ପ୍ୟାରିସ: ଫ୍ରାନ୍ସରେ ଇସଲାମ-ବିରୋଧୀ ଘୃଣାର ନୂଆ ପର୍ଯ୍ୟାୟ ଦେଖାଦେଇଛି। ଯେଉଁଠି ପ୍ୟାରିସ ସହ ଆଖପାଖ ଅଞ୍ଚଳରେ ଥିବା ଏକାଧିକ ମସଜିଦ ବାହାରେ ଅତି କମରେ ନଅଟି ଘୁଷୁରି ମୁଣ୍ଡ ପଡ଼ିଥିବା ରିପୋର୍ଟ ପ୍ରକାଶ ପାଇଛି। ଏହି ଘଟଣାଗୁଡ଼ିକ ଖୁଲମଖୁଲା ରାସ୍ତାରେ ଘଟିଥିବା ବେଳେ ପ୍ୟାରିସର ଅତି କମରେ ଦୁଇଟି ମସଜିଦ ଏବଂ ସହର ସୀମାରେ ଅବସ୍ଥିତ ଆଉ ଏକ ମସଜିଦ ଆଖପାଖରେ ଏଭଳି ଘଟଣା ଘଟିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପ୍ୟାରିସର ଉତ୍ତର ଅଞ୍ଚଳରେ ଥିବା ଏକ ମସଜିଦ ନିକଟରେ ଏକ ସୁଟକେସ୍ରେ ଘୁଷୁରି ମୁଣ୍ଡ ମିଳିଛି। ଏହାଛଡା ଏକ ସ୍ଥାନରେ ନୀଳ ରଙ୍ଗରେ “ମାକ୍ରୋନ୍” ବୋଲି ଲେଖାଯାଇଛି, ଯାହା ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କୁ ସୂଚିତ କରୁଛି।
ସୂଚନା ମୁତାବକ, ପ୍ୟାରିସର ଯୁକ୍ତରାଜ୍ୟରେ ସବୁଠାରୁ ବେଶି ମୁସଲମାନ ଜନସଂଖ୍ୟା ବାସ କରନ୍ତି, ଯାହାର ସଂଖ୍ୟା ୬୦ ଲକ୍ଷରୁ ଅଧିକ। ଇସଲାମ ଧର୍ମରେ ଘୁଷୁରିକୁ ଅଶୁଦ୍ଧ(ହାରାମ) ବୋଲି ବିଚାର କରାଯାଏ। ତେଣୁ ଏହି କାର୍ଯ୍ୟ ମୁସଲମାନଙ୍କ ପାଇଁ ଅତ୍ୟନ୍ତ ଆକ୍ରମଣାତ୍ମକ ଏବଂ ଅପମାନଜନକ ବୋଲି ସ୍ଥାନିୟ ବାସିନ୍ଦା ଦାବି କରିଛନ୍ତି। ଏହା ଗାଜା ଯୁଦ୍ଧ ବୃଦ୍ଧି ପରେ ଇସଲାମ-ବିରୋଧୀ ଘୃଣାର ଏକ ଅଂଶ ଭାବେ ଦେଖାଯାଉଛି।
ଫ୍ରେଞ୍ଚ ପୁଲିସ ଏହି ଘଟଣାଗୁଡ଼ିକର ତୁରନ୍ତ ଯାଞ୍ଚ ଆରମ୍ଭ କରିଛି। ପ୍ୟାରିସ ପୁଲିସ ମୁଖ୍ୟ ଲାଉରେଣ୍ଟ୍ ନୁନେଜ୍ ସାମାଜିକ ଗଣମାଧ୍ୟମ ଏକ୍ସ୍ (ପୂର୍ବ ଟ୍ୱିଟର୍)ରେ କହିଛନ୍ତି, “ଏହି ନିନ୍ଦନୀୟ କାର୍ଯ୍ୟକଳାପର ଅପରାଧୀମାନଙ୍କୁ ଖୋଜିବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି।” ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଗକୁ ଅଧିକ ଘୁଷୁରି ମୁଣ୍ଡ ମିଳିବାର ସମ୍ଭାବନା ରହିଛି। ଏହି ଯାଞ୍ଚ ଉତ୍ତେଜନା ଏବଂ ଭେଦଭାବ ଆଧାର ସନ୍ଦେହରେ ପ୍ୟାରିସ ପୁଲିସର ଏକ ବିଶେଷ ୟୁନିଟ୍ ଦ୍ୱାରା କରାଯାଉଛି। ଏହାସହ ଗୃହ ମନ୍ତ୍ରୀ ବ୍ରୁନୋ ରିଟେଲୋ ଏହି କାର୍ଯ୍ୟକଳାପକୁ “ଅତ୍ୟନ୍ତ ନିନ୍ଦନୀୟ ଏବଂ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର୍ଯ୍ୟ” ବୋଲି ବର୍ଣ୍ଣନା କରିଛନ୍ତି।
ବିଗତ କିଛି ବର୍ଷ ହେବ ଫ୍ରାନ୍ସରେ ଇସ୍ଲାମ-ବିରୋଧୀ ଘୃଣା ଭାବ ବୃଦ୍ଧି ପାଇବାରେ ଲାଗିଛି। ବିଶେଷତଃ ୨୦୨୩ ମସିହା ଅକ୍ଟୋବରରେ ହମାସ୍ର ଇସ୍ରାଏଲ୍ ଉପରେ ଆକ୍ରମଣ ପରେ ଗାଜା ଯୁଦ୍ଧ ଆରମ୍ଭ ହେବା ପରେ ୟୁରୋପୀୟ ସଂଘର ଅନେକ ଦେଶରେ ଇସଲାମ-ବିରୋଧୀ ଘୃଣା ଭାବ ବୃଦ୍ଧି ହୋଇଛି। ଫ୍ରାନ୍ସରେ ଇସ୍ରାଏଲ୍ ଏବଂ ଆମେରିକା ପରେ ସବୁଠାରୁ ବେଶି ଇହୁଦୀ ଜନସଂଖ୍ୟା ଅଛି, ଯାହା ଦେଶର ବିଭିନ୍ନ ଧାର୍ମିକ ବୈଚିତ୍ର୍ୟକୁ ପ୍ରତିଫଳିତ କରେ।
ପାରିସର ଗ୍ରାଣ୍ଡ୍ ମସଜିଦର ରେକ୍ଟର୍ ଚେମ୍ସ୍-ଏଡିନ୍ ହାଫିଜ୍ ଏହି ଘଟଣାଗୁଡ଼ିକୁ “ଇସଲାମ-ବିରୋଧୀ ଘୃଣାର ବୃଦ୍ଧିରେ ନୂଆ ଏବଂ ଦୁଃଖଜନକ ପର୍ଯ୍ୟାୟ” ବୋଲି ବର୍ଣ୍ଣନା କରିଛନ୍ତି। ସେ ଆହୁରି କହିଛନ୍ତି ଯେ, “ଏହି ବିପଦଜନକ ଦିଗକୁ ବିରୋଧରେ ସଚେତନତା ଏବଂ ଜାତୀୟ ଐକ୍ୟବଦ୍ଧତା ଆବଶ୍ୟକ।”
ଏହି ଘଟଣାଗୁଡ଼ିକ ଫ୍ରାନ୍ସରେ ଧାର୍ମିକ ସମ୍ପ୍ରଦାୟରେ ସଂଘର୍ଷ ବଢ଼ାଇପାରେ ବୋଲି ବିଶେଷଜ୍ଞମାନେ ମତ୍ତ ପ୍ରକାଶ କରିଛନ୍ତି। ୟୁରୋପିୟ ସଂଘର ମୌଳିକ ଅଧିକାର ସଂସ୍ଥାନର ରିପୋର୍ଟ୍ ଅନୁଯାୟୀ, ୨୦୨୩ ଅକ୍ଟୋବରରୁ ଗାଜା ଯୁଦ୍ଧ ଆରମ୍ଭ ହୋଇଥିବା ପରେ ବିଭିନ୍ନ ୟୁରୋପିୟ ଦେଶମାନଙ୍କରେ ଇସଲାମ-ବିରୋଧୀ ଘୃଣା ଏବଂ ଇହୁଦୀ-ବିରୋଧୀତାର ବୃଦ୍ଧି ହୋଇଛି। ଏହା ଫ୍ରାନ୍ସରେ ମୁସଲମାନଙ୍କ ଧର୍ମ ସ୍ୱାଧୀନତା ଏବଂ ସମ୍ପ୍ରଦାୟିକ ସମ୍ପର୍କକୁ ପ୍ରଭାବିତ କରିପାରେ। ପ୍ରଶାସନ ଏହି ଅପରାଧୀମାନଙ୍କୁ ଶୀଘ୍ର ଧରିବା ପାଇଁ ଯାଞ୍ଚ ଜାରି ରଖିଛନ୍ତି।