ନ୍ୟୁୟର୍କ, ୩/୯ : ଚଳିତ ୟୁଏସ ଓପନ ଗ୍ରାଣ୍ଡସ୍ଲାମ୍ର କ୍ୱାର୍ଟର ଫାଇନାଲ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି । ଟପ ସିଡ୍ ଜାନିକ ସିନରଙ୍କ ସମେତ ଫେଲିକ୍ସ ଅଗର- ଆଲିଆସେମ, ଲରେଞ୍ଜୋ ମୁସେଟ୍ଟି, ଇଗା ସ୍ୱିଟେକ, ନାଓମି ଓସାକା ପ୍ରମୁଖ ବିଜୟ ଜାରି ରଖି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି । ଟାଇଟଲ ଦୌଡ଼ରୁ ଅନ୍ୟତମ ଟାଇଟଲ ଦାବିଦାର ତଥା ଘରୋଇ ଷ୍ଟାର୍ କୋକୋ ଗୌଫଙ୍କ ଅଭିଯାନ ଶେଷ ହୋଇଛି ।
ମହିଳା ସିଙ୍ଗଲ୍ସ: ଚତୁର୍ଥ ରାଉଣ୍ଡ୍ରେ ଦ୍ୱିତୀୟ ସିଡ୍ ସ୍ୱିଟେକ ୬-୩, ୬-୧ ସେଟ୍ରେ ୧୩ତମ ସିଡ୍ ଏକତାରିନା ଆଲେକଜାଣ୍ଡ୍ରୋଭାଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ ଜିତିବା ପାଇଁ ତାଙ୍କୁ ମାତ୍ର ୬୪ ମିନିଟ୍ ଲାଗିଥିଲା । ଏହି ମ୍ୟାଚ୍ରେ ସେ ୫ଟି ବ୍ରେକ୍ ପଏଣ୍ଟ ହାସଲ କରିଥିଲେ । ସେ କ୍ୱାର୍ଟରରେ ଅଷ୍ଟମ ସିଡ୍ ଆମଣ୍ଡା ଆନିସିମୋଭାଙ୍କୁ ଭେଟିବେ । ଆନିସିମୋଭା ଚତୁର୍ଥ ରାଉଣ୍ଡରେ ୧୮ତମ ସିଡ୍ ବିଟ୍ରିଜ ହାଦାଦ ମାୟାଙ୍କୁ ୬-୦, ୬-୩ ସେଟ୍ରେ ହରାଇଥିଲେ । ଏହି ମ୍ୟାଚ୍ ଜିତିବା ପାଇଁ ଆନିସିମୋଭାଙ୍କୁ ୭୫ ମିନିଟ୍ ଲାଗିଥିଲା ।
୧୧ତମ ସିଡ୍ କାରୋଲିନା ମୁଚୋଭା ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୨୭ତମ ସିଡ୍ ମାର୍ତା କୋତ୍ସ୍ୟୁକଙ୍କୁ ୬-୩, ୬-୭(୦- ୭), ୬-୩ ସେଟ୍ରେ ହରାଇଥିଲେ । ଏହି ମ୍ୟାଚ ଜିତିବା ପାଇଁ ତାଙ୍କୁ ୨ଘଣ୍ଟା ୫୩ ମିନିଟ୍ ଲାଗିଥିଲା । ସେ କ୍ୱାର୍ଟର ଫାଇନାଲ୍ରେ ନାଓମି ଓସାକାଙ୍କୁ ଭେଟିବେ । ୨୩ତମ ସିଡ୍ ଓସାକା ଚତୁର୍ଥ ରାଉଣ୍ଡ୍ରେ ତୃତୀୟ ସିଡ୍ କୋକୋ ଗୌଫଙ୍କୁ ୬-୩, ୬-୨ ସେଟ୍ରେ ହରାଇଥିଲେ । ଏହି ମ୍ୟାଚ ଜିତିବା ପାଇଁ ତାଙ୍କୁ ୬୪ ମିନିଟ୍ ଲାଗିଥିଲା । ୪ବର୍ଷ ପରେ ଓସାକା କୌଣସି ଗ୍ରାଣ୍ଡସ୍ଲାମ୍ର କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଥିଲେ । ୨୦୨୧ରେ ଅଷ୍ଟ୍ରେଲିଆନ ଓପନ ଚାମ୍ପିଅନ୍ ହେବା ପରଠୁ ସେ ତୃତୀୟ ରାଉଣ୍ଡ୍ରୁ ଉପରକୁ ଉଠି ପାରୁ ନଥିଲେ । ଆଜି ଗୌଫଙ୍କ ବିପକ୍ଷରେ ସେ ୪ଟି ବ୍ରେକ୍ ପଏଣ୍ଟ ହାସଲ କରିବା ଫଳରେ ବିଜୟ ସହଜ ହୋଇଥିଲା ।
ପୁରୁଷ ସିଙ୍ଗଲ୍ସ: ଟପ ସିଡ୍ ଜାନିକ ସିନର ୬-୧, ୬-୧, ୬-୧ ସେଟ୍ରେ ୨୩ତମ ସିଡ୍ ଆଲେକଜାଣ୍ଡର ବବଲିକଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ ଜିତିବା ପାଇଁ ତାଙ୍କୁ ୧ ଘଣ୍ଟା ୨୧ମିନିଟ୍ ଲାଗିଥିଲା । ସେ ୩ଟି ସେଟ୍ରେ ମୋଟ୍ ୮ଟି ବ୍ରେକ୍ ପଏଣ୍ଟ ହାସଲ କରିଥିଲେ । କ୍ୱାର୍ଟର ଫାଇନାଲ୍ରେ ସିନର ନିଜ ଦେଶର ଖେଳାଳି ଲରେଞ୍ଜୋ ମୁସେଟ୍ଟିଙ୍କୁ ଭେଟିବେ । ଦଶମ ସିଡ୍ ମୁସେଟ୍ଟି ୬-୩, ୬-୦, ୬-୧ ସେଟ୍ରେ ସ୍ପେନର ଜାଉମେ ମୁନାରଙ୍କୁ ହରାଇଥିଲେ । ତାଙ୍କୁ ଏହି ମ୍ୟାଚ୍ ଜିତିବା ପାଇଁ ୧ଘଣ୍ଟା ୩୭ ମିନିଟ୍ ଲାଗିଥିଲା । ସେ ମଧ୍ୟ ୭ଟି ବ୍ରେକ୍ ପଏଣ୍ଟ ହାସଲ କରିଥିଲେ । ୨୫ତମ ସିଡ୍ ଫେଲିକ୍ସ ଅଗର-ଆଲିଆସେମ ୭-୫, ୬-୩, ୬-୪ ସେଟ୍ରେ ୧୫ତମ ସିଡ୍ ଆନ୍ଦ୍ରେ ରୁବଲେଭଙ୍କୁ ହରାଇଥିଲେ । ଏହି ମ୍ୟାଚ ଜିତିବା ପାଇଁ ଆଲିଆସେମଙ୍କୁ ୨ଘଣ୍ଟା ୧୬ ମିନିଟ ଲାଗିଥିଲା । ସେ କ୍ୱାର୍ଟରରେ ଆଲେକ୍ସ ଡି ମିନାଉରଙ୍କୁ ଭେଟିବେ । ଅଷ୍ଟମ ସିଡ୍ ମିନାଉର ଚତୁର୍ଥ ରାଉଣ୍ଡ୍ରେ ସ୍ୱିଜରଲାଣ୍ଡର ଲିଆଣ୍ଡ୍ରୋ ରିଡିଙ୍କୁ ୬-୩,୬-୨, ୬-୧ ସେଟ୍ରେ ହରାଇଥିଲେ । ମିନାଉରଙ୍କୁ ଏହି ମ୍ୟାଚ ଜିତିବା ପାଇଁ ୧ଘଣ୍ଟା ୩୩ମିନିଟ୍ ଲାଗିଥିଲା ।