ନୂଆଦିଲ୍ଲୀ, ୧୩/୯ : ଦୁନିଆର ପ୍ରଥମ ଏଆଇ ମନ୍ତ୍ରୀ। ଯିଏ ଲାଞ୍ଚ ନେବେନି କି ଭ୍ରଷ୍ଟାଚାର କରିବେନି। ବିନା ସ୍ଵାର୍ଥରେ ଲୋକଙ୍କ ସୁଖ ଦୁଃଖ ବୁଝିବେ। ୟୁରୋପର ଆଲବାନିଆ ନାମକ ଏକ ଛୋଟ ଦେଶ ଏହି ଭ୍ରଷ୍ଟାଚାର ମୁକ୍ତ ମନ୍ତ୍ରୀଙ୍କୁ ନିଯୁକ୍ତ କରିଛି। ଏହି ମନ୍ତ୍ରୀଙ୍କ ନାମ ଡିଏଲା। ଏହି ଏଆଇକୁ ଆଲବାନିଆ ସରକାର ପ୍ରଥମ ଥର ପାଇଁ ନିଜ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି। ଡିଏଲା ଏବେ ଦେଶର ସରକାରୀ ଟେଣ୍ଡରକୁ ମ୍ୟାନେଜ୍ କରିବ ଓ ପ୍ରାଇଭେଟ୍ କମ୍ପାନୀଗୁଡ଼ିକୁ ପ୍ରୋଜେକ୍ଟ ଦେବାକୁ ନିଷ୍ପତ୍ତି ନେବ। ଲାଞ୍ଚ କମ୍ଵା ବଳ ପ୍ରୟୋଗ ଦ୍ଵାରା ଏହା ପ୍ରଭାବିତ ହେବ ନାହିଁ କି ପକ୍ଷପାତିତା କରିବ ନାହିଁ। ନିଷ୍ପକ୍ଷ ଭାବେ ଟେଣ୍ଡର ଆବଣ୍ଟନ କରିବ। ଏହାର ଲକ୍ଷ୍ୟ ସରକାରୀ ଟେଣ୍ଡରକୁ ଭ୍ରଷ୍ଟାଚାର ମୁକ୍ତ କରିବା।
ଆଲବାନିଆ ପ୍ରଧାନମନ୍ତ୍ରୀ ଏଦି ରାମା ଏହି ଏଆଇ ମନ୍ତ୍ରୀଙ୍କୁ କ୍ୟାବିନେଟ୍ରେ ସାମିଲ କରି ଖୁସିବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ, ଡିଏଲାର ଅର୍ଥ ସୂର୍ଯ୍ୟ। ଏହି ଏଆଇ ଆମ ସିଷ୍ଟମରେ ବ୍ୟାପିଥିବା ଅନ୍ଧକାରକୁ ଦୂର କରିବ। ଡିଏଲାର ନିଯୁକ୍ତି ପରେ ସରକାରୀ ଟେଣ୍ଡର ସିଷ୍ଟମ ଭ୍ରଷ୍ଟାଚାର ମୁକ୍ତ ହେବ। ଆଲବାନିଆ ଏବେଯାଏଁ ୟୁରୋପୀୟ ସଙ୍ଘର ସଦସ୍ୟ ହୋଇପାରି ନାହିଁ। ୨୦୩୦ ସୁଦ୍ଧା ଆଲବାନିଆ EUରେ ସାମିଲ ହେବ ଓ ଡିଏଲା ଏହି ଦିଗରେ ଏକ ଡିଜିଟାଲ ଅସ୍ତ୍ର ପାଲଟିବ ବୋଲି ଏଦି ରାମା ଆଶାବାଦୀ ଅଛନ୍ତି।
ଡିଏଲା ନୂଆ ନୁହେଁ। ୨୦୨୪ରେ ‘e-Albania’ପୋର୍ଟାଲରେ ଏହାକୁ ଲଞ୍ଚ କରାଯାଇଥିଲା। ଏହି ଏଆଇ ଆଲବାନିଆର ପାରମ୍ପରିକ ପୋଷାକ ପିନ୍ଧି ସ୍କ୍ରିନ୍ରେ ନଜର ଆସୁଛି। ଭଏସ୍ କମାଣ୍ଡ୍ ଦେଲେ ଚାଲୁଛି। ଅର୍ଥାତ୍ ଏବେ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ନୁହେଁ ଲୋକଙ୍କ ନିର୍ଦ୍ଦେଶରେ କାମ ହେବ। ତଥାପି ଟେକ୍ନୋଲୋଜି ଯେତେ ଉନ୍ନତ ହେଲେ ବି ଡିଏଲାର ନିଷ୍ପତ୍ତି ଉପରେ ନଜର ରଖିବା ଜରୁରୀ।