ନୂଆଦିଲ୍ଲୀ, ୬/୧୧ : ଇରାନର ରାଜଧାନୀ ତେହରାନରେ ଉତ୍କଟ ଜଳ ସଙ୍କଟ। ସ୍ଵଳ୍ପ ବୃଷ୍ଟି ଯୋଗୁଁ ଶୁଖିଗଲାଣି ପାଣି। ଶୁଷ୍କ ପଡ଼ିଛି ଚାଷଜମି। ଚାରିଆଡ଼େ ହାହାକାର ସ୍ଥିତି। ଡ୍ୟାମ୍ ଗୁଡ଼ିକରେ ବାକି ଆଛି ଆଉ ମାତ୍ର ଦୁଇ ସପ୍ତାହ ପାଇଁ ପାଣି। ଶୋଷରେ ହାଁ ହାଁ ତେହେରାନବାସୀ। ସ୍ଥିତି ନସୁଧୁରିଲେ ବିସ୍ଥାପନ ଶେଷ ବିକଳ୍ପ। ଅନ୍ୟ ସ୍ଥାନକୁ ପଳାୟନ କରିବାକୁ ବାଧ୍ୟ ହେବେ ଲୋକେ।
ଚଳିତ ବର୍ଷ ସ୍ଵଳ୍ପ ବୃଷ୍ଟି ପାଇଁ ତେହେରାନ୍ରେ ମରୁଡ଼ି ସ୍ଥିତି ଉପୁଜିଛି। ଜଳାଶୟ ଗୁଡ଼ିକରେ ଜଳସ୍ତର ହ୍ରାସ ପାଇଛି। ଚାଷ ଜମି ଗୁଡ଼ିକ ଫାଟି ଆଁ କରିଛି। ଫଳରେ ଖାଦ୍ୟ ସୁରକ୍ଷା ଏବଂ ଗ୍ରାମୀଣ ଜୀବନ ଜୀବିକା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଡ୍ୟାମ୍ ଗୁଡ଼ିକରେ ୪୩ ପ୍ରତିଶତ ଜଳସ୍ତର ହ୍ରାସ ପାଇଛି। ଏହା ଦଶକର ସବୁଠୁ ଶୁଷ୍କ ଶରତ ଋତୁ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ତେହେରାନର ପ୍ରମୁଖ ଜଳଭଣ୍ଡାର ମଧ୍ୟରୁ ଗୋଟିଏ ଆମିର କବୀର ଡ୍ୟାମର ଜଳସ୍ତର ୧୪ ମିଲିଅନ କ୍ୟୁବିକ ମିଟର ରହିଛି।
ପାଣି ପାଇଁ କିଛି ଅଞ୍ଚଳରେ ପ୍ରତିବାଦ ଆରମ୍ଭ ହୋଇଛି। ଦୀର୍ଘକାଳୀନ ମରୁଡ଼ି ପରିସ୍ଥିତି, କମ୍ ବର୍ଷା ଏବଂ ଡ୍ୟାମରେ ଜଳ ପ୍ରବାହ ହ୍ରାସ, ଏବଂ ଜଳ ପରିଚାଳନା ଏବଂ ରାଜନୈତିକ ବିବାଦ ଜନସାଧରଣଙ୍କ ଚିନ୍ତା ବଢାଇ ଦେଇଛି। ତେବେ ମରୁଡ଼ି ସ୍ଥିତି ସତ୍ତ୍ଵେ ସରକାର ଶିଳ୍ପଗୁଡ଼ିକୁ ପାଣି, ବିଦ୍ୟୁତ୍ କିମ୍ବା ଗ୍ୟାସ୍ ଯୋଗାଣ ବନ୍ଦ କରିବେ ନାହିଁ ବୋଲି ଇରାନ ରାଷ୍ଟ୍ରପତି ମସୁଦ ପେଜେସକିୟନ କହିଛନ୍ତି। ଇରାନ ୱାୟାର ଅନଲାଇନ୍ ନ୍ୟୁଜ୍ ଆଉଟଲେଟ୍ ଅନୁଯାୟୀ, ଆମିର କବୀର ଡ୍ୟାମରେ ରାଜଧାନୀକୁ ଯୋଗାଣ ପାଇଁ ବର୍ତ୍ତମାନ କେବଳ ଦୁଇ ସପ୍ତାହରୁ କମ୍ ସମୟ ପାଇଁ ପାଣି ଅଛି। ମୋଟାମୋଟ ଭାବେ କହିବାକୁ ଗଲେ ଇରାନ "୫୭ ବର୍ଷ ମଧ୍ୟରେ ସବୁଠାରୁ ଶୁଷ୍କ ଶରତ" ଅନୁଭବ କରିଛି। ଆଗକୁ ସ୍ଥିତି ନସୁଧୁରିଲେ ତେହରାନରେ ମରୁଡ଼ି ପଡ଼ିବ। ଭୋକ ବିକଳରେ ଲୋକେ ଆଉଟୁପାଉଟୁ ହେବେ।