ଭଦ୍ରକ, ୧୭/୧୦: ଗୋ-ଚାଲାଣ ବେଳେ ଗାଡ଼ି ଅଟକାଇଲେ ଗୋ-ରକ୍ଷକ । ଭଦ୍ରକ ଜିଲ୍ଲା ଚୁନିଦା ରାସ୍ତାରେ ବଜରଙ୍ଗ ଦଳର କର୍ମୀମାନେ ଗୋଡ଼ାଇ ଗୋଡ଼ାଇ ଗୋରୁ ଗାଡ଼ିକୁ ଧରିଛନ୍ତି । ସେଥିରୁ ୧୪ଟି ଗୋରୁ ଉଦ୍ଧାର କରିବା ସହିତ ଗାଡ଼ିକୁ ଭାଙ୍ଗି ଦେଇଛନ୍ତି । ସେପଟେ ମଉକା ଦେଖି ଚମ୍ପଟ୍ ମାରିଛନ୍ତି ଡ୍ରାଇଭର ଏବଂ ହେଲପର ।
ସୂଚନା ଅନୁଯାୟୀ, ଭଦ୍ରକ ବ୍ଲକ୍ କଲେଇ ପଂଚାୟତ FCI ଗୋଡାଉନ ବଳାଜିତପଡ଼ା ନିକଟରେ ଏକ ବେଆଇନ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଯାଉଥିବା ବେଳେ ବଜରଙ୍ଗ ଦଳର କର୍ମୀ ମାନେ ତାକୁ ଅଟକାଇଥିଲେ । ସେଥିରେ ଅତି ଅମାନୁଷିକ ଭାବେ ୧୪ ଗୋରୁଙ୍କୁ ବାନ୍ଧି ଚାଲାଣ କରାଯାଉଥିଲେ । ଗୋରୁ ଗୁଡ଼ିକ ଉଦ୍ଧର କରିବା ସହିତ ଉତ୍ତ୍ୟକ୍ତ ଗୋ-ରକ୍ଷକମାନେ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ । ଖବର ପାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପଞ୍ଚିଥିଲା । ୧୪ ଗୋରୁଙ୍କୁ ଗୋଶାଳାକୁ ପଠାଇବା ସହ ଗାଡିକୁ ଥାନାରେ ଅଟକ ରଖିଛି । ସେପଟେ ମଉକା ଦେଖି ଡ୍ରାଇଭର ଏବଂ ହେଲପର ଫେରାର୍ ହୋଇଯାଇଛନ୍ତି ।