣାଳୟ ରୁଷିଆର ଜଣେ କୂଟନୀତିଜ୍ଞଙ୍କୁ ଡକାଇ ନିଜର ଅସନ୍ତୋଷ ଜାହିର କରିଛି। କାରଣ ରୁଷିଆର ତିନୋଟି ଯୁଦ୍ଧ ବିମାନ ଅନୁମତି ବିନା ଏଷ୍ଟୋନିଆର ଆକାଶ ସୀମାରେ ୧୨ ମିନିଟ୍ ପାଇଁ ପ୍ରବେଶ କରିଥିଲେ। ବୈଦେଶିକ ମନ୍ତ୍ରୀ ମାର୍ଗସ୍ ତ୍ସାହକ୍ନା ଏହି ଘଟଣାକୁ "ଏ ବର୍ଷର ସବୁଠାରୁ ଗମ୍ଭୀର ଉଲ୍ଲଂଘନ" ବୋଲି କହି ଏହାର କଡା ନିନ୍ଦା କରିଛନ୍ତି।
ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଏହି ଉଲ୍ଲଂଘନ ଫିନଲ୍ୟାଣ୍ଡ ଉପସାଗର ଉପରେ ଘଟିଥିଲା ଏବଂ ଏଥିରେ ରୁଷିଆର ତିନୋଟି ମିଗ-୩୧ ଯୁଦ୍ଧ ବିମାନ ଏଷ୍ଟୋନିଆର ବାୟୁ ସୀମାକୁ ଧସେଇ ପଶିଥିଲେ। ଏନେଇ ଏଷ୍ଟୋନିଆର ରାଜଧାନୀ ତାଲିନରେ ରୁଷିଆର ଚାର୍ଜ ଡି’ଆଫେୟାର୍ସଙ୍କୁ ଡକାଯାଇ ଏକ ଔପଚାରିକ ପ୍ରତିବାଦ ପତ୍ର ମଧ୍ୟ ହସ୍ତାନ୍ତର କରାଯାଇଛି।
ଗତ ସପ୍ତାହରେ ରୁଷିଆର କେତେକ ସାମରିକ ଡ୍ରୋନ ପୋଲାଣ୍ଡ ଆକାଶ ସୀମାରେ ଅନୁପ୍ରବେଶ କରିଥିଲେ। ଯେଉଁଥିପାଇଁ ନାଟୋ ଡ୍ରୋନ୍ ନଷ୍ଟ କରିବା ପାଇଁ ଯୁଦ୍ଧ ବିମାନ ପଠାଇଥିଲା। ଯାହା ପୂର୍ବ ଇଉରୋପରେ ମସ୍କୋର ଏହି ଅନୁପ୍ରବେଶକୁ ନେଇ ଉତ୍ତେଜନା ବୃଦ୍ଧି କରିଛି। ରୁଷିଆ-ୟୁକ୍ରେନ ଯୁଦ୍ଧ ଆମେରିକାର ଅନେକ ମାସର ପ୍ରୟାସ ଓ ଆମେରିକା-ରୁଷିଆ ଶିଖର ବୈଠକ ସତ୍ତ୍ୱେ ଜାରି ରହିଛି।
ନାଟୋ ବେଲାରୁଶ, ରୁଷିଆ ଏବଂ ୟୁକ୍ରେନ ସୀମାବର୍ତ୍ତୀ ପୂର୍ବାଞ୍ଚଳରେ ନିଜର ପ୍ରତିରକ୍ଷା ଅବସ୍ଥାକୁ ଧିରେଧିରେ ମଜବୁତ କରୁଛି। ଅନ୍ୟପଟେ, ରୁଷିଆ ବେଲାରୁଶ ସହ ପୂର୍ବ ଯୋଜନା ଅନୁସାରେ ସାମରାଭ୍ୟାସ କରି ତା’ର ପାରମ୍ପରିକ ଓ ପାରମାଣବିକ ସାମରିକ ଶକ୍ତି ପ୍ରଦର୍ଶନ କରିଛି। ଯାହା ପାଶ୍ଚାତ୍ୟ ଦେଶମାନଙ୍କ ମଧ୍ୟରେ ରୁଷିଆକୁ ନେଇ ଚିନ୍ତା ବଢ଼ାଇଛି।
ଏହାରି ମଧ୍ୟରେ, ୟୁକ୍ରେନ ଓ ପୋଲାଣ୍ଡ ସରକାର କିଭ୍ ରେ ଏକ ଚୁକ୍ତି ସ୍ୱାକ୍ଷର କରିଛନ୍ତି, ଯାହା ଅନୁଯାୟୀ ଉଭୟ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ନିକଟତର ଭାବେ କାର୍ଯ୍ୟ କରିବେ ବୋଲି ସୂଚନା ମିଳିଛି।