ପୁରୀ,୨୬/୧୦ : ଅପରେସନ ଚକ୍ର ଅଭିଯାନରେ ୩ଜଣ କୁଖ୍ୟାତ ପେଷାଦାର ଅପରାଧିଙ୍କୁ ଟାଉନ ଥାନା ପୋଲିସ ଗିରଫ କରିଛି। ନିୟମିତ ଭାବେ ମାଦକ ଦ୍ରବ୍ୟ ସେବନ କରି ଛୁରୀ ଦେଖାଇ ଉଠା ଦୋକାନୀ ଓ ଅଟୋ ଡ୍ରାଇଭରଙ୍କୁ ଭୟଭୀତ କରାଇ ସୋମାନଙ୍କଠାରୁ ଦାଦା ବଟି ଆଦାୟ କରିବା ଏବଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ପରି ସଙ୍ଗିନ୍ ଅଭିଯୋଗ ରହିଛି ସୋମାନଙ୍କ ନାମରେ। ୩ ଅଭିଯୁକ୍ତ ହେଲେ ମନୋଜ ଭୋଇ(୨୦), ମନୋରଞ୍ଜନ ପଣ୍ଡା(୨୮), ବନ୍ଧନ ମଲିକ (୨୭) ।
ଭୟରେ କେହି କିଛି ପ୍ରତିବାଦ କରନ୍ତି ନାହିଁ କି ଅଭିଯୋଗ ଦିଅନ୍ତି ନାହିଁ। ଆଜି ଦିନ ସମୟରେ ଟାଉନ ଥାନା ପୋଲିସ ନିଜ ଆଡୁ ଗୋଟିଏ ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଛୁରୀ, ମୋବାଇଲ ଫୋନ୍ ଏବଂ ବେଆଇନ ଟଙ୍କା ଜବତ କରାଯାଇଛି । ଆଜି ସେମାନଙ୍କୁ ଏସଡ଼ିଜେଏମ୍, ପୁରୀ କୋର୍ଟରେ ହାଜର କରାଯାଇଥିଲା। ମାତ୍ର ଜାମିନ ନାମଞ୍ଜୁର ହେବାରୁ ସମସ୍ତ ଅପରାଧିଙ୍କୁ ପୁରୀ ଜିଲ୍ଲା କାରାଗାରକୁ ପଠାଯାଇଛି । ସମସ୍ତ ଅପରାଧୀଙ୍କ ନାମରେ ପୂର୍ବରୁ ଆକ୍ରମଣ, ହତ୍ୟା ଉଦ୍ୟମ, ଦାଦାବଟି ଆଦାୟ ପରି ସଙ୍ଗିନ୍ ମାମଲା ବିଭିନ୍ନ ଥାନାରେ ରହିଛି। ଟାଉନ ଥାନାରେ କେଶ ନମ୍ବର ୫୬୮/୨୫ରେ ମାମଲା ରୁଜୁ କରାଯାଇଛି ତଦନ୍ତ ଚାଲିଛି ।