ଢେଙ୍କାନାଳ,/୧୦ : ଟ୍ରକ୍ ଧକ୍କାରେ ମାମୁଁର ମୃତ୍ୟୁ ହୋଇଥିବାବେଳେ ଭଣଜା ଆହତ ହୋଇଛି । ଢେଙ୍କାନାଳ ସଦର ଥାନା ୫୫ନମ୍ବର ଜାତୀୟ ରାଜପଥ ଗୋବିନ୍ଦପୁର ନିକଟରେ ଶୁକ୍ରବାର ରାତିରେ ଏପରି ଦୁର୍ଘଟଣା ଘଟିଛି । ମୃତକ କଟକ ଗୁରୁଡିଝାଟିଆ ଥାନା ସାଉଁଜିଆ ଗାଁର ମାନସ ଦେହୁରୀ(୩୪)। ଆହତ ଭଣଜା ସୁଶାନ୍ତ ଦେହୁରୀ ।

ସୂଚନା ଅନୁସାରେ, ଉଭୟ ଏକ ବାଇକରେ ଆଠଗଡ଼ର ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ରାତିରେ ଘରକୁ ଫେରୁଥିବାବେଳେ ରାତି ପ୍ରାୟ ୮ଟା ସମୟରେ ପଛପଟୁ ଏକ ଟ୍ରକ୍ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା । ମାମୁଁ ମାନସ ରାସ୍ତାରେ ପଡ଼ିଯିବା ସହ ଟ୍ରକ ଚକା ତାଙ୍କ ମୁଣ୍ଡ ଉପରେ ଚଢି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଭଣଜା ସୁଶାନ୍ତ ଅଳ୍ପକେ ବର୍ତ୍ତି ଯାଇଥିଲେ। ଟ୍ରକଟି ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିଲା । ପୁଲିସ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା । ଶବ ବ୍ୟବଚ୍ଛେଦ ଗୃହରେ ମୃତଦେହ ରଖାଯାଇଛି ।