ଟୋକିଓ: ଗତ ଶୁକ୍ରବାର ଜାପାନରେ ବାତ୍ୟା ପେଇପା ଲ୍ୟାଣ୍ଡଫଲ କରିବା ସହ ଭୟଙ୍କର ତାଣ୍ଡବ ରଚିଛି। ଏହାଯୋଗୁଁ ଦେଶର ପଶ୍ଚିମାଞ୍ଚଳରେ ଭାରି ବୃଷ୍ଟିପାତ ହେବା ସହ ଜୋରରେ ପବନ ବହିବାରେ ଲାଗିଛି। ଯାହାଫଳରେ ପରିବହନ ସେବା ସହ ଶକ୍ତିସାଧନ ଭିତ୍ତିଭୂମିରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇଛି। ଚଳିତ ବର୍ଷ ଏହା ଜାପାନରେ ୧୫ ତମ ବାତ୍ୟା ହୋଇଥିବା ବେଳେ ଏହା ପଶ୍ଚିମ ଜାପାନ ଓ ଦକ୍ଷିଣ ୱାକାୟାମାରେ ଦୁଇଥର ଲ୍ୟାଣ୍ଡଫଲ କରିଥିବା ସୂଚନା ମିଳିଛି।

ଏହି ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ମଧ୍ୟ ଜାପାନରେ ଅବସ୍ଥିତ ସିଜୋକା ଅଞ୍ଚଳରେ ବ୍ୟପକ କ୍ଷୟକ୍ଷତି ଘଟିଥିବା ନେଇ ସ୍ଥାନୀୟ ଅଧିକାରିମାନେ ସୂଚନା ପ୍ରଦାନ କରିଛନ୍ତି। ଏହାସହ ପବନର ବେଗ ଅଧିକ ରହିଥିବାରୁ ଅନେକ ଘର ଓ ଦୋକାନ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ଏହାସହ ଟୋକିଓର ଦକ୍ଷିଣରେ ଅବସ୍ଥିତ ଥିବା କାମାକୁରା ଅଞ୍ଚଳରେ ବନ୍ୟାପାଣି ଧସେଇ ପଶିବା ଯୋଗୁଁ ରାସ୍ତାରେ ଥୁଆହୋଇଥିବା ଗାଡି ଗୁଡିକ ଭାସିଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ବାତ୍ୟା ପେଇବା ପଶ୍ଚିମ ଜାପାନରେ ଦୁଇଥର ଲ୍ୟାଣ୍ଡଫଲ କରିଥିବା ଜଣାପଡିଛି। ପ୍ରଥମେ ଶୁକ୍ରବାର ରାତି ଟା ସମୟରେ ସୁକୁମୋ ଅଞ୍ଚଳରେ ଲ୍ୟାଣ୍ଡଫଲ କରିଥିବା ବେଳେ ଦ୍ୱୀତିୟ ଥର ଦକ୍ଷିଣ ୱାକାୟାମାରେ ଶନିବାର ସକାଳ 9ଟା ସମୟରେ ଆଉଥରେ ଲ୍ୟାଣ୍ଡଫଲ କରିଥିଲା। ଯାହାଫଳରେ ଭୟଙ୍କର ଘୂର୍ଣ୍ଣୀବଳୟ ସହ ଅତ୍ୟଧିକ ବେଗରେ ପବନ ବହିବା ଆରମ୍ଭ କରିଥିଲା।

ସ୍ଥାନିୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ପାଖାପାଖି ୧୫ ହଜାରରୁ ଅଧିକ ଘର ବିଦ୍ୟୁତ ସଂଯୋଗରୁ ବଞ୍ଚିତ ହେବା ସହ ୫୦ ହଜାରରୁ ଅଦିକ ଲୋକ ପ୍ରଭାବିତ ହୋଇଛନ୍ତି। ସିଜୋକା ଅଞ୍ଚଳରେ ୧୨୭ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ବିଦ୍ୟୁତ ସରବରାହରେ ବିଭ୍ରାଟ ଓ ଟ୍ରାକରେ ପାଣି ମାଡିଯିବା ଯୋଗୁଁ ରେଳ ସେବା ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଯାହାଫଳରେ ଶତାଧିକ ଟ୍ରେନକୁ ବାତିଲ କରାଯାଇଥିବା ସୂଚନା ମିଳିଛି।

ଅତ୍ୟଧିକ ବୃଷ୍ଟିପାତ କାରଣକୁ ଜାପାନର ପାଣିପାଗ ବିଭାଗ ଭୂ-ସ୍ଖଳନ ଓ ବନ୍ୟା ସମ୍ପର୍କିତ ଚେତାବନୀ ଜାରି କରିଛି। ତେଣୁ ତଳିଆ ଅଞ୍ଚଳର ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏହାସହ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି ବୋଲି ସୂଚନା ମିଲିଛି।