ମାଲକାନଗିରି,୨୭/୧୦(ଆପ୍ର ):   ସୋମବାର ମାଛକୁଣ୍ଡ ଜଳଭଣ୍ଡାରରୁ ଜଲାପୁଟ ନଦୀକୁ ଛଡା ଯାଇଛି ୧୮ କ୍ଵିସେକ ଜଳ ସେ ଜଳ ଚିତ୍ରକୋଣ୍ଡାସ୍ଥ ବାଲିମେଳା ଜଳ ଭଣ୍ଡାରରେ ପ୍ରବେଶ କରିବା ଦ୍ୱାରା ଜଳସ୍ତର ବୃଦ୍ଧି ପାଇଛି। ବାଲିମେଳା ଜଳଭଣ୍ଡାର ରେ ୧୫୦୭. ୮୦ ଫୁଟ ଜଳସ୍ତର ରହିଛି।

ବାତ୍ୟା ମୋନ୍ଥାର ପ୍ରବଳ ବର୍ଷା ହେବା ଓ ଜଳସ୍ତର ବିପଦ ସଙ୍କେତ ଟପିବା ଆଶଙ୍କାକୁ ଆଖିଆଗରେ ରଖି  ଜିଲ୍ଲା ପ୍ରଶାସନ ଓ ଚିତ୍ରକୋଣ୍ଡା ମାଟି ବନ୍ଧ ବିଭାଜନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବୈଠକ ବସି ଆଗୁଆ ପ୍ରସ୍ତୁତି କରାଯାଇଛି।  ଜଳଭଣ୍ଡାର ପରପାର୍ଶ୍ଵ ରେ ଥିବା ୧୫୧ ଖଣ୍ଡ ଗ୍ରାମକୁ ଚଳାଚଳ କରୁଥିବା ତିନୋଟି ମୋଟର ଲଞ୍ଚକୁ ୨୮ ଓ ୨୯ ତାରିଖ ଦୁଇଦିନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନିଆଯିବା ସହ ତଳିଆ ଗ୍ରାମବାସୀଙ୍କୁ ସତର୍କ ସୂଚନା ଦିଆଯାଇଛି।

ବାଲିମେଳା ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୫୧୬ ଫୁଟ ରହିଛି। ଜଳଭଣ୍ଡାରର ଜଳସ୍ତର ୧୫୦୭.୮୦ ଫୁଟ ରହିଥିବା ବେଳେ ବିପଦ ସଂକେତ ଟପିବା ପାଇଁ ଆଉ ୮ ଫୁଟ ବାକି ଅଛି। ଜଳଭଣ୍ଡାର   ଜଳସ୍ତର ଯଦି ବିପଦ ସଙ୍କେତ  ଟପେ ତାହେଲେ ଗୋଟିଏ ଗେଟ ଖୋଲାଯିବ ବୋଲି ବାଲିମେଳା ମାଟିବନ୍ଧ ଯୋଜନା ର ସହକାରୀ ଯନ୍ତ୍ରୀ ଇଂ ଗଦାଧର ପ୍ରଧାନ ସୂଚନା ଦେଇଛନ୍ତି।

ମୋନ୍ଥ ବାତ୍ୟା ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଥିବାରୁ ଚିତ୍ରକୋଣ୍ଡା ସ୍ଥିତ ବାଲିମେଳା ମାଟି ବନ୍ଧ ବିଭାଗ ପକ୍ଷରୁ ସ୍ପିଲୱେ ଠାରେ ଥିବା ବାଲିମେଳା ଜଳଭଣ୍ଡାରର ଦଶଟି ରେଡିଆଲ୍ ଗେଟ୍ ର ଯନ୍ତ୍ରାସଂ ଗୁଡ଼ିକୁ ପରୀକ୍ଷା କରାଯାଇଛି। ବାଲିମେଳା ଜଳଭଣ୍ଡାର ଉପରି ଭାଗରେ ଜଲାପୁଟ ଜଳଭଣ୍ଡାର ରହିଛି। ସେହି ଜଳଭଣ୍ଡାରର ଜଳଧାରଣ କ୍ଷମତା କମ ଥିବାରୁ ବହୁ ସମୟରେ ପ୍ରବଳ ବର୍ଷା ହେଲେ ଗେଟ୍ ଗୁଡିକୁ ଖୋଲାଯାଇଥାଏ। ସୋମବାର  ମାଛକୁଣ୍ଡ ଜଳଭଣ୍ଡାରରୁ ୧୮କ୍ୟୁସେକ ଜଳ ଛଡା ଯାଇଛି,ଯାହାଫଳରେ ବାଲିମେଳା ଜଳଭଣ୍ଡାରର ଜଳସ୍ତର କିଛି ମାତ୍ରାରେ ବଢ଼ି ଯାଇଛି।